THE BYAPINI

ମହାମାରୀ ନମରିବା ଯାଏ ଜମା ଯିବେନି ମା: କରୋନା ନାଶିବେ, ଜଗତ ଉଦ୍ଧାରିବେ ଜଗତ ଜନନୀ

Get real time updates directly on you device, subscribe now.

() ମହାମାରୀ ମାରିବେ ମହିଷାମର୍ଦ୍ଦିନୀ। କରୋନା ବିନାଶିବେ ତ୍ରିଶୂଳଧାରିଣୀ। ସଂକ୍ରମଣ ଉପରେ ବିଜୟ ଲାଭ କରିବେ ମାଆ ସିଂହବାହିନୀ। ସାରା ବିଶ୍ୱରେ ଯେତେବେଳେ ଦାନବ ମହିଷାସୁରର ଅତ୍ୟାଚାର ଚାଲିଥିଲା, ସବୁଠି ଆତଙ୍କର କୋକୁଆ ଭୟ ଖେଳିଯାଇଥିଲା ଠିକ୍ ସେତିକିବେଳେ ରାକ୍ଷସ ଛାତିରେ ତ୍ରିଶୂଳ ଭୁସି ବଦ୍ଧ କରିଥିଲେ ମାଆ ଦୁର୍ଗା । ଆଉ ସାରା ଜଗତକୁ କରିଥିଲେ ଉଦ୍ଧାର। ସେହିପରି ଏବେ ମହାମାରୀ କବଳରୁ ରକ୍ଷା କରିବାକୁ ମହିଷାସୁରକୁ ମାରିବା ପରି କରୋନାକୁ ନାଶି ଏ ଦୁନିଆରୁ ତଡି ଦେବାକୁ ତ୍ରାହି ତ୍ରାହି ଡାକୁଛି ମାନବ ଜାତି।

ପାର୍ବଣର ଋତୁରେ ମାଆଙ୍କ ଆରାଧନା କରି ଦେବୀ ଦୁର୍ଗାଙ୍କ କାନରେ କରୋନାର କରାଳ ରୂପ କଥା କହିଛି ଏ ଜଗତ। ମାଆ ଏ ବିପଦରୁ ରକ୍ଷା କର… ସଂକ୍ରମଣର ଏ ସାଙ୍ଘାତିକ ସ୍ଥିତିରୁ ସଂସାରକୁ ପାରି କର। ତୋ ଆଗମନୀରେ ଛିଡିଯାଉ ଏ ସଂକ୍ରମଣର ଶୃଙ୍ଖଳ, ଭାଙ୍ଗିଯାଉ କରୋନାର ଦୁର୍ଗ। ଖଡ୍ଗରେ ଖଣ୍ଡ ଖଣ୍ଡ ହେଉ ମହାମାରୀ ମୁଣ୍ଡ, ମାଟିରେ ମିଶୁ ମହାମାରୀର ମହାରୂପ। ମାଆଙ୍କ ଆଗରେ ଆରୋଗ୍ୟ କାମନା କରି ଏହି ଗୁହାରୀ କରିଛି ପୂରା ବିଶ୍ବ।

ତେବେ ସେପ୍ଟେମ୍ବର ଅପେକ୍ଷା ଅକ୍ଟୋବରରେ ସଂକ୍ରମଣର ଶକ୍ତ ଚେନ ଟିକେ ଢିଲା ହୋଇଛି। କରୋନାର ମିଟର କଣ୍ଟା ଟିକେ ତଳକୁ ଖସିଛି। ପୂରା ଭାରତ କଥା ଦେଖିଲେ କରୋନାରୁ ସୁସ୍ଥହାର ଅଧିକ ବଢୁଛି। ସମାନ ସ୍ଥିତିରେ ଓଡିଶାରେ ବି ସଂକ୍ରମଣ କମିଛି। ପୂର୍ବରୁ ହୁ ହୁ ହୋଇ ପଜିଟିଭ ସଂଖ୍ୟା ଯେମିତି ବଢୁଥିଲା ଏବେ ପଜିଟିଭିଟି ରେଟ୍ ଆଶାନୁରୂପ ହ୍ରାସ ପାଇଛି। ଗତ ତିନି ଚାରି ଦିନର ରିପୋର୍ଟକୁ ଯଦି ଅନୁଧ୍ୟାନ କରାଯାଏ ତେବେ ସାରା ଓଡ଼ିଶାରେ ୧୫୦୦ ଭିତରେ ପଜିଟିଭ ରେଟ ରହୁଛି ଅର୍ଥାତ ଗତ କିଛି ଦିନ ହେବ ୨୦୦୦ ଡେଇଁନି ପଜିଟିଭ ସଂଖ୍ୟା।

ସେହିପରି ଆକ୍ରାନ୍ତଙ୍କ ଠାରୁ ଅଧିକ ହେଉଛି ସୁସ୍ଥଙ୍କ ସଂଖ୍ୟା। ଗତ ୪ ଦିନର ସୁସ୍ଥତା ହାରକୁ ଦେଖିଲେ ସବୁଦିନ ସୁସ୍ଥଙ୍କ ସଂଖ୍ୟା ଦୁଇ ହଜାର କିମ୍ବା ଅଢେଇ ହଜାର ଡେଇଁଛି। ଏବେ ସାରା ରାଜ୍ୟରେ ସୁସ୍ଥ ସଂଖ୍ୟା ୨୬୬୧୦୫ ପହଞ୍ଚିଥିବା ବେଳେ କରୁନି କରୋନା ଆକ୍ରାନ୍ତ ସଂଖ୍ୟା। ରାଜଧାନୀ ଭୁବନେଶ୍ୱରରେ ଆଶ୍ଚର୍ଯ୍ୟ କଲା ଭଳି ରିପୋର୍ଟ ଆସିଛି। ଗୋଟିଏ ଦିନରେ ମାତ୍ର ୯୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଯେଉଁଠି ଦିନକୁ ଶହ ଶହ ପଜିଟିଭ ବାହାରୁଥିଲା ସେଠି ଧିରେଧିରେ ସଂକ୍ରମଣ କରୁଥିବା ରିପୋର୍ଟ କହୁଛି। କିମ୍ବା ଲୋକେ ଟେଷ୍ଟ କରାଉ ନଥିବା ସନ୍ଦେହ ସୃଷ୍ଟି କରିଛି ।

ତେବେ ମହାମାରୀ ସହ ସାରା ବିଶ୍ୱ ମୁକାବିଲା କରୁଥିବା ବେଳେ ବଡ ଭୁମିକା ଗ୍ରହଣ କରିଛନ୍ତି ମହିଳା କରୋନା ଯୋଦ୍ଧାମାନେ। ରାସ୍ତାଘାଟ, ମେଡିକାଲ, ପୋଲିସ ଷ୍ଟେସନ ସବୁଠି ମାଆ ଦୁର୍ଗା ସେମାନଙ୍କ ରୂପରେ ମହାମାରୀ ସହ ଲଢେଇ କରୁଛନ୍ତି। ଆଉ ମାଆ ସେତେଦିନ ଯାଏ ଏମିତି ରୂପରେ ଥିବେ ଯେତେଦିନ ଯାଏଁ କରୋନା ସମ୍ପୂର୍ଣ୍ଣ ମରିନଥିବ। ଆଶା ଖୁବଶୀଘ୍ର ମାଆ ଦୁର୍ଗା କରୋନା ନାଶିବେ…

Get real time updates directly on you device, subscribe now.

Leave A Reply

Your email address will not be published.