THE BYAPINI

ଯୁଦ୍ଧ-ବିରତି ରାଜିନାମାରେ ସମ୍ମତ ହେଲେ ଇସ୍ରାଏଲ୍‌-ହମାସ୍‌

Get real time updates directly on you device, subscribe now.

ତେଲ୍‌ ଆଭିଭ୍‌: ଯୁଦ୍ଧ ବିରତି ପାଇଁ ଇସ୍ରାଏଲ୍‌ ଓ ହମାସ୍‌ ଆଜି ପ୍ରତ୍ୟୁଷରେ ଏକ ରାଜିନାମାରେ ଉପନୀତ ହୋଇଛନ୍ତି ଓ ଏହାକୁ ଇସ୍ରାଏଲ୍‌ର କ୍ୟାବିନେଟ୍‌ ମଞ୍ଜୁର କରିଥିବା କଥା ‘ଦି ଟାଇମ୍‌ସ୍‌ ଅଫ୍‌ ଇଜ୍ରାଏଲ୍‌’ ରିପୋର୍ଟ କରିଛି।ରିପୋର୍ଟରେ ଉଲ୍ଲେଖ ଅଛି ଯେ, ଇସ୍ରାଏଲ୍‌ର ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍‌ ନେତାନ୍ୟାହୁ ସରକାରଙ୍କ ସହିତ ବ୍ୟାପକ ଓ ଘନ ଘନ ବୈଠକ କରାଇ ଏହି ରାଜିନାମା ଚୂଡ଼ାନ୍ତ କରାଇଛନ୍ତି। ରାଜିନାମା ଅନୁଯାୟୀ ୪ ଦିନ ଯୁଦ୍ଧ ବା ଅସ୍ତ୍ରବିରତି କରାଯିବ ଓ ଏହି ସମୟରେ ହମାସ୍‌ ମୁଣ୍ଡଜାମିନ ବା ପଣବନ୍ଦୀ ରଖିଥିବା ୫୦ଜଣ ଇସ୍ରାଏଲୀ ନାଗରିକଙ୍କୁ ମୁକ୍ତ କରିବ। ଏହି ରାଜିନାମାକୁ ୩୮ଜଣ ଇସ୍ରାଏଲୀୟ ମନ୍ତ୍ରୀ ସମର୍ଥନ କରିଛନ୍ତି। କିନ୍ତୁ, ଏହି ରାଜିନାମା ବା ଚୁକ୍ତିକୁ ଚରମପନ୍ଥୀ ‘ଅଜ୍‌ମା ୟହଟିଡ୍‌’ ଓ ‘ରିଲିଜିୟସ୍‌ ଜିଓନିଜିମ୍‌’ ଦଳମାନେ ବିରୋଧ କରିଛନ୍ତି। ସୂଚନାଯୋଗ୍ୟ ଆଉ କିଛି ସମୟ ପରେ ‘ପବ୍ଲିକ୍‌ ଡୋମେନ୍‌’ରେ ଏ ସଂକ୍ରାନ୍ତରେ ସବିଶେଷ ବିବରଣୀ ପ୍ରକାଶ କରାଯିବ। କିନ୍ତୁ, ଇସ୍ରାଏଲ୍‌ ସରକାର କହିଛନ୍ତି ଯେ, ପ୍ରତିଦିନ ୧୨ରୁ ୧୩ଜଣ ପଣବନ୍ଦୀଙ୍କୁ ହମାସ୍‌ ଗ୍ରୁପ୍‌ ମୁକ୍ତ କରିବ। ଫଳରେ ୱେଷ୍ଟ୍‌ ବ୍ୟାଙ୍କ୍‌ ଓ ପୂର୍ବ ଜେରୁଜେଲ୍‌ମର କିଛି ମହିଳା ଓ ନାବାଳକ କଏଦୀ ସ୍ବଦେଶ ପ୍ରତ୍ୟାବର୍ତ୍ତନ କରିବେ। ଏହି ରାଜିନାମାକୁ ଇସ୍ରାଏଲ୍‌ର ନିରାପତ୍ତା ଏଜେନ୍‌ସି ‘ଆଇଡିଏଫ୍‌’, ‘ଶିନ୍‌ ବେଟ୍‌’ ଓ ‘ମୋସାଦ୍‌’ ସମର୍ଥନ କରିଛି ବୋଲି ‘ଦି ଇଜ୍ରାଏଲ୍‌ ଟାଇମ୍‌ସ୍‌’ ରିପୋର୍ଟ କରିଛି।

Get real time updates directly on you device, subscribe now.

Leave A Reply

Your email address will not be published.