THE BYAPINI

ରାଜ୍ୟର ୧୩ଟି ଜଳାଶୟ ଓ ଜଳଭଣ୍ଡାରର ହେବ କାୟା ପରିବର୍ତ୍ତନ

Get real time updates directly on you device, subscribe now.

ଭୁବନେଶ୍ୱର : ରାଜ୍ୟରେ ଜଳାଶୟ ଏବଂ ଜଳଭଣ୍ଡାରଗୁଡିକର ପାରିପାର୍ଶ୍ୱିକ ବିକାଶ କରିବାକୁ ବର୍ତ୍ତମାନ ରାଜ୍ୟ ସରକାର ଗୁରୁତ୍ୱ ଦେଉଛନ୍ତି । ଏହିକ୍ରମରେ ରାଜ୍ୟର ଆଉ ୧୩ଟି ଜଳାଶୟ ଏବଂ ଜଳଭଣ୍ଡାରର ପାରିପାର୍ଶ୍ୱିକ ଉନ୍ନୟନ ପାଇଁ ଜଳସମ୍ପଦ ବିଭାଗ ନିଷ୍ପତ୍ତି ନେଇଛି । ଏହି ସବୁ ସ୍ଥାନଗୁଡିକରେ ଜଳସମ୍ପଦ ବିଭାଗ ପକ୍ଷରୁ ବୋଟିଂ ସୁବିଧାଠାରୁ ଆରମ୍ଭ କରି ରେସ୍ତୋରାଁ, କ୍ୟାଫେଟେରିଆ, ପାର୍କିଂ ଏରିଆ, ରୋପ୍‌ୱେ, ପିକ୍‌ନିକ୍‌ ପିଣ୍ଡି ନିର୍ମାଣ ସହ ପର୍ଯ୍ୟଟକଙ୍କ ପାଇଁ ସ୍ୱତନ୍ତ୍ର ଚଲାପଥ ନିର୍ମାଣ କରାଯିବ । ଏଥିପାଇଁ ବିଭାଗ ପକ୍ଷରୁ ପ୍ରାୟ ୯କୋଟି ୪୦ ଲକ୍ଷ ଟଙ୍କାର ବ୍ୟବସ୍ଥା କରାଯାଇଥିବା ଜଣାପଡିଛି ।
ଜଳସମ୍ପଦ ବିଭାଗ ପକ୍ଷରୁ ଯେଉଁ ୧୩ଟି ଜଳାଶୟ ଏବଂ ଜଳଭଣ୍ଡାରର ଚିହ୍ନଟ କରାଯାଇଛି, ସେଥିମଧ୍ୟରେ ମୟୂରଭଞ୍ଜର ବାଲିଡିହ ଡାଇଭର୍ସନ ଓୟାର, ବାଙ୍କବାଲ ଡ୍ୟାମ୍‌, ନେସା ଡ୍ୟାମ୍‌, ପାଉଁଶିଆ ବନ୍ଧ, ବଡଯୋଡ ଡ୍ୟାମ୍‌, କେନ୍ଦୁଝରର କାଳିମାଟି ଏମ୍‌ ଆଇପି, ଗଞ୍ଜାମ ଜିଲ୍ଲାର ଦହା ଜଳଭଣ୍ଡାର, ଗଜପତିର ରାମସାଗର ଏମ୍‌ଆଇପି, କଳାହାଣ୍ଡି ଜିଲ୍ଲାର ପିପଲ ନଳା ଏମ୍‌ଆଇପି, ଖୋର୍ଦ୍ଧାର ଝୁମୁକା ଏମ୍‌ଆଇପି, ନୟାଗଡର ବୁଢ଼ାବୁଢିଆଣୀ ଡ୍ୟାମ୍‌ ଏବଂ କଟକର ନରେଇଜାନି ଏମ୍‌ଆଇପି ରହିଛି । ଉପରୋକ୍ତ ଜଳାଶୟର ପାରିପାର୍ଶ୍ୱିକ ଉନୟନ ତଥା ସୌନ୍ଦର୍ଯ୍ୟକରଣ ପାଇଁ ଖୁବ୍‌ଶୀଘ୍ର ବିସ୍ତୃତ ପ୍ରକଳ୍ପ ରିପୋର୍ଟ (ଡିପିଆର) ଦାଖଲ କରିବାକୁ ବିଭାଗୀୟ ସର୍ବୋଚ୍ଚ ଯନ୍ତ୍ରୀ ଭକ୍ତ ରଞ୍ଜନ ମହାନ୍ତି ନିର୍ଦ୍ଦେଶ ଦେଇଛନ୍ତି ।
ଜଳାଶୟର ବିକାଶ ତଥା ପାରିପାର୍ଶ୍ୱିକ ଉନ୍ନତି ପାଇଁ ଜିଲ୍ଲାସ୍ତରରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଗଠନ କରାଯାଇଥିବା କମିଟିର ସୁପାରିସ ଆଧାରରେ ଡିପିଆର ପ୍ରସ୍ତୁତ କରାଯିବ । ଯଦି କୌଣସି ଜିଲ୍ଲାରେ ଜିଲ୍ଲା ସ୍ତରୀୟ କମିଟି ନ ଥାଏ, ତା’ହେଲେ ୨୦୨୨ ମସିହାରେ ଜଳସମ୍ପଦ ବିଭାଗ ପକ୍ଷରୁ ପ୍ରସ୍ତୁତ ସଙ୍କଳ୍ପ ଆଧାରରେ କମିଟି ଗଠନ କରାଯିବ । ଏନେଇ ବିଭାଗୀୟ ସର୍ବୋଚ୍‌ଚ ଯନ୍ତ୍ରୀ ମହାନଦୀ, କାଠଯୋଡି ସିଷ୍ଟମର ମୁଖ୍ୟଯନ୍ତ୍ରୀ ଓ ବେସିନ୍‌ ପରିଚାଳକ ସମେତ ସମ୍ପୃକ୍ତ ୧୩ ଜଳାଶୟ ଥିବା ଜିଲ୍ଲାର ବିଭାଗୀୟ ଅଧିକାରୀଙ୍କୁ ଚିଠି ମାଧ୍ୟମରେ ଅବଗତ କରାଯାଇଛି ।

Get real time updates directly on you device, subscribe now.

Leave A Reply

Your email address will not be published.