THE BYAPINI

ଯୁଦ୍ଧ ବନ୍ଦ ପାଇଁ ହମାସ୍‌ ର ଦୁଇଟି ସର୍ତ୍ତ

Get real time updates directly on you device, subscribe now.

ତେଲ୍‌ ଆବିଭ୍‌ : ଇସ୍ରାଏଲ ଉପରେ ସିରିଆ ପକ୍ଷରୁ କ୍ଷେପଣାସ୍ତ୍ର ଆକ୍ରମଣ ପରେ ଇସ୍ରାଏଲ ଏହାର ଜବାବ ଦେଇଛି। ଇସ୍ରାଏଲ ସିରିଆର ସାମରିକ ଘାଟିକୁ ନିଶାଣ କରି ଆକ୍ରମଣ ଚଳାଇଛି। ଏଥିସହ ୱେଷ୍ଟ ବ୍ୟାଙ୍କର ବିଭିନ୍ନ ସ୍ଥାନରେ ରାତିଅଧିଆ ଚଢ଼ଉ କରାଯାଇଛି। ଏଥିସହ ହମାସ୍‌କୁ ପଣବନ୍ଦୀଙ୍କ ମୁକ୍ତି ପାଇଁ ଆଇଡିଏଫ୍‌ ଚେତାବନୀ ଶୁଣାଇଛି। ‘ଯଦି ତୁମେ ଓ ତୁମ ପରିବାର ଭବିଷ୍ୟତରେ ଶାନ୍ତିରେ ରହିବାକୁ ଚାହଁ; ତେବେ ମାନବିକତା ପ୍ରଦର୍ଶନ ପୂର୍ବକ ତୁରନ୍ତ ପଣବନ୍ଦୀଙ୍କୁ ଛାଡ଼ି ଦିଅ ଏବଂ ସେମାନଙ୍କ ସମ୍ପର୍କରେ ବିଶ୍ବାସଯୋଗ୍ୟ ସୂଚନା ଦିଅ’ ବୋଲି ଆଇଡିଏଫ୍‌ ହମାସ୍‌କୁ ଆହ୍ବାନ ଦେଇଛି। ଇସ୍ରାଏଲ ପକ୍ଷରୁ ଗାଜା ପଟିରେ ଗୋଟିଏ ଦିନରେ ୪୦୦ ଥର ବିମାନ ଆକ୍ରମଣ କରାଯାଇଛି। ଏଥିରେ ଗାଜା ଥରହର ହୋଇଥିବାବେଳେ ପ୍ରବଳ ଧନ-ଜୀବନ ହାନି ଘଟିଛି। ଗତ ୭ ତାରିଖରେ ଯୁଦ୍ଧ ଆରମ୍ଭଠାରୁ ଅଦ୍ୟାବଧି ଏଥିରେ କେବଳ ଗାଜାରେ ୨୪୦୦ ଶିଶୁଙ୍କ ସମେତ ମୋଟ ୫୮୦୦ ପାଲେଷ୍ଟିନୀୟଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ଗାଜାରେ ୫୭ ଡାକ୍ତର ଓ ସ୍ବାସ୍ଥ୍ୟକର୍ମୀଙ୍କ ମୃତ୍ୟୁ ହୋଇଥିବାବେଳେ ୨୭ଟି ଆମ୍ବୁଲାନ୍ସ କ୍ଷତିଗ୍ରସ୍ତ ହୋଇଛି। ମୋଟ ୧୨୨ଟି ପରିବାର ନିଶ୍ଚିହ୍ନ ହୋଇଯାଇଛନ୍ତି। ଅପରପକ୍ଷରେ ଇସ୍ରାଏଲରେ ପ୍ରାୟ ୪୦୦ ଆଇଡିଏଫ୍‌ ଯବାନଙ୍କ ସମେତ ୧୫୦୦ରୁ ଅଧିକ ପ୍ରାଣ ହରାଇଛନ୍ତି। ହମାସ୍‌ ନେତା ଖଲିଦ ମେଶାଲ କହିଛନ୍ତି ଯେ ଇସ୍ରାଏଲ ଗାଜାରେ ଆକ୍ରମଣ ବନ୍ଦ କଲେ ପଣବନ୍ଦୀଙ୍କୁ ମୁକ୍ତ କରାଯିବ। ଯୁଦ୍ଧ ବିରତି ସମ୍ପର୍କରେ ଆଲୋଚନା ପାଇଁ ହମାସ୍‌ର ଦ୍ବାର ଉନ୍ମୁକ୍ତ ରହିଛି। ନରସଂହାର ଓ ଧ୍ବଂସଲୀଳା ବନ୍ଦ ହେଲେ କାତାର ଓ ଇଜିପ୍ଟ ସହ କିଛି ଆରବ ରାଷ୍ଟ୍ର ମଧ୍ୟସ୍ଥତା କରିବାକୁ ପ୍ରସ୍ତୁତ ଥିବା ସେ ସୂଚନା ଦେଇଛନ୍ତି। ଆଲୋଚନା ପାଇଁ ଦୁଇଟି ସର୍ତ୍ତ ରହିଛି। ଗୋଟିଏ ହେଉଛି ଆକ୍ରମଣ ବନ୍ଦ କରିବା ସହ ଗାଜାର ଉତ୍ତରରୁ ଦକ୍ଷିଣକୁ ବଳପୂର୍ବକ ଲୋକଙ୍କୁ ବାହାର କରିବା ନିର୍ଦେଶ ପ୍ରତ୍ୟାହାର ଏବଂ ଦ୍ବିତୀୟଟି ହେଉଛି ଇସ୍ରାଏଲ ଅଧିକୃତ ଅଞ୍ଚଳକୁ ଫେରାଇବା। କେବଳ ସେତିକି ନୁହେଁ; ଆଇଡିଏଫ୍‌ ବିରୋଧରେ ଲଢ଼ିବା ପାଇଁ ହମାସ୍‌ ମାସିକ ୧୦ହଜାର ଡଲାର ଭତ୍ତା ଦେଇ ନୂଆ ସଦସ୍ୟଙ୍କୁ ନିଯୁକ୍ତି ଦେଉଛି। ସେମାନଙ୍କୁ ଅଧିକ ପଣବନ୍ଦୀ ସଂଗ୍ରହ କରିବା ପାଇଁ ସେମାନଙ୍କୁ ନିର୍ଦେଶ ଦିଆଯାଇଥିବା ସେ କହିଛନ୍ତି।

Get real time updates directly on you device, subscribe now.

Leave A Reply

Your email address will not be published.