ଭୁବନେଶ୍ବର: ଆସନ୍ତା ଫେବ୍ରୁଆରି ୩ରୁ ୫ତାରିଖ ପର୍ୟ୍ୟନ୍ତ ଆୟୋଜନ ହେବାକୁ ଯାଉଥିବା ପ୍ରଥମ ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋଗୋ ଉନ୍ମୋଚନ କରିଛନ୍ତି। ଏହାର ଟ୍ୟାଗ୍ଲାଇନ ରହିଛି ‘ଭାଷା ହିଁ ଭବିଷ୍ୟତ’। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଭାଷା ସମ୍ମିଳନୀର ବିପୁଳ ସଫଳତା କାମନା କରିବା ସହ କହିଛନ୍ତି ଯେ ବୁଦ୍ଧିଜୀବୀ, ଗବେଷକ, ବିଦ୍ୱାନ ଓ ଛାତ୍ରଛାତ୍ରୀଙ୍କ ମଧ୍ୟରେ ମତ ବିନିମୟ ପାଇଁ ଏହି ସମ୍ମିଳନୀ ଏକ ସୁନ୍ଦର ମଞ୍ଚ ଭାବେ କାର୍ୟ୍ୟ କରିବ ବୋଲି ମୁଁ ଆଶା କରୁଛି। ଆଧୁନିକ ଭାରତବର୍ଷରେ ଓଡ଼ିଶା ହେଉଛି ପ୍ରଥମ ଭାଷାଭିତ୍ତିକ ରାଜ୍ୟ।
ଓଡ଼ିଆ ଭାଷା ଅନ୍ୟତମ ଶାସ୍ତ୍ରୀୟ ଭଷାର ମାନ୍ୟତା ପାଇ ଆମ ମାଟି ଏବଂ ଭାଷାର ଗୌରବ ବୃଦ୍ଧି କରିଛି। ଓଡ଼ିଆ ଭାଷାର ଅତୀତ, ବର୍ତ୍ତମାନ ଓ ଭବିଷ୍ୟତ ଉପରେ ବିସ୍ତୃତ ଆଲୋଚନା କରିବା ସହ ଏହାର ପ୍ରଚାର-ପ୍ରସାର ପାଇଁ ଲକ୍ଷ୍ୟ ନିର୍ଦ୍ଧାରଣ ନିମନ୍ତେ ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀର ଆୟୋଜନ କରାଯାଉଛି। ଏକ ସ୍ୱତନ୍ତ୍ର ଐତିହ୍ୟର ଶକ୍ତିଶାଳୀ ବାହକ ଭାବେ ଆମ ଭବିଷ୍ୟତ ପିଢ଼ିଙ୍କ ପାଖରେ କିପରି ଓଡ଼ିଆ ଭାଷାର ଆଦର ବଢ଼ିବ, ଆଧୁନିକ ଜ୍ଞାନକୌଶଳ ଜରିଆରେ ଆମ ଭାଷା କିପରି ଆଗକୁ ବଢ଼ିପାରିବ ସେ ସମ୍ପର୍କରେ ଏଥିରେ ବିଚାର- ବିମର୍ଶ କରି ଭବିଷ୍ୟତ କାର୍ୟ୍ୟପନ୍ଥା ନିର୍ଦ୍ଧାରଣ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
Get real time updates directly on you device, subscribe now.
Prev Post
Next Post