ନୂଆଦିଲ୍ଲୀ : ଭାରତ ଆଜି ପ୍ରଥମ ସି-୨୯୫ ଏମଡବ୍ଲ୍ୟୁ ପରିବହନ ବିମାନ ଗ୍ରହଣ କରିଛି । ବୁଧବାର ଦିନ ସ୍ପେନ୍ର ସେବିଲ୍ ଠାରେସି-୨୯୫ ଏମଡବ୍ଲ୍ୟୁ ପରିବହନ ବିମାନ ହସ୍ତାନ୍ତର କାର୍ଯ୍ୟକ୍ରମରେ ଭାରତୀୟ ବିମାନ ବାହିନୀ ମୁଖ୍ୟ ମାର୍ଶାଲ୍ ଭି.ଆର୍. ଚୌଧୁରୀ, ଅଂଶ ଗ୍ରହଣ କରିଛନ୍ତି । ଏୟାର ବସ୍ ଦ୍ୱାରା ଆନୁଷ୍ଠାନିକ ଭାବେ ଏହି ବିମାନକୁ ବୁଧବାର ଭାରତୀୟ ବିମାନ ବାହିନୀକୁ ହସ୍ତାନ୍ତର କରାଯାଇଛି ବୋଲି ଭାରତୀୟ ବିମାନ ବାହିନୀ ପକ୍ଷରୁ ପ୍ରକାଶ କରାଯାଇଛି । ଭାରତ ସ୍ପେନ୍ଠାରୁ ୫୬ଟି ଏୟାର ବସ୍ ସି-୨୯୫ ଏମଡବ୍ଲ୍ୟୁ ବିମାନ ସଂଗ୍ରହ କରିବ । ସେଗୁଡିକ ବିମାନ ବାହିନୀର ଏଭିଆରଓ ସ୍ଥାନରେ ବିମାନ ବାହିନୀରେ ଅନ୍ତର୍ଭୁକ୍ତ ହେବ । ଏଥିପାଇଁ ୨ ଦେଶ ମଧ୍ୟରେ ରାଜିନାମା ସ୍ୱାକ୍ଷରିତ ହୋଇଥିଲା । ଏହି ରାଜିନାମା ଅନୁସାରେ ଏୟାର ବସ୍ ପ୍ରଥମେ ୧୬ଟି ବିମାନ ହସ୍ତାନ୍ତର କରିବ । ସେହି ବିମାନ ଗୁଡିକ ସେବିଲ୍ରୁ ସଂପୂର୍ଣ୍ଣ ଭାବେ ପ୍ରସ୍ତୁତ ହୋଇ ଆସିବ । ଅବଶିଷ୍ଟ ୪୦ଟି ବିମାନକୁ ଟାଟା ଆଡ୍ଭାନ୍ସଡ୍ ସିଷ୍ଟମ୍ ଦ୍ୱାରା ଭାରତରେ ଉତ୍ପାଦନ ଓ ସଂଯୋଗ କରାଯିବ ।