THE BYAPINI

ବିଶ୍ୱ ଦୌଡକୁଦ ପଦାର୍ପଣରେ ଚମକିଲେ ଓଡ଼ିଆ ପୁଅ କିଶୋର

Get real time updates directly on you device, subscribe now.

ବୁଦାପେଷ୍ଟ (ହଙ୍ଗେରି): ଓଡିଆ ଜାଭଲିନ୍‌ ଖେଳାଳୀ କିଶୋର କୁମାର ଜେନା ବିଶ୍ୱ ଦୌଡକୁଦ ଚାମ୍ପିଅନ୍‌ସିପ୍‌ ଫାଇନାଲ୍‌ରେ ପ୍ରବେଶ କରି ନୂଆ ଇତିହାସ ରଚିଛନ୍ତି । କିଶୋରଙ୍କର ବିଶ୍ୱ ପ୍ରତିଯୋଗିତାରୁ ଅନ୍ତର୍ଜାତୀୟ ପଦାର୍ପଣ ହୋଇଛି ଅତି ଚମତ୍କାର ଢ଼ଙ୍ଗରେ । କିଶୋରଙ୍କ ସହିତ ଅନ୍ୟ ଦୁଇ ଭାରତୀୟ ଅଲମ୍ପିକ୍‌ ସ୍ୱର୍ଣ୍ଣ ବିଜେତା ନୀରଜ ଚୋପ୍ରା ଓ ଡିପି ମନୁ ମଧ୍ୟ ଫାଇନାଲ୍‌ରେ ନିଜ ସ୍ଥାନ ପକ୍କା କରିଛନ୍ତି । ଗୋଟିଏ ବିଶ୍ୱସ୍ତରୀୟ ପ୍ରତିଯୋଗିତାରେ ଗୋଟିଏ ଦେଶର ୩ଜଣ ଖେଳାଳି ଫାଇନାଲ୍‌ ଖେଳିବାକୁ ଯାଉଥିବାରୁ ଭାରତୀୟ କ୍ରୀଡାଜଗତ ଆଉ ଏକ ବିରଳ ସଫଳତା ପାଇଛି । ନୀରଜ ଚୋପ୍ରା ଫାଇନାଲ୍‌ରେ ପହଞ୍ଚିବ ସହ ପ୍ୟାରିସ୍‌ ରେ ୨୦୨୪ ରେ ହେବାକୁ ଥିବା ଅଲିମ୍ପିକ୍‌ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି ।
ପ୍ରଥମ ପ୍ରୟାସରେ କିଶୋର ୮୦.୫୫ ମିଟର ଜାଭଲିନ୍‌ ଫିଙ୍ଗିଥିଲେ । ଉଲ୍ଲେଖଯୋଗ୍ୟ, କିଶୋରଙ୍କୁ ବିଶ୍ୱ ଦୌଡକୁଦ ଯୋଗ୍ୟତା ମିଳିଥିଲେ ବି ହଙ୍ଗେରି ଦୂତାବାସ ପକ୍ଷରୁ ତାଙ୍କୁ ଭିସା ମିଳିନଥିଲା । ନୀରଜଙ୍କ ଅନୁରୋଧ ପରେ ଏବଂ ଭାରତୀୟ ଦୌଡକୁଦ ମହାସଂଘ ଓ କ୍ରୀଡା ମନ୍ତ୍ରାଳୟର ହସ୍ତକ୍ଷେପ ପରେ ପ୍ରତିଯୋଗିତାର ଆରମ୍ଭ ହେବା ଗୋଟିଏ ଦିନ ପୂର୍ବରୁ କିଶୋରଙ୍କୁ ଭିସା ମିଳିଥିଲା । ପ୍ରଥମ ଥର ପାଇଁ ବିଶ୍ୱ ଚାମ୍ପିଅନ୍‌ସିପ୍‌ରେ ଅଂଶଗ୍ରହଣ କରିଥିବାରୁ ଇଭେଣ୍ଟ ଆରମ୍ଭ ହେବା ପୂର୍ବରୁ ସାମାନ୍ୟ ନର୍ଭସ ଥିବା କିଶୋର ପ୍ରକାଶ କରିଛନ୍ତି । ପ୍ରଥମ ପ୍ରୟାସରେ ୮୦ ମିଟର ଉପରକୁ ଫିଙ୍ଗିବା ପରେ ପରବର୍ତ୍ତୀ ପ୍ରୟାସ ଗୁଡିକରେ ବୈଷୟିକ ଦିଗରେ ତ୍ରୁଟି କରିବାରୁ ଅଧିକ ଦୂରତା ପାଇପାରିନଥିଲି । ଫାଇନାଲ୍‌ରେ ନିଜର ଶ୍ରେଷ୍ଠ ପ୍ରଦର୍ଶନ ଦେବାକୁ ଚେଷ୍ଟା କରିବେ ବୋଲି କିଶୋର ଇଭେଣ୍ଟ ପରବର୍ତ୍ତୀ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ।
ମୁଖ୍ୟମନ୍ତ୍ରୀଙ୍କ ଅଭିନନ୍ଦନ
କିଶୋର ବିଶ୍ୱ ଦୌଡକୁଦ ଫାଇନାଲ୍‌ରେ ପ୍ରବେଶ କରିବା ପରେ ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି । କିଶୋରଙ୍କ ସହ ଅଲିମ୍ପିକ୍‌ ଯୋଗ୍ୟତା ପାଇଥିବା ନୀରଜ ଚୋପ୍ରା ଓ ଅନ୍ୟତମ ଫାଇନାଲିଷ୍ଟ ଡିପି ମନୁଙ୍କୁ ମଧ୍ୟ ମୁଖ୍ୟମନ୍ତ୍ରୀ ଅଭିନନ୍ଦନ ଜଣାଇଛନ୍ତି । ଏଥିସହିତ ଭାରତୀୟ ଦୌଡକୁଦ ସଂଘ, ରାଜ୍ୟ କ୍ରୀଡା ମନ୍ତ୍ରାଳୟ ପକ୍ଷରୁ ଏହି ତିନି ଜାଭଲିନ୍‌ ଖେଳାଳୀଙ୍କୁ ଶୁଭକାମନା ଜଣାଯାଇଛି ।

Get real time updates directly on you device, subscribe now.

Leave A Reply

Your email address will not be published.