ଭୟଙ୍କର ସଡକ ଦୁର୍ଘଟଣା; ୪ ପୋଲିସ କର୍ମୀ ମୃତ
ଚଣ୍ଡିଗଡ଼: ପଞ୍ଜାବରେ ଭୟଙ୍କର ସଡକ ଦୁର୍ଘଟଣା । କୁହୁଡି ଯୋଗୁଁ ରାସ୍ତାଘାଟ ଦେଖା ନଯିବାରୁ ଟ୍ରକକୁ ପଛପଟୁ ଧକ୍କା ଦେଲା ପୋଲିସ ବସ୍ । ଦୁର୍ଘଟଣାରେ ଚାଲିଗଲା ୪ ଜଣ ପୋଲିସ କର୍ମୀଙ୍କ ଜୀବନ । ବୁଧବାର ପଞ୍ଜାବ ହୋସିଆରପୁରରେ ଏଭଳି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ମୃତକଙ୍କ ମଧ୍ୟରେ ଜଣେ ମହିଳା କନେଷ୍ଟବଳ ଅଛନ୍ତି । ଏଥିରେ ଆଉ କିଛି ପୋଲିସ କର୍ମୀ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି । ସମସ୍ତଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତେବେ କୁହୁଡି ପାଇଁ କିଛି ଦୃଶ୍ୟମାନ ନହେବାରୁ ବସ୍ ଡ୍ରାଇଭର ଜାଣିନପାରି ରାସ୍ତାକଡରେ ଛିଡା ହୋଇଥିବା ଟ୍ରକକୁ ପଛରୁ ଧକ୍କା ଦେଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି ।ଆଜି ସକାଳ ପ୍ରାୟ ୬ଟା ସମୟରେ ଦୁର୍ଘଟଣା ଘଟିଛି । ସକାଳୁ ସକାଳୁ ପଞ୍ଜାବ ପୋଲିସ କର୍ମଚାରୀଙ୍କୁ ନେଇ ଗୋଟିଏ ବସ୍ ଜଳନ୍ଧରରୁ ଗୁରୁଦାସପୁର ଅଭିମୁଖେ ଯାଉଥିଲା । ହୋସିଆରପୁରର ମୁକେରିଆଠାରେ କୁହୁଡି ଯୋଗୁଁ ରାସ୍ତାଘାଟ ଦୃଶ୍ୟମାନ ହେଉନଥିଲା । ସେହି ସମୟରେ ସେଠାରେ ଗୋଟିଏ ଟ୍ରକ ରାସ୍ତାକଡରେ ଛିଡା ହୋଇଥିଲା । ହେଲେ କୁହୁଡି ପାଇଁ ବସ୍ ଡ୍ରାଇଭର ଆଗରେ ଟ୍ରକ ଥିବା ଜାଣିନପାରି ପଛପଟୁ ଜୋରରେ ଧକ୍କା ଦେଇଥିଲେ । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ବସ୍ ସାମ୍ନାପଟ ସମ୍ପୂର୍ଣ୍ଣ ଚୁରମାର୍ ହୋଇଯାଇଛି । ଏଥିରେ ଘଟଣାସ୍ଥଳରେ ୪ ଜଣ ପୋଲିସ କର୍ମଚାରୀଙ୍କ ମୃତ୍ୟୁ ହୋଇଥିବା ବେଳେ ୧୦ରୁ ଅଧିକ ଗୁରୁତର ଆହତ ହୋଇଛନ୍ତି ।