THE BYAPINI

ରାଜ୍ୟରେ ସକ୍ରିୟ ହେଲଣି କି ଅଙ୍ଗଚୋରି ରାକେଟ!

Get real time updates directly on you device, subscribe now.

କଣ୍ଟାପଡ଼ା: କଟକ ଜିଲ୍ଲା ଓଲଟପୁର ଠାରେ ଘଟିଥିବା ଘଟଣା ରାଜ୍ୟରେ ଅଙ୍ଗଚୋରି ରାକେଟ ସକ୍ରିୟ ହେବାର ସନ୍ଦେହ ବଢାଇ ଦେଇଛି। କଟକ ଜିଲ୍ଲା ଓଲଟପୁର ଥାନା ଅନ୍ତର୍ଗତ ଫୁଲନଖରା-ନିଆଳି ରାସ୍ତାର ଇଚ୍ଛାପୁର ଗ୍ରାମର କେତେକ ବ୍ୟକ୍ତି ଧାନବିଲରେ ଯୁବକଙ୍କ ମୃତଦେହ ପଡ଼ିଥିବା ଦେଖିଥିଲେ। ଯୁବକଙ୍କ ମୁହଁରେ ଏସିଡ୍ ପକାଇ ପୋଡ଼ି ଦିଆଯାଇଥିବା ଏବଂ ପେଟ ଚିରି ସିଲେଇ କରାଯାଇଥିବା ଦେଖିବାକୁ ମିଳିଥିଲା। ଖବର ପାଇ ଓଲଟପୁର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା। ଏଥିସହ ମୃତଦେହ ନିକଟରେ ପଡ଼ିଥିବା ମୋବାଇଲ୍‌ରୁ ନମ୍ବର ବାହାର କରି ପରିବାର ସହ ଯୋଗାଯୋଗ କରିଥିଲା। ପୁରୁଣା ଭୁବନେଶ୍ବର ଅଞ୍ଚଳର ଧ୍ରୁବଚରଣ ରାଉତରାୟଙ୍କ ପୁଅ କେଳୁଚରଣ ରାଉତରାୟ ବୋଲି ଜଣାପଡିଥିଲା। ପରିବାରବର୍ଗ ପହଞ୍ଚି ମୃତଦେହକୁ କେଳୁଚରଣ ବୋଲି ଚିହ୍ନଟ କରିଥିଲେ। ସେମାନଙ୍କଠାରୁ ଜଣାପଡ଼ିଥିଲା ଯେ ଗତ ୧୨ ତାରିଖରେ କେଳୁଚରଣ ପୁରୁଣା ଭୁବନେଶ୍ବରର ଏକ ଛକରେ ବସିଥିଲା ବେଳେ ହଠାତ୍ ବାନ୍ତି କରିବା ସହ ଗୁରୁତର ଅସୁସ୍ଥ ହୋଇ ପଡ଼ିଥିଲେ। ଆମ୍ବୁଲାନ୍ସରେ ତାଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନା ନିଆଯାଇଥିଲା। ସେହିଦିନଠାରୁ କେଳୁଚରଣଙ୍କର ଖୋଜଖବର ମିଳି ନ ଥିଲା। ପରିବାରବର୍ଗ ନିକଟସ୍ଥ ଡାକ୍ତରଖାନାରେ ଖୋଜାଖୋଜି କରିଥିଲେ ମଧ୍ୟ ତାଙ୍କର ପତ୍ତା ମିଳିନଥିଲେ। ଫଳରେ ସେମାନେ କ୍ୟାପିଟାଲ୍‌ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ହେଲେ ନିଖୋଜର ୬ଦିନ ପରେ ଯୁବକଙ୍କ ଶବ ଧାନବିଲରୁ ଉଦ୍ଧାର କାରଣ ହୋଇଛି। ମୃତ କେଳୁଚରଣଙ୍କ ବଡ଼ଭାଇ ବିଭୁପ୍ରସାଦ ରାଉତରାୟ ଓଲଟପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ପୁଲିସ ଶବ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ କଟକ ବଡ଼ ମେଡିକାଲକୁ ପଠାଇଛି। ତେବେ ଏହି ଘଟଣାରୁ ସେ କୌଣସି ଅଙ୍ଗଚୋରି ରାକେଟ ହାବୁଡ଼ରେ ପଡ଼ିଯାଇଥିଲେ ବୋଲି ସନ୍ଦେହ ହେଉଛି। ପାରିପାର୍ଶ୍ବିକ ସ୍ଥିତିରୁ ଏଭଳି ସନ୍ଦେହ ସୃଷ୍ଟି ହେଉଥିବା ବେଳେ ଏହି ଘଟଣା ଏବେ ଚାଞ୍ଚଲ୍ୟ ସୃଷ୍ଟି କରିଛି।

Get real time updates directly on you device, subscribe now.

Leave A Reply

Your email address will not be published.