ରବିବାର ଅପରାହ୍ନ ସୁଦ୍ଧା ରାଜ୍ୟର ୨୨ଟି ଜିଲ୍ଲାରେ କାଳବୈଶାଖୀ ଜନିତ ଝଡବର୍ଷା
ଭୁବନେଶ୍ୱର: ସଂପ୍ରତି ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ସମୁଦ୍ରରେ ସକ୍ର୍ରିୟ ଘୂର୍ଣ୍ଣିବଳୟ ଯୋଗୁଁ ଆଜି ମଧ୍ୟାହ୍ନରେ ଭୁବନେଶ୍ୱର ଓ କଟକରେ ପ୍ରବଳ ଘଡଘଡି ଓ ବିଜୁଳ ମାରିବା ସହିତ ଭୀଷଣ ବର୍ଷା ହୋଇଛି । ତେବେ ଆସନ୍ତା କାଲି ବେଳକୁ ଉତ୍ତର ବଙ୍ଗୋପସାଗରରେ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ପରବର୍ତ୍ତୀ ୪୮ଘଣ୍ଟା ମଧ୍ୟରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ଆଶଙ୍କା ଅଛି । ଏହାର ପ୍ରଭାବରେ ରାଜ୍ୟରେ ବାୟୁରେ ପରିବର୍ତ୍ତନ ସମ୍ଭାବନା ରହିଛି । ଫଳରେ ଆଗାମୀ ୫ ଦିନ ପର୍ଯ୍ୟନ୍ତ ରାଜ୍ୟରେ କାଳବୈଶାଖୀ ଜନିତ ଝଡବର୍ଷାର ସମ୍ଭାବନା ରହିଥିବା ବେଳେ ୪ ତାରିଖ ଠାରୁ ରାଜ୍ୟରେ ବର୍ଷାର ବିସ୍ତୃତି ବଢିବ ବୋଲି ଭାରତୀୟ ପାଣିପାଗ ବିଭାଗର ଭୁବନେଶ୍ୱରସ୍ଥିତ ଆଞ୍ଚଳିକ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି । ରବିବାର ଅପରାହ୍ନ ସୁଦ୍ଧା ଆଭ୍ୟନ୍ତରୀଣ, ଉପକୂଳ, ଉତ୍ତର, ଦକ୍ଷିଣ ଓ ପଶ୍ଚିମ ଓଡିଶାର ୨୨ଟି ଜିଲ୍ଲାରେ କାଳବେଶାଖୀ ଜନିତ ଝଡବର୍ଷାର ସମ୍ଭାବନା ରହଥିବା ରହିଥିବା ବେଳେ ୧୦ ଜିଲ୍ଲାରେ ପ୍ରବଳ ବର୍ଷା (୭ରୁ ୧୧ ସେମି)ର ସମ୍ଭାବନା ରହିଛି ବୋଲି ସତର୍କ ସୂଚନାରେ ପ୍ରକାଶ କରାଯାଇଛି । ରବିବାର ଅପରାହ୍ନ ସୁଦ୍ଧା ରାଜ୍ୟର ୨୨ଟି ଜିଲ୍ଲାରେ କାଳବୈଶାଖୀ ଜନିତ ଝଡବର୍ଷାର ସମ୍ଭାବନା ରହିଛି । ରାଜ୍ୟର ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ, ଗଞ୍ଜାମ, ଗଜପତି, ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ, କନ୍ଧମାଳ, ବୌଦ୍ଧ, ଅନୁଗୁଳ, ଢେଙ୍କାନାଳ, ମାଲକାନଗିରି, କୋରାପୁଟ, ନବରଙ୍ଗପୁର ଓ ରାୟଗଡା ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ବଜ୍ରପାତ ହେବାର ସମ୍ଭାବନା ରହିଛି ।