ଭୁବନେଶ୍ୱର: ବିକାଶ ନିମନ୍ତେ ସବୁଜିମାକୁ ନଷ୍ଟ କରାଯିବ ନାହିଁ । ଏଣିକି ରାଜ୍ୟରେ ଆଉ କଟାଯିବ ନାହିଁ ଗଛ ଏନେଇ ରାଜ୍ୟ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ପକ୍ଷରୁ ‘ବୃକ୍ଷ ପୁନଃରୋପଣ’ ପାଇଁ ଏକ ସ୍ୱତନ୍ତ୍ର ଏସଓପି ଲାଗୁ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି । ବିଭାଗ ପକ୍ଷରୁ ଜାରି ଏସଓପି ପାଳନ କରି ଗଛ ନ କାଟି ଅନ୍ୟତ୍ର ପ୍ରତ୍ୟାରୋପଣ କରିବାକୁ ପଦକ୍ଷେପ ଗ୍ରହଣ କରିବାକୁ ନିଷ୍ପତ୍ତି ହୋଇଥିବା ଜଣାପଡିଛି । ବିଗତ କିଛି ବର୍ଷ ମଧ୍ୟରେ ସାରା ରାଜ୍ୟରେ ଅନେକ ଉନ୍ନୟନମୂଳକ ପ୍ରକଳ୍ପ ଗଢ଼ି ଉଠିଛି । ଏହି ସବୁ ପ୍ରକଳ୍ପ ରାଜ୍ୟର ବିକାଶର ଛାପ କିନ୍ତୁ ଏହି ବିକାଶ ପାଇଁ ଯେଉଁ ଲକ୍ଷାଧିକ ଗଛ କଟାଯାଉଥିଲା ତାହାକୁ ଅନେକ ସାମାଜିକ ସଙ୍ଗଠନ ପକ୍ଷରୁ ମଧ୍ୟ ଦୀର୍ଘ ଦିନ ହେବ ବିରୋଧ କରାଯାଉଥିଲା । କାରଣ ଏହି ଗଛଗୁଡ଼ିକୁ ବଢିବା ପାଇଁ ଅନେକ ପରିଶ୍ରମ ସହିତ ସମୟ ଲାଗିଥାଏ । ହେଲେ ବିଭିନ୍ନ ପ୍ରକଳ୍ପ ପାଇଁ ଆଖି ପିଛୁଳାକେ ଗଛ କାଟି ଦିଆଯାଏ । ଫଳରେ ରାଜ୍ୟରେ ସବୁଜିମା ପ୍ରତି ଆହ୍ୱାନ ସୃଷ୍ଟି ହେବା ସହ ଅନ୍ୟ ଅନେକ ଜୟବାୟୁ ପରିବର୍ତ୍ତନଜନିତ ସମସ୍ୟା ବଢ଼ିବଢ଼ି ଯାଉଛି । ଗତ ୨୦୧୦-୧୧ରୁ ୨୦୨୦-୨୧ ମଧ୍ୟରେ ରାଜପଥ ନିର୍ମାଣ ଓ ଅନ୍ୟ ପ୍ରକଳ୍ପ ପାଇଁ ରାଜ୍ୟର ୧.୮୫ କୋଟି ଗଛ କଟାଯାଇଛି । କେବଳ ଭୁବନେଶ୍ୱରରେ ବିଭିନ୍ନ ଉନ୍ନୟନ କାର୍ଯ୍ୟ ପାଇଁ ୨୦୧୯-୨୦ରୁ ୨୦୨୨-୨୩ ମଧ୍ୟରେ ୭ ହଜାର ୮୦୦ ଗଛ କଟାଯାଇଛି । ଏହି ବ୍ୟବସ୍ଥାରେ ଏଣିକି ରୋକ୍ ଲାଗିବ ଓ ଏକ ସ୍ଥାୟୀ ସମାଧାନ ଉଦ୍ଦେଶ୍ୟରେ ନୂଆ ଏସ୍ଓପି ପାଳନ କରି ବୃକ୍ଷ ପ୍ରତ୍ୟାରୋପଣ ପଦ୍ଧତିକୁ ସୁନିଶ୍ଚିତ କରିବା ପାଇଁ ମୁଖ୍ୟ ବନ ସଂରକ୍ଷକଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।
ବିଭାଗ ପକ୍ଷରୁ ଜାରି ହୋଇଥିବା ଏସଓପିରେ ଗଛର ସ୍ଥାନ, ବୟସ, ମୋଟେଇ, ପ୍ରଜାତି, ଔଷଧୀୟ ଓ ଧର୍ମୀୟ ଭାବନା ସହ ସମ୍ପର୍କ ଆଦି ବିଷୟରେ ସବିଶେଷ ବିବରଣୀ ଦର୍ଶାଯିବ । ଗଛ ପ୍ରତ୍ୟାରୋପଣ ବେଳେ ଏହି ଦିଗ ପ୍ରତି ଗୁରୁତ୍ୱ ଦିଆଯିବ । ଯାନ୍ତ୍ରିକ ପଦ୍ଧତି ଦ୍ୱାରା ଏହି ପ୍ରତ୍ୟାରୋପଣ ପ୍ରକ୍ରିୟା ସମୟ ସାପେକ୍ଷ ବୋଲି ବିଭାଗ କହିଛି । ଏହାସହ କେଉଁସ୍ଥାନରୁ କେଉଁସ୍ଥାନକୁ ଗଛ ନିଆଯାଇ ପ୍ରତ୍ୟାରୋପଣ କରାଯିବ ତାକୁ ଦୃଷ୍ଟିରେ ରଖାଯିବ । ଯୁବ ଅବସ୍ଥାରେ ଥିବା ଗଛଗୁଡ଼ିକର ଚେର କମ୍ ରହିଥିବାରୁ ଏହା ପ୍ରତ୍ୟାରୋପଣ ପରେ ପୁନର୍ବାର ବଞ୍ଚିବାର ଅଧିକ ସମ୍ଭାବନା ରହିଥାଏ । ଏହି ପ୍ରକ୍ରିୟାରେ ଲଗାଯାଇଥିବା ଗଛ ଗୁଡ଼ିକ ମଧ୍ୟରୁ ପ୍ରଥମ ବର୍ଷରେ ୫୦-୮୦ % ଗଛ ବଞ୍ଚୁଥିବା ବେଳେ ହିତୀୟ ବର୍ଷରେ ୩୦-୭୦ ପ୍ରତିଶତ ଗଛ ବଞ୍ଚୁଥିବା ଜଣାପଡ଼ିଛି ।
Get real time updates directly on you device, subscribe now.