ରାଜନଗର: ପୁଣି ଥରେ କୁମ୍ଭୀର ଆତଙ୍କ ଖେଳାଇ ଦେଇଛି କେନ୍ଦ୍ରାପଡା ଜିଲ୍ଲା ରାଜନଗର ଅଞ୍ଚଳରେ । ବ୍ରାହ୍ମଣୀ ନଦୀରେ ଗାଧୋଉଥିବା ସମୟରେ ଜଣେ ଜଣେ ବୟସ୍କ ବ୍ୟକ୍ତିଙ୍କୁ କୁମ୍ଭୀର ଟାଣିନେଇଛି । ପୀଡିତ ଜଣଙ୍କ ହେଉଛନ୍ତି ରାଜନଗର ବ୍ଲକ ଅନ୍ତର୍ଗତ ରାଜପୁର ଗାଁର ଅଭୟ ରାଉତ । ଆଜି ସକାଳ ପ୍ରାୟ ସାଢେ଼ ୧୦ଟା ବେଳେ ଏହି ଅଘଟଣ ଘଟିଛି । ଏନେଇ ସ୍ଥାନୀୟ ଲୋକେ ବନବିଭାଗକୁ ଖବର ଦେଇଥିଲେ । ଏବେ ସ୍ଥାନୀୟ ଲୋକଙ୍କ ସହାୟତାରେ ବନବିଭାଗ ଦ୍ୱାରା ଖୋଜାଖୋଜି ଜାରି ରହିଛିଥିଲେ ସୁଦ୍ଧା ତାଙ୍କର କୌଣସି ପତ୍ତା ମିଳିନାହିଁ । ଏହା ଆଗରୁ ରାଜନଗରରେ ଏଭଳି ୪ଜଣ ଲୋକଙ୍କୁ କୁମ୍ଭୀର ଟାଣିନେଇ ମାରି ଖାଇଛି । ଏହା ହେଉଛି ପଞ୍ଚମ ଘଟଣା । ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି କରିଛି ।
ଅନ୍ୟପଟେ ଏକମାତ୍ର ସମୁଦ୍ର ବେଳାଭୂମି ପେଣ୍ଠ ମୁଖ୍ୟ ରାସ୍ତାରେ ବଉଳା କୁମ୍ଭୀର ବୁଲୁଥିବା ଦେଖିବାକୁ ମିଳିଛି । ଖଣ୍ତାମରା-ପେଣ୍ଠ ଢଳେଇ ରାସ୍ତା ଉପରେ ଗତରାତିରେ ଏହି କୁମ୍ଭୀର ବୁଲୁଥିବା କିଛି ଯୁବକ ଦେଖିବାକୁ ପାଇଥିଲେ । ଯୁବକମାନଙ୍କ ପାଟି ଶୁଣି କୁମ୍ଭୀରଟି ରାସ୍ତା ନିକଟରେ ଥିବା ନାଳକୁ ଚାଲି ଯାଇଥିଲା । ପ୍ରାୟ ୪ ଫୁଟ୍ ଲମ୍ବର ଏହି କୁମ୍ଭୀରଟି ରାସ୍ତା ଉପରେ ଚାଲୁଥିବା ଯୋଗୁଁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ହୋଇଛି ।
Get real time updates directly on you device, subscribe now.
