ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ସ୍ୱଚ୍ଛ ଭାରତ ଯୋଜନାରେ କୋଟି କୋଟି ଟଙ୍କା ଦେଉଛନ୍ତି, କିନ୍ତୁ ଓଡ଼ିଶାରେ ତାହାର କୌଣସି ସୁଫଳ ମିଳୁନାହିଁ । ମୁଖ୍ୟମନ୍ତ୍ରୀ ନବୀନ ବାବୁ ଭୁବନେଶ୍ୱରେ ଅଳିଆ ପାହାଡ ଛିଡା କରାଇଛନ୍ତି । ନବୀନ ଶାସନ ଓ ଅଳିଆ ଗନ୍ଧରେ ଲୋକେ ତ୍ରାହି ତ୍ରାହି ଡାକୁଛନ୍ତି। ସାରା ସହର ଗନ୍ଧମୟ । ହଜାର ହଜାର ଲୋକ ଡେଙ୍ଗୁରେ ମୃତ୍ୟୁବରଣ କରିଛନ୍ତି । ରାଜ୍ୟ ସରକାରଙ୍କ ଜୀବନ ଦେବାର ଅଧିକାର ନାହିଁ କିନ୍ତୁ ଜୀବନ ନେବାର ଅଧିକାର କେଉଁଠୁ ଆସିଲା ? ରାଜ୍ୟ ସରକାର ସାମାଜିକ ଅପରାଧ କରିଛନ୍ତି ଏବଂ ବିଧିବ୍ୟବସ୍ଥା ଅନୁଯାୟୀ ଦଣ୍ଡିତ ହେବା ଉଚିତ୍। ରାଜ୍ୟ ସରକାର ତୁରନ୍ତ ଏହି ‘ଗାଡକଣସ୍ଥିତ କୃତ୍ରିମ ଅଳିଆ ପାହାଡ’ର ସ୍ଥାୟୀ ସମାଧାନ କରନ୍ତୁ। ରାଜ୍ୟ ସରକାର ଓଡିଶାବାସୀଙ୍କ ଜୀବନ ନେଇ ଯେଉଁ ଖେଳ ଖେଳୁଛନ୍ତି ତାହାକୁ ବନ୍ଦ କରନ୍ତୁ ବୋଲି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ କହିଛନ୍ତି।
ଶ୍ରୀ ସାମଲ ‘ଗାଡକଣସ୍ଥିତ କୃତ୍ରିମ ଅଳିଆ ପାହାଡ’ ପରିଦର୍ଶନ କରି ବାସ୍ତବ ସ୍ଥିତି ଅନୁଧ୍ୟାନ କରିଛନ୍ତି। ଏହା ପରେ ଭୁବନେଶ୍ୱର ଜିଲ୍ଲା ତରଫରୁ ଜାରୀ ରହିଥିବା ସତ୍ୟାଗ୍ରହ କାର୍ୟ୍ୟକ୍ରମରେ ଯୋଗ ଦେଇ ଶ୍ରୀ ସାମଲ କହିଥିଲେ ଯେ; ସତ୍ୟାଗ୍ରହକୁ ୪ଦିନ ବିତିଛି ହେଲେ ରାଜ୍ୟ ସରକାର ନିଦାବିଷ୍ଣୁ । ଓଡ଼ିଶାରେ ସରକାର ନାହିଁ । ମୁଖ୍ୟମନ୍ତ୍ରୀ ଦୃଶ୍ୟମାନ ହେଉନାହାନ୍ତି । ଭଗବାନ ଭରସାରେ ଓଡ଼ିଶାରେ ସରକାର ଚାଲିଛି । ଭୁବନେଶ୍ୱରଠାରୁ ଦେଶର ଛୋଟିଆ ସହରମାନଙ୍କରେ ସୁବ୍ୟବସ୍ଥିତ ଭାବେ “ବର୍ଜ୍ୟ ବସ୍ତୁ ପରିଚାଳନା” କରାଯାଇ ସହରକୁ ସଫା ସୁତୁରା ପରିବେଶ ପ୍ରଦାନ କରାଯାଉଛି। ମାତ୍ର ସ୍ମାର୍ଟ ସିଟିର ଆଖ୍ୟା ପାଇଥିବା ରାଜଧାନୀ ଭୁବନେଶ୍ୱରର ମଧ୍ୟବର୍ତୀ ଅଂଚଳରେ ଅଳିଆ ଗଦାର ପାହାଡ ସୃଷ୍ଟି କରାଯାଇ ପରିବେଶକୁ ଦୁଷିତ ଓ ଗନ୍ଧମୟ କରାଯାଉଛି। ନିଆଁରେ ଗଛ ପୋଡି ହେବାର ଜାଣିଥିଲି, କିନ୍ତୁ ଦୁଷିତ ଅଳିଆ ଓ ପରିବେଶ କାରଣରୁ ଗଛ ପୋଡି ହେବା ପ୍ରଥମ ଥର ପାଇଁ ଦେଖିବାକୁ ମିଳିଲା। ଦୁଷିତ ଓ ଗନ୍ଧମୟ ପରିବେଶ କାରଣରୁ ସ୍ଥାନୀୟ ଅଂଚଳରେ ଚର୍ମ, ଶ୍ୱାସ ଭଳି ବିଭିନ୍ନ ରୋଗ ବ୍ୟାପକ ଭାବେ ବଢିଚାଲିଛି। ଅଳିଆ ଅବର୍ଜନାପୂର୍ଣ୍ଣ ପାହାଡର ଦୁର୍ଗନ୍ଧ ଧୀରେ ଧୀରେ ସମଗ୍ର ରାଜଧାନୀ ତଥା ଏହାର ଆଖପାଖକୁ ବ୍ୟାପିଗଲାଣି । ଘରୁ ବାହାରିବା ଅସହ୍ୟ ହୋଇପଡିଲାଣି। ଆଖପାଖ ମନ୍ଦିରକୁ ଭକ୍ତ ଯାଉନାହାନ୍ତି। ଶିକ୍ଷାନୁଷ୍ଠାନ, ଡାକ୍ତରଖାନାକୁ ଆସୁଥିବା ଛାତ୍ରଛାତ୍ରୀ ଓ ରୋଗୀ ହନ୍ତସନ୍ତ ହେଉଛନ୍ତି। ବୃଦ୍ଧବୃଦ୍ଧାଙ୍କ ସମେତ ସମସ୍ତଙ୍କ ଜୀବନ ଅଭିଶପ୍ତ ହୋଇଲାଣି। ରାଜ୍ୟ ତଥା ବିଦେଶରୁ ଆସୁଥିବା ପର୍ୟ୍ୟଟକମାନେ ନାକରେ ହାତ ଦେଇ, ମୁହଁରେ ମାସ୍କ ପିନ୍ଧି ବୁଲୁଛନ୍ତି। ଏହା ଅତ୍ୟନ୍ତ ଲଜ୍ଜାଜନକ ବୋଲି ଶ୍ରୀ ସାମଲ କହିଛନ୍ତି।
Get real time updates directly on you device, subscribe now.
