ସମ୍ବଲପୁର: ପଶ୍ଚିମ ଓଡିଶାର ଗଣପର୍ବ ନୂଆଁଖାଇ ପାଇଁ ଉତ୍ସବମୁଖର ହୋଇ ଉଠିଛି ପୁରପଲ୍ଲୀ । ଆଜି ସମ୍ବଲପୁରରେ ଅଧିଷ୍ଠାତ୍ରର ଦେବୀ ମା’ ସମଲେଇଙ୍କଠାରେ ପୂର୍ବ ନିର୍ଦ୍ଧାରିତ ଶୁଭ ଲଗ୍ନ ଅନୁସାରେ ସକାଳ ୧୦ଟା ୨୭ରୁ ୧୦ଟା ୪୨ ମଧ୍ୟରେ ନବାହ୍ନ ଅର୍ପଣ ହୋଇଥିଲା । ନିର୍ଦ୍ଧାରିତ ଲଗ୍ନରେ ମା’ ସମଲେଶ୍ୱରୀଙ୍କ ଠାରେ ନବାନ୍ନ ଲାଗି ହେବା ପରେ ମା’ଙ୍କ ନିକଟରେ ଲାଗିଥିବା ନୂଆ ଚାଉଳ ସ୍ୱରୂପ ପ୍ରସାଦ ନେଇ ଲୋକ ନିଜ ଘରକୁ ଯାଇଥିଲେ । ଏହାପରେ ନିଜ ନିଜ ଘରେ ଲୋକେ ନୂଆ ଖାଇଛନ୍ତି । ପଶ୍ଚିମ ଓଡ଼ିଶାର ଅଧିଷ୍ଠାତ୍ରୀ ମା’ ସମଲେଶ୍ୱରୀଙ୍କ ନିକଟରେ ମଧ୍ୟ ନବାନ୍ନ ଲାଗି ହୋଇଛି । ତା’ ପୂର୍ବରୁ ମୁଖ୍ୟ ପୂଜକଙ୍କ ଘରୁ ନୂଆ ଚାଉଳ ଓ ଭୋଗ ଆସିଥିଲା । ପରେ ଅନ୍ୟ ପୂଜକଙ୍କ ଘରୁ ଅନୁରୂପ ଭାବେ ଭୋଗ ଆସିଥିଲା । ସେଥିପାଇଁ ବଡି ଭୋରୁ ପୂଜକମାନଙ୍କ ପରିବାରର ମହିଳାମାନେ ସ୍ନାନ ସାରି ପୂଜା ଭୋଗ, ପିଠା ଓ ଖିରି ଭଳି ସ୍ୱାଦିଷ୍ଟ ବ୍ୟଞ୍ଜନ ପ୍ରସ୍ତୁତ କରିଥିଲେ । ମା’ ସମଲେଇଙ୍କ ନିକଟରେ ନବାନ୍ନ ଲାଗି ହେବା ପରେ ମହା ଆଳତୀ ହୋଇଥିଲା । ମନ୍ଦିର ଭିତରେ ଓ ବାହାରେ ଅନ୍ୟ ପାର୍ଶ୍ୱ ଦେବାଦେବୀଙ୍କଠାରେ ନବାହ୍ନ ଲାଗି ହୋଇଥିଲା । ମନ୍ଦିରର ମୁଖ୍ୟ ଫାଟକ ଖୋଲିବା ପରେ ପୂର୍ବରୁ ଅପେକ୍ଷା କରିଥିବା ଶହ ଶହ ଶ୍ରଦ୍ଧାଳୁ ମନ୍ଦିର ଭିତରକୁ ପ୍ରବେଶ କରି ମା’ଙ୍କ ଦର୍ଶନ କରି ଆଶୀର୍ବାଦ ନେଇଥିଲେ ।
ପବିତ୍ର ନୂଆଖାଇ ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପଶ୍ଚିମ ଓଡିଶାବାସୀଙ୍କୁ ଟୁଇଟ୍ କରି ନୂଆଁଖାଇ ଅଭିନନ୍ଦନ ଜଣାଇଛନ୍ତି । ସେହିଭଳି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ରାଜ୍ୟବାସୀଙ୍କୁ ନୂଆଖାଇ ଶୁଭେଚ୍ଛା ଜଣାଇଛନ୍ତି । ପଶ୍ଚିମ ଓଡିଶାର ଗଣପର୍ବ ‘ନୂଆଖାଇ’ ପାଇଁ ଆସନ୍ତା ୨୧ ତାରିଖ ଦିନ ସ୍ଥାନୀୟ ଛୁଟି ଘୋଷଣା କରାଯାଇଛି । ସମ୍ବଲପୁର, ବରଗଡ ଓ ସୁନ୍ଦରଗଡ ଉପଖଣ୍ଡରେ ମଧ୍ୟ ଛୁଟି ଘୋଷଣା କରାଯାଇଛି । ଉତ୍ତରାଞ୍ଚଳ ରାଜସ୍ୱ କମିଶନର ଆଜି ଏହି ଘୋଷଣା କରିଛନ୍ତି ।
Get real time updates directly on you device, subscribe now.

Prev Post