ଭୁବନେଶ୍ବର: ପୂର୍ବତନ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ମୁଖ୍ୟ ଉପଦେଷ୍ଟା ଭାବେ କାର୍ଯ୍ୟ କରିବେ। ମାର୍ଚ୍ଚ ୧ ତାରିଖରେ ସେ ରାଜ୍ୟ ବିଦ୍ୟୁତ୍ ନିୟାମକ ଆୟୋଗ(ଓଇଆର୍ସି) ଅଧ୍ୟକ୍ଷ ଭାବେ ଦାୟିତ୍ବ ନେଇଥିଲେ ଓ ଦୀର୍ଘ ୮ ମାସ ଧରି ଅଧ୍ୟକ୍ଷ ଦାୟିତ୍ବ ତୁଲାଇଥିଲେ। ଏହି ପଦରୁ ସେ ପଦରୁ ଇସ୍ତଫା ଦେଇଛନ୍ତି। ଏଣିକି ସେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ମୁଖ୍ୟ ଉପଦେଷ୍ଟା ଭାବେ କାର୍ଯ୍ୟ କରିବେ। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ (ସିଏମ୍ଓ) ରୁ ମିଳିଥିବା ସୂଚନା ଅନୁସାରେ ପୂର୍ବରୁ ଏହି ଦାୟିତ୍ବରେ ଥିବା ଅବସରପ୍ରାପ୍ତ ଆଇଏଏସ୍ ଅଫିସର୍ ଆର୍. ବାଲକ୍ରିଷ୍ଣନ୍ କେବଳ ମୁଖ୍ୟ ଉପଦେଷ୍ଟା (ସ୍ପେଶାଲ ଇନିସିଏଟିଭ୍ସ) ଭାବେ କାର୍ଯ୍ୟ କରିବେ। ଏଥିସହ ପୂର୍ବତନ ମୁଖ୍ୟଶାସନ ସଚିବ ଅସିତ୍ କୁମାର ତ୍ରିପାଠୀଙ୍କ ଅନୁରୋଧ କ୍ରମେ ରାଜ୍ୟ ସରକାର ମୁଖ୍ୟମନ୍ତ୍ରୀଙ୍କ ଉପଦେଷ୍ଟା ଦାୟିତ୍ବରୁ ତାଙ୍କୁ ମୁକ୍ତ କରିଛନ୍ତି। ସେ ଏବେ କେବଳ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ଭାବେ କାର୍ଯ୍ୟ କରିବେ।