THE BYAPINI

ମଜୁରିରେ ଆସି ଟଙ୍କା ବଦଳାଉଛନ୍ତି ଲୋକ!

Get real time updates directly on you device, subscribe now.

ଭୁବନେଶ୍ବର: ଦିନ ୧୦ଟା ବାଜୁ ବାଜୁ ଭାରତୀୟ ରିଜର୍ଭ ବ୍ୟାଙ୍କ ଆଞ୍ଚଳିକ କାର୍ଯ୍ୟାଳୟ ସମ୍ମୁଖରେ ଦୁଇ ହଜାର ଟଙ୍କିଆ ବଦଳ ପାଇଁ ଲମ୍ବା ଲାଇନ୍‌ ଲାଗିଯାଉଛି। ଲାଇନ୍‌ରେ ଠିଆ ହୋଇଥିବା ଅନେକ ଲୋକ ଦିନ ମଜୁରିଆ ଶ୍ରେଣୀର। ଲୋକ ମଜୁରିରେ ଆସି ହଜାର ହଜାର ଟଙ୍କା ବଦଳାଉଥିବାରୁ ସନ୍ଦେହ ବଢିବାରେ ଲାଗିଛି। କିଏ କହୁଛି ମୁଁ ମୋ ଝିଅ ବାହାଘର ପାଇଁ ଟଙ୍କା ରଖିଥିଲି। ତ କିଏ କହୁଛି ମୁଁ ତ ବେଶି ପାଠ ପଢ଼ିନାହିଁ; ଟଙ୍କା ବଦଳକଥା ଜାଣିପାରି ନଥିଲି। ଏଭଳି ଧାଡ଼ିରେ ଠିଆ ହୋଇଥିବା ଲୋକ ଅନେକ କଥା କହୁଥିଲେ ବି ଏ ଟଙ୍କା କାହାର ସେ ନେଇ ସନ୍ଦେହ ବଢ଼ିବାରେ ଲାଗିଛି।

ଆର୍‌ବିଆଇ ଭୁବନେଶ୍ୱର ଆଞ୍ଚଳିକ କାର୍ଯ୍ୟାଳୟ ନିର୍ଦ୍ଦେଶକ କହିଛନ୍ତି ଯେ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶାନୁଯାୟୀ ୨ ହଜାର ଟଙ୍କିଆ ନୋଟ୍‌ ବଦଳ ଓ ଜମା ପାଇଁ ବ୍ୟବସ୍ଥା ଅଛି। ତେଣୁ ପ୍ରତିଦିନ ଏଠାକୁ ପାଖାପାଖି ୨ କୋଟି ଟଙ୍କାର ୨ ହଜାର ଟଙ୍କିଆ ନୋଟ ଆସୁଛି। ସେଥିରୁ ପ୍ରାୟ ୯୫ ଭାଗ ବଦଳ ହେଉଛି ଓ ମାତ୍ର ୫% ଆକାଉଣ୍ଟରେ ଜମା ହେଉଛି। ନିୟମ ଅନୁଯାୟୀ ଜଣେ ବ୍ୟକ୍ତି ଥରକେ ୧୦ଟି ଦୁଇ ହଜାର ଟଙ୍କିଆ ନୋଟ୍‌ ଅର୍ଥାତ ୨୦ ହଜାର ଟଙ୍କା ବଦଳ କରିପାରିବ। ତେବେ ସେ ଦିନକରେ କେତେଥର ବଦଳାଇବେ ସେ ନେଇ କୌଣସି ନିର୍ଦ୍ଦିଷ୍ଟ କଟକଣା ନାହିଁ। କିନ୍ତୁ ସେ ନିଜ ଆକାଉଣ୍ଟରେ ଚାହିଁଲେ ଇଚ୍ଛା ମୁତାବକ ୨ ହଜାର ଟଙ୍କିଆ ଜମା କରିପାରିବ। ଏଥିପାଇଁ ଗୋଟିଏ ନିର୍ଦ୍ଦିଷ୍ଟ ଫର୍ମରେ ବ୍ୟାଙ୍କର ତଥ୍ୟସହ ପ୍ୟାନ୍‌, ଆଧାର, ଭୋଟର ଆଇଡି ଆଦି ଦେଇ ଟଙ୍କା ଜମାକରିବେ। ୨ରୁ ୩ଦିନ ମଧ୍ୟରେ ସେମାନଙ୍କ ଆକାଉଣ୍ଟକୁ ଟଙ୍କା କ୍ରେଡିଟ୍‌ ହୋଇଯିବ। ଆକାଉଣ୍ଟରେ ଜମା ପାଇଁ ସ୍ବତନ୍ତ୍ର କାଉଣ୍ଟର ରହିଛି। ତେବେ ଦୈନିକ କିଏ କେତେ ଟଙ୍କା ବଦଳ କଲେ? କିଏ କେତେ ଟଙ୍କା ଜମା କରିଛନ୍ତି? ତା’ର ତଥ୍ୟ ରେକର୍ଡ କରାଯାଉଛି।

Get real time updates directly on you device, subscribe now.

Leave A Reply

Your email address will not be published.