ଅହମଦାବାଦ: ଗୁଜରାଟର ଅହମଦାବାଦରେ ଆସନ୍ତା ରବିବାର ଦିନ ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବାକୁ ଥିବା କ୍ରିକେଟ୍ ବିଶ୍ୱକପ୍ ଫାଇନାଲ୍ ମ୍ୟାଚ୍ ଦେଖିବାକୁ ଚାହୁଁଥିବା ଲୋକଙ୍କ ଚାହିଦା ବଢ଼ୁଥିବାରୁ ଅହମଦାବାଦରେ ହୋଟେଲ ରୁମ୍ ଦର ଏବଂ ସହରକୁ ବିମାନ ଭଡ଼ା ଏବେ ଆକାଶଛୁଆଁ ହୋଇଯାଇଛି।ବିଶ୍ୱକପ୍ ଫାଇନାଲ୍ ପାଇଁ ଉତ୍କଣ୍ଠା ଏବେ ଚରମ ସୀମାରେ ପହଞ୍ଚିିଥିବା ବେଳେ ସହରର ପ୍ରମୁଖ ପଞ୍ଚତାରକା ହୋଟେଲଗୁଡ଼ିକରେ ମ୍ୟାଚ୍ ରାତି ପାଇଁ ହୋଟେଲ ରୁମ୍ ଦର ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି ପାଇଥିବା ବେଳେ ଅନ୍ୟ ହୋଟେଲଗୁଡ଼ିକ ମଧ୍ୟ ୫ରୁ ୭ ଗୁଣା ଦର ବୃଦ୍ଧି କରିଛନ୍ତି। କେବଳ ଭାରତରୁ ନୁହେଁ, ଦୁବାଇ, ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକା ସମେତ ଆହୁରି ଅନେକ ବିଦେଶୀ ରାଷ୍ଟ୍ରରୁ ଲୋକେ ମ୍ୟାଚ୍ ଦେଖିବାକୁ ଆସିବାକୁ ଚାହୁଁଛନ୍ତି।
ହୋଟେଲ ରୁମ୍ର ଚାହିଦା ଅଧିକ ଥିବାରୁ ଏହାର ଦର ମଧ୍ୟ ବୃଦ୍ଧି ପାଉଥିବା ବେଳେ ପୂର୍ବରୁ ନାମମାତ୍ର ଦରରେ ମିଳୁଥିବା ରୁମ୍ଗୁଡ଼ିକ ଏବେ ୫୦ ହଜାରରୁ ୧ ଲକ୍ଷ ୨୫ ହଜାର ଟଙ୍କା ମଧ୍ୟରେ ପହଞ୍ଚିଛି। ଲୋକମାନେ ହୋଟେଲ ବୁକିଂ କରିବା ପୂର୍ବରୁ ପ୍ରଥମେ ବିମାନ ଟିକେଟ୍ ବୁକ୍ କରିଥାନ୍ତି। ମ୍ୟାଚ୍ ଦିନ ପାଖେଇ ଆସୁଥିବାରୁ କେବଳ ଅହମଦାବାଦ ନୁହେଁ, ଆଖପାଖ ସହରରେ ମଧ୍ୟ ହୋଟେଲ ରୁମ୍ ଦାମ୍ ଏବେ ବଢ଼ିବାକୁ ଆରମ୍ଭ କରିଛି। ପଞ୍ଚତାରକା ହୋଟେଲର ବିଭିନ୍ନ ହୋଟେଲ ବୁକିଂ ସାଇଟରେ ଦର ରାତି ପିଛା ପ୍ରାୟ ୨ ଲକ୍ଷ ଟଙ୍କାରେ ପହଞ୍ଚିଛି। ଆଇଟିସି ନର୍ମଦା ଏବଂ ହୟାତ ରିଜେନ୍ସି ଭଳି ହୋଟେଲଗୁଡ଼ିକ ଅନ୍ଲାଇନ୍ରେ ଉଲ୍ଲେଖ କରିଥିବା ଶୁଳ୍କ ମ୍ୟାଚ୍ ରାତିରେ ୨ ଲକ୍ଷ ଟଙ୍କାରୁ ଅଧିକ ରହିଛି। ଏପରିକି ଅଣତାରକା (ନନ୍ଷ୍ଟାର) ହୋଟେଲଗୁଡ଼ିକ ମଧ୍ୟ ଭିଡ଼କୁ ଦୃଷ୍ଟିରେ ରଖି ସେମାନଙ୍କ ରୁମ୍ ଦର ରାତିକ ପାଇଁ ୫ରୁ ୭ ଥର ଗୁଣା ବୃଦ୍ଧି କରିଛନ୍ତି। ସାଧାରଣତଃ ରାତି ପିଛା ୩,୦୦୦ରୁ ୪,୦୦୦ ଟଙ୍କା ଆଦାୟ କରୁଥିବା ସିଜି ରୋଡ୍ରେ ଥିବା ହୋଟେଲ୍ କ୍ରାଉନ୍ ଏହାର ଦର ୨୦,୦୦୦ ଟଙ୍କାକୁ ବୃଦ୍ଧି କରିଛି।