ବିଜେପି ଖଣି ଦୁର୍ନୀତିର ସିବିଆଇ ତଦନ୍ତ ଦାବି କରିବା ବୃଥା:ପ୍ରସାଦ ହରିଚନ୍ଦନ
ଭୁବନେଶ୍ୱର : ରାଜ୍ୟ ସରକାର ବ୍ୟାପକ ଭାବେ ଖଣି ଦୁର୍ନୀତି କରିଛନ୍ତି । ଖଣି ଦୁର୍ନୀତିର ସିବିଆଇ ତଦନ୍ତ କରାଯାଉ ବୋଲି ଦାବି କରିଛନ୍ତି ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର । ଓଡ଼ିଶାରେ ୯ଲକ୍ଷ କୋଟି ଟଙ୍କାର ଖଣି ଦୁର୍ନୀତି ହୋଇଥିବା ନେଇ ବିଜେପି ଅଭିଯୋଗ ଆଣିଛି।
ଅନ୍ୟପଟେ ଏହି ପ୍ରସଙ୍ଗରେ ମତ ରଖିଛି କଂଗ୍ରେସ । ରାଜ୍ୟ କଂଗ୍ରେସ ପୂର୍ବତନ ପିସିସି ସଭାପତି ପ୍ରସାଦ ହରିଚନ୍ଦନ କହିଛନ୍ତି, “ବିଜେପି ସିବିଆଇ ତଦନ୍ତ ଦାବି କରିବା ବୃଥା । କାରଣ ଓଡି଼ଶା ବିଧାନସଭାର ପବ୍ଲିକ ଆକାଉଣ୍ଟ କମିଟି ରହିଛି ଏବଂ ଏହି କମିଟିର ଅଧ୍ୟକ୍ଷ ମଧ୍ୟ ବିଜେପି ଦଳର ନେତା ଅଛନ୍ତି । ସିଏ ଚାହିଁଲେ ଅଭିଯୋଗର ପରୀକ୍ଷା ନିରୀକ୍ଷା କରି ଏହାର ରିପୋର୍ଟ ବିଧାନସଭାକୁ ଦେଇପାରିବେ । ଅନ୍ୟପଟେ ଏହି ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀଙ୍କୁ ଭେଟି ବିଜେପି ନେତା ଅଭିଯୋଗ ମଧ୍ୟ କରିସାରିଛନ୍ତି । ହେଲେ ଆଜି ପର୍ୟ୍ୟନ୍ତ ଏହାର ଫଳ ରାଜ୍ୟକୁ କ’ଣ ମିଳିଛି ?” ବୋଲି ପ୍ରଶ୍ନ କରିଛନ୍ତି ପ୍ରସାଦ ହରିଚନ୍ଦନ ।
ସେ ଆହୁରି ମଧ୍ୟ କହିଛନ୍ତି, “କେବଳ ନିର୍ବାଚନ ପୂର୍ବରୁ ଏହି ପ୍ରସଙ୍ଗ ଉଠାଇ ଖଣି ବ୍ୟବସାୟୀଙ୍କ ଉପରେ ଚାପ ପକାଇ ବିଜେପି କିଛି ଫାଇଦା ପାଇବା ଆଶାରେ ଥାଇପାରେ । ଖଣି ଦୁର୍ନୀତି ରାଜ୍ୟକୁ କବଳିତ କରି ରଖିଛି । ଜଷ୍ଟିସ ଏମ ବି ଶାହ କମିଶନକୁ ତଦନ୍ତ କରିବାକୁ ଦାୟିତ୍ୱ ଦେଇଥିଲେ କେନ୍ଦ୍ର ଉପା ସରକାର । ଏହି କମିଶନ ୨୦୦୩- ୨୦୧୦ ମଧ୍ୟରେ ଖଣି ଦୁର୍ନୀତିକୁ ନେଇ ଏକ ରିପୋର୍ଟ ପ୍ରଦାନ କରିଥିଲେ । ୭୦ଟି ବଡ଼ ବଡ଼ କମ୍ପାନୀ ସେତେବେଳେ ଖଣି ଦୁର୍ନୀତିରେ ଜଡିତ ଥିଲେ । ତାହା ମଧ୍ୟ ସେ ରିପୋର୍ଟରେ ଉଲ୍ଲେଖ କରିଥିଲେ। ସେତେବେଳେ ବି ସିବିଆଇ ତଦନ୍ତ ପାଇଁ କୁହାଯାଇଥିଲା । ଏହି ଦୁର୍ନୀତି ସମୟରେ ରାଜ୍ୟରେ ଉଭୟ ବିଜେଡି ଏବଂ ବିଜେପି ସରକାର ଥିଲା । ରାଜ୍ୟ ସରକାର ତାଙ୍କ ଆଡୁ କେବେବି ସିବିଆଇ ତଦନ୍ତ ପାଇଁ ସୁପାରିଶ କରିନାହାନ୍ତି । ଏହାର ଅର୍ଥ କ’ଣ ଓଡିଶାବାସୀ ଜାଣିପାରିବେ ।”