THE BYAPINI

ମଦ , ଗଞ୍ଜେଇ କି ବ୍ରାଉନସୁଗାର ନୁୁୁହେଁ ଏବେ କଫ୍ ସିରପ୍ ଚୋରା ଚାଲଣ ରୋକିବା ଅବକାରୀ ବିଭାଗ ପାଇଁ ଚ୍ୟାଲେଞ୍ଜ

Get real time updates directly on you device, subscribe now.

ଭୁବନେଶ୍ବର: ରାଜ୍ୟରେ ଦିନକୁ ଦିନ ମାଡ଼ିବାରେ ଲାଗିଛି କଫ୍ ସିରପ ଚୋରା ଚାଲଣ । ଶହ ଶହ ଲିଟର କଫ୍ ସିରପ୍ ଜବତ ହେଉଥିଲେ ମଧ୍ୟ ଏହି କାରବାର କରୁଥିବା ବ୍ୟକ୍ତିଙ୍କ ଉପରେ ଏହାର କୌଣସି ପ୍ରଭାବ ପଡ଼ୁନି। ବ୍ରାଉନସୁଗାର, ମଦ ଭଳି ଯୁବପିଢ଼ିମାନେ କଫ୍ ସିରପ୍ ସେବନ କରୁଛନ୍ତି। କଟକ, ଭୁବନେଶ୍ବର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ବାଲେଶ୍ବର ସମେତ ବିଭିନ୍ନ ଅଞ୍ଚଳରେ ନିଶା ପାଇଁ କଫ୍ ସିରପ୍ ବ୍ୟବହାର କରୁଛନ୍ତି। ବିଶେଷ କରି ବରଗଡ଼, ବଲାଙ୍ଗୀର ଓ ସମ୍ବଲପୁରରେ ସର୍ବାଧିକ ଚୋରା କାରବାର ଚାଲିଥିବା ଜଣାପଡ଼ିଛି। ପ୍ରାୟ ଅଢ଼େଇ ବର୍ଷ ଭିତରେ ରାଜ୍ୟରୁ ମୋଟ୍ ୨୧୮୮ ଲିଟର କଫ୍ ସିରପ୍ ଜବତ କରାଯାଇଥିବା ଜଣାପଡ଼ିଛି। ଅବକାରୀ ବିଭାଗ ତଥ୍ୟ ଅନୁସାରେ, ୨୦୨୧-୨୨ ବର୍ଷରେ ରାଜ୍ୟରୁ ୬୩୦ ଲିଟର କଫ୍ ସିରପ୍ ଜବତ କରାଯାଇଥିଲା। ସେହିପରି ୨୦୨୨-୨୩ରେ ପ୍ରାୟ ଦୁଇ ଗୁଣା ପାଖାପାଖି ବୃଦ୍ଧି ପାଇ ୧୧୨୪ ଲିଟର ଓ ୨୦୨୩-୨୪ ଅଗଷ୍ଟ ସୁଦ୍ଧା ୪୩୪ ଲିଟର ଜବତ କରିଛି ଅବକାରୀ ବିଭାଗ। ୨୦୨୧-୨୨ ବର୍ଷରେ ବରଗଡ଼ ଜିଲ୍ଲାରୁ ୮୭.୯ ଲିଟର, ଖୋର୍ଦ୍ଧାରୁ ୧୦୦ ଲିଟର, ନୂଆପଡ଼ାରୁ ୪୯.୬ ଲିଟର, ସମ୍ବଲପୁରରୁ ୨୮୭ ଲିଟର ଜବତ ହୋଇଛି। ସେହିପରି ୨୦୨୨-୨୩ରେ ବରଗଡ଼ରୁ ୪୧୮ ଲିଟର, ବଲାଙ୍ଗୀରରୁ ୧୨୭ ଲିଟର, କଟକରୁ ୧୯୨ ଲିଟର, ନୂଆପଡ଼ାରୁ ୮୦ ଓ ସମ୍ବଲପୁରରୁ ୨୧୫ ଲିଟର କଫ୍ ସିରପ୍ ଜବତ କରାଯାଇଛି। ୨୦୨୩-୨୪ ବର୍ଷ ଅଗଷ୍ଟ ସୁଦ୍ଧା ବରଗଡ଼ରୁ ୯୮, ସମ୍ବଲପୁରରୁ ୧୭୫ ଲିଟର ଜବତ କରିଛି ଅବକାରୀ ଟିମ୍।

ଚଳିତବର୍ଷ ମେ ମାସରେ ଭୁବନେଶ୍ବର ବରମୁଣ୍ଡା ବସଷ୍ଟାଣ୍ଡରୁ ୨୪୦୦ ବୋତଲ କଫ୍ ସିରପ୍ ଜବତ କରାଯାଇଥିଲା ବେଳେ ଚଳିତ ମାସ ବଲାଙ୍ଗୀର-ସମ୍ବଲପୁର ରାସ୍ତାରୁ ୪ ହଜାର ବୋତଲ କଫ୍ ସିରଫ୍ ଜବତ କରି ୬ ଜଣଙ୍କୁ ଗିରଫ କରିଥିଲା ବଲାଙ୍ଗୀର ପୁଲିସ। ଟ୍ରେନରେ ଚାଲାଣ ବେଳେ ରାଉରକେଲାରୁ ଅବକାରୀ ବିଭାଗ ଦୁଇ ଜଣଙ୍କୁ ଗିରଫ କରିବା ସହ ୩୪୬ ବୋତଲ, ସମ୍ବଲପୁର ପୁଲିସ ଝାଙ୍କରପଡ଼ାରୁ ୩୨ ଜଣଙ୍କୁ ଗିରଫ କରି ୫୪୦୦ ବୋତଲ ଜବତ କରିଥିଲା। ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ ଓ ଛତିଶଗଡ଼ରୁ ଏହି ନିଷିଦ୍ଧ ନିଶାଯୁକ୍ତ କଫ୍ ସିରପ୍ ଓଡ଼ିଶାକୁ ଚାଲାଣ ହେଉଛି। ଛତିଶଗଡ଼ ପଟୁ ବରଗଡ଼ ଓ ନୂଆପଡ଼ା ଜିଲ୍ଲା ଦେଇ ସମ୍ବଲପୁର, ବଲାଙ୍ଗୀର ଆଦି ଅଞ୍ଚଳକୁ ବିପୁଳମାତ୍ରାରେ ଚାଲାଣ ହେଉଛି। ସେହିପରି ଝାଡ଼ଖଣ୍ଡ ପଟୁ ରାଉରକେଲା ଦେଇ ପଶ୍ଚିମ ଓଡ଼ିଶାର ବିଭିନ୍ନ ସ୍ଥାନକୁ ଚାଲାଣ କରାଯାଉଥିବା ଜଣାପଡ଼ିଛି। ପଶ୍ଚିମବଙ୍ଗରୁ ବାଲେଶ୍ବର ଦେଇ ପୂର୍ବ, ମଧ୍ୟ ଓଡ଼ିଶା ସମେତ ବିଭିନ୍ନ ସ୍ଥାନକୁ ନିଷିଦ୍ଧ କଫ୍ ସିରପ୍ ଚାଲାଣ କରାଯାଉଛି। ବ୍ରାଉନସୁଗାର ଭଳି କଫ୍ ସିରପ୍ ଚୋରା ଚାଲଣ ରୋକିବା ଏବେ ଏସଟିଏଫ୍, ପୁଲିସ ଓ ଅବକାରୀ ବିଭାଗ ପାଇଁ ଚ୍ୟାଲେଞ୍ଜ ହୋଇ ପଡ଼ିଛି।

Get real time updates directly on you device, subscribe now.

Leave A Reply

Your email address will not be published.