THE BYAPINI

ମହିଳାମାନଙ୍କ ସଶକ୍ତୀକରଣ ସମାଜକୁ ସଶକ୍ତ କରେ: ମୁଖ୍ୟମନ୍ତ୍ରୀ

Get real time updates directly on you device, subscribe now.

ଭୁବନେଶ୍ବର: ଏ ବର୍ଷର ‘କୃଷି ଓଡିଶା’ କାର୍ୟ୍ୟକ୍ରମ ରାଜ୍ୟର ମହିଳା ଚାଷୀଙ୍କ ପାଇଁ ସମର୍ପିତ। ଏହା କୃଷି କ୍ଷେତ୍ରରେ ମହିଳା ମାନଙ୍କ ଅବଦାନକୁ ସମ୍ମାନ ଜଣାଇବା ସହ ସେମାନଙ୍କୁ ଉତ୍ସାହିତ କରିବ। କୃଷି ଉଦ୍ୟୋଗ କ୍ଷେତ୍ରରେ ମଧ୍ୟ ସେମାନଙ୍କ ପାଇଁ ସୁଯୋଗ ରହିଛି। କୃଷି ଉଦ୍ୟୋଗ ଯୋଜନା, ମିଲେଟ୍‌ ମିସନ, କଫି ମିସନର ସୁଯୋଗ ନିଅନ୍ତୁ। ଜନତା ମୈଦାନରେ ଆୟୋଜିତ କୃଷି ଓଡ଼ିଶା-୨୦୨୪ କାର୍ୟ୍ୟକ୍ରମର ଉଦ୍‌ଘାଟନ ଅବସରରେ ଏଭଳି ବକ୍ତବ୍ୟ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେ କହିଥିଲେ ଯେ ମହିଳାମାନଙ୍କ ସଶକ୍ତୀକରଣ କେବଳ ଏକ ପରିବାରକୁ ନୁହେଁ, ବରଂ ସମାଜକୁ ସଶକ୍ତ କରେ। ଏହା ରାଜ୍ୟ ସରକାରଙ୍କ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କାର୍ୟ୍ୟକ୍ରମ। ମିସନ ଶକ୍ତି ଜରିଆରେ ମହିଳାମାନେ ବିକାଶର ସବୁ କ୍ଷେତ୍ରରେ ସହଭାଗୀ ହୋଇପାରିଛନ୍ତି।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଭବନ ଏବଂ ଇମେଜର ନୂଆ କ୍ୟାମ୍ପସ ପାଇଁ ଭିତ୍ତି ରଖିଥିଲେ। ଶିରିପୁରଠାରେ ପ୍ରତିଷ୍ଠା କରାଯାଉଥିବା ଏହି କ୍ୟାମ୍ପସରେ ୧୧୩ କୋଟି ଟଙ୍କା ବିନିଯୋଗ କରାଯିବ। କୃଷି ସଂପ୍ରସାରଣର କ୍ଷେତ୍ରରେ ଏହା ଏକ ସେଣ୍ଟର ଅଫ ଏକ୍ସଲେନ୍ସ ଭାବରେ କାମ କରିବ। ସେହିପରି କୃଷି ଉଦ୍ୟୋଗ ଭବନ ନୂଆପଲ୍ଲୀଠାରେ ପ୍ରତିଷ୍ଠା କରାଯିବ। ଏଥିପାଇଁ ୨୮ କୋଟି ଟଙ୍କା ବିନିଯୋଗ କରାଯିବ। କୃଷି ଉଦ୍ୟୋଗ କ୍ଷେତ୍ରରେ ଏହା ରାଜ୍ୟର ଚାଷୀମାନଙ୍କୁ ପ୍ରୋତ୍ସାହନ ଯୋଗାଇଦେବ। କାର୍ୟ୍ୟକ୍ରମରେ ମୁଖ୍ୟମନ୍ତ୍ରୀ କୃଷି ବୈଜ୍ଞାନିକ ସ୍ବାତୀ ନାୟକଙ୍କୁ ସମ୍ମାନିତ କରାଯାଇଥିଲା। କୃଷି ଯନ୍ତ୍ରପାତି ପ୍ରୋତ୍ସାହନ ଯୋଜନାରେ ୧୦ ସଫଳ ମହିଳା ଚାଷୀଙ୍କ ସମେତ ୧୭ ଜଣଙ୍କୁ ପୁରସ୍କୃତ କରାଯାଇ ଥିଲା। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଓଡିଶା ରାଜ୍ୟ ସମବାୟ ବ୍ୟାଙ୍କର କୃଷି ଋଣ ମଡ୍ୟୁଲ୍‌ର ସଫଳ ପୋର୍ଟାଲର ଶୁଭାରମ୍ଭ କରିଥିଲେ।
କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଥିଲେ, ୧୯୯୯ରେ କୃଷି କ୍ଷେତ୍ରରେ ରାଜ୍ୟ ସରକାରଙ୍କ ବ୍ୟୟ ରାଜ୍ୟ ବଜେଟ୍‌ର ମାତ୍ର ୪.୬୬ ପ୍ରତିଶତ ଥିଲା। ଆଜି ଏହା ୧୧ ପ୍ରତିଶତ ହୋଇପାରିଛି। ମହିଳା ଚାଷୀମାନଙ୍କୁ ପ୍ରୋତ୍ସାହିତ କରିବା ପାଇଁ ୧୦୦ କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି। ମହିଳା ଓ ଶିଶୁ ବିକାଶ ତଥା ମିସନ ଶକ୍ତି ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ କହିଥିଲେ ଯେ କ୍ଷେତରୁ ଆରମ୍ଭକରି ଖାଦ୍ୟଥାଳି ପର୍ୟ୍ୟନ୍ତ ମହିଳାମାନେ କୃଷି କ୍ଷେତ୍ରରେ ସେମାନଙ୍କର ବଳିଷ୍ଠ ଯୋଗଦାନ ରଖିଛନ୍ତି। କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢୀ ସ୍ୱାଗତ ଭାଷଣ ଏବଂ କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶକ ପ୍ରେମ ଚନ୍ଦ୍ର ଚୌଧୁରୀ ଧନ୍ୟବାଦ ଦେଇଥିଲେ। ଉନ୍ନୟନ କମିସନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ଓ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। କାର୍ୟ୍ୟକ୍ରମରେ ୫୦୦୦ ମହିଳା, ୨୦୦୦ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟା, କୃଷି ଉଦ୍ୟୋଗୀ, କୃଷି ବିଶେଷଜ୍ଞ ଓ ଅନ୍ୟ ଅଂଶୀଦାରମାନେ ସାମିଲ ହୋଇଛନ୍ତି ।

Get real time updates directly on you device, subscribe now.

Leave A Reply

Your email address will not be published.