THE BYAPINI

ମହାପ୍ରସାଦର ମାହାତ୍ମ୍ୟ

Get real time updates directly on you device, subscribe now.


ମହାପ୍ରସାଦ । ଏହି ନାମରେ ହିଁ ରହିଛି ବଡ ଆକର୍ଷଣ । ବିଶ୍ୱ ବ୍ରହ୍ମାଣ୍ଡରେ ହିନ୍ଦୁଶାସ୍ତ୍ର ଅନୁମୋଦିତ ପବିତ୍ର ବସ୍ତୁ ହେଉଛି ଗଙ୍ଗାଜଳ, ବ୍ରଜଧୂଳି ଓ ମହାପ୍ରସାଦ । ଶ୍ରୀ ଜଗନ୍ନାଥ ତତ୍ୱରେ ମହାପ୍ରସାଦର ମାହାତ୍ମ୍ୟ ଅସାଧାରଣ ଗୁରୁତ୍ୱ ବହନ କରୁଛି ।
ଶ୍ରୀ ଜଗନ୍ନାଥ ବଡ଼ଠାକୁର ତାଙ୍କ ଦେଉଳ ବଡଦେଉଳ । ଜଗାର ଡୋରି ଲାଗିଲେ ହିଁ ଭକ୍ତଙ୍କୁ ତାଙ୍କର ଦର୍ଶନ ମିଳେ ବୋଲି ଯେମିତି ଦୃଢ଼ ବିଶ୍ୱାସ ରହିଛି ଠିକ୍‌ ସେମିତି ଭାଗ୍ୟରେ ଥିଲେ ହିଁ ମହାପ୍ରସାଦ ପ୍ରାପ୍ତିର ସୌଭାଗ୍ୟ ମିଳିଥାଏ ବୋଲି ଜନମତ ରହିଛି । ଏହି ନୈବେଦ୍ୟ ମାଆ ମହାଲକ୍ଷ୍ମୀ, ମାଆ ବିମଳା ଓ ମାଆ ଦକ୍ଷିଣ କାଳୀଙ୍କ ଦ୍ୱାରା ପ୍ରସ୍ତୁତ କରାଯାଏ ବୋଲି ବିଶ୍ୱାସ ରହିଛି । ସମଗ୍ର ବିଶ୍ୱରେ ସମସ୍ତ ଦେବାଦେବୀଙ୍କୁ ଅର୍ପିତ ହୋଇଥିବା ଭୋଗକୁ ପ୍ରସାଦ କୁହାଗଲାବେଳେ ଶ୍ରୀ ଜଗନ୍ନାଥଙ୍କୁ ଅର୍ପିତ ଭୋଗକୁ ମହାପ୍ରସାଦ କୁହାଯାଏ । ଏହି ମହାପ୍ରସାଦ ସେବନର ମାହାତ୍ମ୍ୟ ହେଉଛି ଏହାସର୍ବଦା ସେବନକାରୀକୁ ଆତ୍ମତୃପ୍ତି ଓ ଶାନ୍ତି ପ୍ରଦାନ କରିଥାଏ । ଏହି ମହାପ୍ରସାଦର ସ୍ୱାଦ ଯେଭଳି ଅନନ୍ୟ ସେହିଭଳି ଏହାର ପ୍ରସ୍ତୁତି ପ୍ରଣାଳୀ ମଧ୍ୟ ସ୍ୱତନ୍ତ୍ର । ଏହା ଯେଉଁଠାରେ ପ୍ରସ୍ତୁତ କରାଯାଏ ତାହାକୁ ପୃଥିବୀର ସର୍ବବୃହତ୍‌ ରୋଷଶାଳା ମଧ୍ୟ କୁହାଯାଏ । କେବଳ କାଠ ଜାଳେଣୀ ବ୍ୟବହାର କରି ଏହାକୁ ରନ୍ଧାଯାଏ । ମହାପ୍ରସାଦ ମାଟି କୁଡୁଆ ଗୁଡିକରେ ରନ୍ଧାଯାଏ ଯେଉଁ କୁଡୁଆ ଗୁଡିକ କେବଳ କଳା ଓ ନାଲି ମାଟିରେ ପ୍ରସ୍ତୁତ ହାଣ୍ଡିରୁ ହିଁ ନିର୍ମାଣ କରାଯାଇଥାଏ । ମହାପ୍ରସାଦ ମୁଖ୍ୟତଃ ବାମ୍ଫ ଦ୍ୱାରା ହିଁ ପ୍ରସ୍ତୁତ ହୋଇଥାଏ ।
ରୋଷଶାଳାରେ ଛଅଟି ଶିଖାଥିବା ଚୁଲିରେ ପ୍ରଥମ ଥାକରେ ୫ଟି ହାଣ୍ଡି, ଦ୍ୱିତୀୟ ଥାକରେ ତିନୋଟି ହାଣ୍ଡି ଓ ତୃତୀୟ ଥାକରେ ଗୋଟିଏ ହାଣ୍ଡି ରଖି ଖାଦ୍ୟ ପ୍ରସ୍ତୁତ ହୋଇଥାଏ । ପ୍ରଥମେ ପାଳିଆ ପୂଜାପଣ୍ଡାଙ୍କ ଦ୍ୱାରା ରୋଷଘର ହୋମ ହୋଇଥାଏ । ପରେ ସୂପକାର ସେବାୟତ ପାଟିରେ ପଟି ବାନ୍ଧି , ଶୁଦ୍ଧପୂତ ଭାବରେ ମନ୍ତ୍ର ଉଚ୍ଚାରଣପୂର୍ବକ ହାଣ୍ଡିକୁ ଧୌତ କରିଥାନ୍ତି । ଏହାପରେ ଦଶାକ୍ଷୀର ମନ୍ତ୍ରରେ ଅରୁଆ ଚାଉଳ (ଅମୁଣିହା) ହାଣ୍ଡିରେ ପକାଇ ଥାଆନ୍ତି । ଲକ୍ଷ୍ମୀ ବିଜ ସ୍ମରଣ କରି ଚାଉଳ ହାଣ୍ଡିରେ ପକାଇଥାଆନ୍ତି । ଏହି ପ୍ରସାଦର ଷଡଙ୍ଗସଂସ୍କାର କରାଯାଇ ଅନ୍ନତ୍ୱର ବିଲୋପ କରାଯାଇ ବ୍ରହ୍ମତ୍ୱର ରୋପଣ କରାଯାଉଥିବାରୁ ଏହାକୁ ମହାପ୍ରସାଦ କୁହାଯାଏ । ଏହି ଷଡଙ୍ଗ ସଂସ୍କାରଗୁଡିକ ହେଉଛି ୧-ମହାଲକ୍ଷ୍ମୀଙ୍କ ଦ୍ୱାରା ବୈଷ୍ଣବାଗ୍ନିରେ ରନ୍ଧନ । ୨-ଶ୍ରୀଯନ୍ତ୍ର ଠାଆ ମୁରୁଜରେ ନୈବେଦ୍ୟ ନିମନ୍ତେ ସ୍ୱର୍ଣ୍ଣମୟ ପାତ୍ରରେ ପରିବେଷଣ,୩-ନୃସିଂହ ମନ୍ତ୍ର ନିବେଦନ୪-ଅଷ୍ଟ ଦଶାକ୍ଷର ଗୋପାଳ ମନ୍ତ୍ରର ନିବେଦନ୫-ଭୈରବୀ ଚକ୍ରରେ ଉଚ୍ଛିଷ୍ଟ ଭୈରବୀ ବିମଳାଙ୍କୁ ଅର୍ପଣ, ୬-ଅଷ୍ଟ ସାତ୍ୱିକ ବୈଷ୍ଣବଙ୍କୁ ଅବଶେଷ ଅନ୍ନବଳି ପ୍ରଦାନ । ତେବେ ତାନ୍ତ୍ରିକ ମତବାଦରେ ମହାପ୍ରସାଦ ୧୧ଟି ସଂସ୍କାର ମାଧ୍ୟମରେ ହୋଇଥାଏ ।
୧- ଚାଉଳକୁ ଅମୁଣିଆଁ କୁହାଯାଏ, ୨- ରନ୍ଧାଯିବା ପରେ ସେହି ଚାଉଳ ଅନ୍ନରେ ପରିଣତ ହୁଏ । ୩- ସେହି ଅନ୍ନ ଭୈରବୀ ଚକ୍ର ଅଭିମୁଖେ ହେଲେ ତାକୁ ଛେକ କୁହାଯାଏ, ୪- ଛେକ ଭୈରବୀ ଚକ୍ରରେ ସଂସ୍ଥାପିତ ହେଲେ ତାକୁ ଭୋଗ କୁହାଯାଏ, ୫- ଶ୍ରୀ ଜୀଉଙ୍କୁ ଅର୍ପଣ ହେଲେ ତାହା ନୈବେଦ୍ୟରେ ପରିଣତ ହୁଏ ।୬- ନୈବେଦ୍ୟ ବଳୀ ଅର୍ପଣ ହେଲେ ତାହା ପ୍ରସାଦ, ୭-ସେହି ପ୍ରସାଦ ମାଆ ବିମଳାଙ୍କୁ ଅର୍ପଣ ହେଲେ ତାହା ମହାପ୍ରସାଦ, ୮- ତାହା ପାଂଚ ପରମେଶ୍ୱରଙ୍କୁ ଦୃଷ୍ଟି ପଥାରୁଢ଼ ହୋଇ ମୋକ୍ଷ ପ୍ରଦାନ କଲେ କୈବଲ୍ୟ, ୯- ସେହି କୈବଲ୍ୟ ଜାତି ବର୍ଣ୍ଣ ଧର୍ମ ନିର୍ବିଶେଷରେ ଲୋକ ସେବନ କଲେ ଅବଢ଼ା, ୧୦ -ଅବଢ଼ାରୁ ନିର୍ମାଲ୍ୟ ଏବଂ ଏହି ୧୧-ନିର୍ମାଲ୍ୟ ପରଂବ୍ରହ୍ମଙ୍କ ସହିତ ସମାନ ହୋଇ ଉଦ୍ଧ୍ୱର୍ରେ ସଂସ୍ଥିତ ହୋଇଥାଏ । ଏହି ୧୧ଟି ସଂସ୍କାରରେ ରୂପାନ୍ତରିତ ହୋଇ ମହାପ୍ରସାଦ ମାନବ ଜାତି ପାଇଁ ଏକ ଅମୂଲ୍ୟ ସମ୍ପଦରେ ପରିଣତ ହୋଇଥାଏ ବୋଲି ବିଶ୍ୱାସ ରହିଛି ।

Get real time updates directly on you device, subscribe now.

Leave A Reply

Your email address will not be published.