ଭୁବନେଶ୍ୱର: ରାଜଧାନୀର ବିଭିନ୍ନ ସ୍ଥାନରେ ଲୁଟ୍ପାଟ କରୁଥିବା ‘ବ୍ଲାକ ଜ୍ୟାକେଟ୍’ ଗ୍ୟାଙ୍ଗକୁ ଶେଷରେ କମିସନରେଟ୍ ପୁଲିସ ଧରିବାରେ ସଫଲ ହୋଇଛି । ବେଶ୍ କିଛିଦିନ ପୁଲିସକୁ ଚକ୍ମା ଦେଖାଇବା ପରେ ଏହି ଗ୍ୟାଙ୍ଗ୍ର ୪ ସଦସ୍ୟକୁ ଧରି ବାରେ ପୁଲିସ ସଫଳତା ପାଇଛି । ସେମାନେ ହେଲେ କ୍ୟାପିଟାଲ୍ ଥାନା ବାପୁଜୀନଗର କେଦାପଲ୍ଲୀ ବସ୍ତିର ସନ୍ତୋଷ ନାୟକ ଓରଫ ରକେଟ୍ (୨୮), ଖୋର୍ଦ୍ଧା ସଦର ଥାନା ଅଞ୍ଚଳର ରଶ୍ମୀରଂଜନ ନାଏକ ଓରଫ ମାନସ (୩୧), ନୟାଗଡ ଜିଲ୍ଲା ଖଣ୍ଡପଡା ଅଞ୍ଚଳର ବୁଲୁ ନାଏକ ଓରଫ ଗୁଲୁ (୨୮) ଓ ଇଟାମାଟି ଅଞ୍ଚଳର ସର୍ବେଶ୍ୱର ଗୋଚ୍ଛାୟତ ଓରଫ ଟିକି(୨୮) । ୪୦୦ ଗ୍ରାମ ଓଜନର ୩୦ଟି ସୁନାଚେନ୍, ୩ଟି ସ୍ପିଡ୍ବାଇକ୍, ବ୍ଲାକ ଜ୍ୟାକେଟ୍, ମୋବାଇଲ୍ ଓ ଗୋଲ୍ଡ ଲୋନ୍ ଥିବା କାଗଜପତ୍ର ଆଦି ଜବତ ହୋଇଛି । ଜାମିନ ଖାରଜ ହେବାରୁ ଏ କୁଖ୍ୟାତ ଲୁଟେରାମାନଙ୍କୁ ଝାରପଡା ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି । ଏହି ଗ୍ୟାଙ୍ଗ୍ ନାଁରେ ସହିଦନଗର ଥାନାରେ ୯ଟି, ନୂଆପଲ୍ଲୀ ଥାନାରେ ୩ଟି ସମେତ ରାଜଧାନୀର ବିଭିନ୍ନ ଥାନାରେ ଆହୁରି ଏକାଧିକ ଅପରାଧିକ ମାମଲା ରହିଛି ।
ସହିଦନଗର ଥାନା ଠାରୁ ଆରମ୍ଭ କରି ମଞ୍ଚେଶ୍ୱର, ଇନ୍ଫୋସିଟି, ବଡଗଡ, ଚନ୍ଦ୍ରଶେଖରପୁର, କ୍ୟାପିଟାଲ, ନୂଆପଲ୍ଲୀ ଆଦି ଥାନା ଅଞ୍ଚଳରୁ ବାରମ୍ବାର ଲୁଟ୍ପାଟ କରି କମିସନରେଟ୍ ପୁଲିସର ନିଦ ହଜାଇ ଦେଇଥିଲା । ଏମାନଙ୍କୁ ଧରିବା କମିସନେରଟ୍ ପୁଲିସ୍ ପାଇଁ ଏକ ବଡ ଆହ୍ୱାନ ପାଲଟିଥିଲା । ଡିସିପି ପ୍ରତୀକ ସିଂହଙ୍କ ନିର୍ଦ୍ଦେଶକ୍ରମେ ସ୍ପେସାଲ୍ ସ୍କ୍ୱାଡ୍ ଏସିପି ହିମାଂଶୁ ସ୍ୱାଇଁଙ୍କ ନେତୃତ୍ୱରେ ପିଓପିଡି ଟିମ୍ ଓ ଟିମ୍-୬୦ ଏହି ଗ୍ୟାଙ୍ଗ୍କୁ ଠାବ କରିବାକୁ ଲାଗି ପଡିଥିଲେ । ତେବେ ରବିବାର ସନ୍ଧ୍ୟାରେ ଗ୍ୟାଙ୍ଗର ସଦସ୍ୟମାନେ ସହିଦନଗର ଅଞ୍ଚଳରେ ଲୁଟ୍ପାଇଁ ଯୋଜନା କରୁଥିବା ବେଳେ ପୁଲିସ ଟିମ୍ ପ୍ରଥମେ ଦୁଇଜଣଙ୍କୁ କାବୁ କରିଥିଲା । ଥାନାକୁ ଆଣି ପଚରା ଉଚରା ବେଳେ ସେମାନେ ଅନ୍ୟମାନଙ୍କ ସମ୍ପର୍କରେ କହିବା ସହ କିଭଳି ଲୁଟ୍ କରୁଥିଲେ, କେଉଁଠି କେଉଁଠି ସୁନା ରଖୁଥିଲେ, ସବୁ କହିଥିଲେ । ଏହାପରେ ରାତାରାତି ପୁଲିସର ଟିମ୍ଚଢ଼ାଉ କରି ଆଉ ଦୁଇଜଣଙ୍କୁ କାବୁ କରିଥିଲା । ମୁହାଁମୁହିଁ ଜେରା ପରେ ଗୋଲ୍ଡ ଲୋନ୍ରେ ସେମାନେ କିଭଳି ଟଙ୍କା ହାତଉଥିଲେ ତାହା ମଧ୍ୟ ଜଣାପଡିଥିଲା ।
Get real time updates directly on you device, subscribe now.