ବ୍ୟବସାୟଙ୍କୁ ବୀଭତ୍ସ ହତ୍ୟା
ବାଲିଅନ୍ତା: ରାଜଧାନୀ ଉପକଣ୍ଠରେ ବୀଭତ୍ସ ହତ୍ୟାକାଣ୍ଡ । ବନ୍ଦ ଘରୁ ଉଦ୍ଧାର ହେଲା ବ୍ୟବସାୟଙ୍କ ମୃତଦେହ । ବାଲିଅନ୍ତା ଥାନା ଅନ୍ତର୍ଗତ ସାଗୁଆ ଗ୍ରାମରେ ଏଭଳି ଘଟଣା ଘଟିଥିବା ସୂଚନା ମିଳିଛି । ମୃତ ବ୍ୟବସାୟ ହେଉଛନ୍ତି ବିଶ୍ବଜିତ ନାୟକ । କିଏ ଓ କାହିଁକି ତାଙ୍କୁ ହତ୍ୟା କଲା ସେନେଇ ବାଲିଅନ୍ତା ଥାନା ବାଳକାଟି ଫାଣ୍ତି ପୋଲିସ ଏବଂ ସାଇଣ୍ଟିଫିକ ଟିମ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ବିଶ୍ବଜିତଙ୍କ ଗଳାରେ କଟାଦାଗ ରହିଥିବାରୁ ତାଙ୍କୁ ଗଳା କାଟି ହତ୍ୟା କରାଯାଇଥିବା ସନ୍ଦେହ କରୁଛି ପୋଲିସ ।ମଞ୍ଚେଶ୍ବର ଥାନା ଅଧୀନ ଭିଏସଏସ ନଗରରେ ବିଶ୍ବଜିତ ନାୟକଙ୍କ ହୋଟେଲ ବ୍ୟବସାୟ ରହିଛି । ବାଳକାଟି ଫାଣ୍ଡି ଉମାଦେଇ ବ୍ରହ୍ମପୁର ପଞ୍ଚାୟତ ଅଧୀନ ସାଗୁଆ ଗ୍ରାମରେ ସେ ରୁହନ୍ତି । ଗତକାଲି (ଶନିବାର) ମୃତକଙ୍କ ସାନଭାଇ ତାଙ୍କୁ କଲ୍ କରିଥିଲେ । କିନ୍ତୁ ସେ ଫୋନ ନ ଉଠାଇବାରୁ ବିଶ୍ବଜିତଙ୍କ ସାନଭାଇ ପୋଲିସକୁ ଖବର ଦେଇଥିଲେ । ବାଲିଅନ୍ତା ଥାନା ଅଧିକାରୀ ଯୁବରାଜ ସ୍ବାଇଁ ଓ ଫାଣ୍ଡି ଅଧିକାରୀ ନିରଞ୍ଜନ ନାୟକ ବିଶ୍ବଜିତଙ୍କ ଘରେ ପହଞ୍ଚି ଘର ଭିତରୁ ମୃତଦେହ ଉଦ୍ଧାର କରିଥିଲେ । ତେବେ ଘରୁ ଦୁର୍ଗନ୍ଧ ବାହାରୁ ଥିବାରୁ ୨ ଦିନ ତଳେ ବିଶ୍ବଜିତଙ୍କ ମୃତ୍ୟୁ ହୋଇଥିବା ପୋଲିସ ସନ୍ଦେହ କରୁଛି ।
ପୋଲିସ ଘଟଣାସ୍ଥଳରେ ପହଞ୍ଚିବା ପରେ ମୃତଦେହ ଉପରେ ଏକ କମ୍ବଳ ଘୋଡା ହୋଇଥିବା ଦେଖିବାକୁ ପାଇଥିଲା । ମୃତକଙ୍କ ଗଳାରେ କଟା ଦାଗ ରହିଥିବା ବେଳେ ଘରେ ଥିବା ଖଟ ଓ କାନ୍ଥରେ ରକ୍ତ ଛିଟା ଲାଗିଥିବାରୁ ତାଙ୍କୁ କେହି ହତ୍ୟା କରିଥିବା ପୋଲିସ ଅନୁମାନ କରୁଛି । ତେବେ କିଏ ଓ କାହିଁକି ଯୁବକଙ୍କୁ ହତ୍ୟା କଲା ସେନେଇ ପୋଲିସ ତଦନ୍ତ ଆରମ୍ଭ କରିଛି । ଆଜି ସକାଳୁ ସାଇଣ୍ଟିଫିକ ଟିମ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି ।