କଟକ: ସରକାର ତୃଣମୂଳ ସ୍ତରରେ ପ୍ରକଳ୍ପ କାର୍ଯ୍ୟକାରୀ କରିବା ସମୟରେ ସାମ୍ବିଧାନିକ ବିଦ୍ଧି ବ୍ୟବସ୍ଥାର ବିରୋଧାଚରଣ କରୁଛନ୍ତି ବୋଲି ଅଭିଯୋଗ ହୋଇଛି । ‘ଆମ ଓଡିଶା ନବୀନ ଓଡିଶା’ଅଧୀନରେ ବିଭିନ୍ନ ପ୍ରକଳ୍ପ କାର୍ଯ୍ୟକାରୀ ହେବା ସମୟରେ ଗ୍ରାମ ପଞ୍ଚାୟତ ଆଇନ ଓ ସାମ୍ବିଧାନିକ ବ୍ୟବସ୍ଥାର ଉଲ୍ଲଂଘନ ହେଉଥିବା ଅଭିଯୋଗକୁ ବିଚାର ପାଇଁ ଗ୍ରହଣ କରି ହାଇକୋର୍ଟ ରାଜ୍ୟ ସରକାର, ବାଲେଶ୍ୱର ଜିଲ୍ଲାପାଳ, ଜିଲ୍ଲା ପଞ୍ଚାୟତ ଅଧିକାରୀ ଓ ବସ୍ତା ବିଡିଓଙ୍କୁ ନୋଟିସ୍ ଜାରି କରିଛନ୍ତି । ତିନି ସପ୍ତାହ ଭିତରେ ମାମଲାରେ ସତ୍ୟପାଠ ମାଧ୍ୟମରେ ଜବାବ ରଖିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ବସ୍ତା ବ୍ଲକରେ ଏହି ଯୋଜନାରେ ପ୍ରକଳ୍ପ କାର୍ଯ୍ୟକାରୀ ବେଳେ ପଞ୍ଚାୟତର ସ୍ୱାର୍ଥ ଓ ଗ୍ରାମସଭାର ସଂପୃକ୍ତି ରହିବା ଉପରେ ହାଇକୋର୍ଟ ଗୁରୁତ୍ୱାରୋପ କରିଛନ୍ତି । ସରକାରୀ କର୍ତ୍ତୃପକ୍ଷ ନିଜ ପ୍ରତିଶ୍ରୁତି ମାନିବାକୁ ବାଧ୍ୟ ବୋଲି ହାଇକୋର୍ଟ କହିଛନ୍ତି । ଜଷ୍ଟିସ ବିଶ୍ୱନାଥ ରଥଙ୍କୁ ନେଇ ଗଠିତ ଖଣ୍ଡପୀଠ ବସ୍ତା ବ୍ଲକର ୯ଜଣ ନିର୍ବାଚିତ ସରପଞ୍ଚଙ୍କ ପକ୍ଷରୁ ଦାୟର ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ପ୍ରଦାନ କରିଛନ୍ତି ହାଇକୋର୍ଟ । ସେପ୍ଟେମ୍ବର ୨୭କୁ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଧାର୍ଯ୍ୟ କରାଯାଇଛି । ମିଳିଥିବା ସୂଚନା ଅନୁସାରେ ଆବେଦନକାରୀ ନଗେନ୍ଦ୍ର କୁମାର ସିଂ ଓ ଅନ୍ୟ ୮ଜଣ ନିର୍ବାଚିତ ସରପଞ୍ଚ ହୋଇଥିବା ବେଳେ ବିଚାର ଆଲୋଚନା ପରେ ସେମାନଙ୍କ ପଞ୍ଚାୟତ ପାଇଁ ବିଭିନ୍ନ ପ୍ରକଳ୍ପ ସଂକ୍ରାନ୍ତରେ ପ୍ରସ୍ତାବ ଦେଇଥିଲେ । କିନ୍ତୁ ପରବର୍ତ୍ତୀ ସମୟରେ ଆବେଦନକାରୀ ସରପଞ୍ଚମାନେ ଜାଣିବାକୁ ପାଇଥିଲେ ଯେ ପଞ୍ଚାୟତରେ ଏହି ଯୋଜନା ଅଧୀନରେ ହେବାକୁ ଥିବା ଉନ୍ନୟନମୂଳକ କାର୍ଯ୍ୟ ସରକାରୀ ବିଭାଗ କରିବେ । ମାର୍ଗଦର୍ଶିକା ଅନୁସାରେ ପଞ୍ଚାୟତ ସମିତି ବିଭିନ୍ନ ବିଭାଗ ଦ୍ୱାରା ବା ଜିଲ୍ଲାପାଳ ଚୟନ କରିଥିବା ଏଜେନ୍ସି ଦ୍ୱାରା ଏହି ଯୋଜନା ଅଧୀନରେ ବିଭିନ୍ନ ପ୍ରକଳ୍ପ କାର୍ଯ୍ୟ କରିବା କଥା । କିନ୍ତୁ ତାହା ହୋଇ ନଥିବାରୁ ଆବେଦନକାରୀମାନେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ।
ଶୁଣାଣି ବେଳେ ପଞ୍ଚାୟତସ୍ତରରେ ହେବାକୁ ଥିବା ଉନ୍ନୟନମୂଳକ କାର୍ଯ୍ୟ ସଂପାଦନ ବେଳେ ଗ୍ରାମପଞ୍ଚାୟତକୁ ସଂପୃକ୍ତ କରା ନଯିବା ବେଆଇନ ବୋଲି ବରିଷ୍ଠ ଆଇନଜୀବୀ ପୀତାମ୍ବର ଆଚାର୍ଯ୍ୟ ଯୁକ୍ତି କରିଥିଲେ । ଏହା ସମ୍ବିଧାନର ୭୩ତମ ସଂଶୋଧନର ବିରୁଦ୍ଧାଚରଣ କରୁଛି । ନିର୍ବାଚିତ ପ୍ରତିନିଧିଙ୍କ ଅଧିକାରରେ ଏହା ହସ୍ତକ୍ଷେପ । ପଲ୍ଲୀସଭା, ଗ୍ରାମସଭା ନ ଡାକି ପଞ୍ଚାୟତରେ ଉନ୍ନୟନମୂଳକ କାର୍ଯ୍ୟ ବିଭିନ୍ନ ବିଭାଗ ଦ୍ୱାରା ସଂପାଦନ କରାଯିବା ଆଇନ ଅନୁସାରେ ଗ୍ରହଣୀୟ ନୁହେଁ । ସରକାର ଏକ ପ୍ରଶାସନିକ ଆଦେଶ ବଳରେ ଆଇନରେ ଥିବା ବ୍ୟବସ୍ଥାର ଉଲ୍ଳଂଘନ କରିପାରିବେ ନାହିଁ । ଯଦି ପଞ୍ଚାୟତକୁ ଅଣଦେଖା କରି ଗ୍ରାମରେ ଉନ୍ନୟନମୂଳକ କାର୍ଯ୍ୟ କରାଯାଏ ତେବେ ତ୍ରିସ୍ତରୀୟ ପଞ୍ଚାୟତ ବ୍ୟବସ୍ଥା ଭୁଶୁଡି ପଡିବ ବୋଲି ଶ୍ରୀ ଆଚାର୍ଯ୍ୟ ଦର୍ଶାଇଥିଲେ । ‘ଆମ ଓଡିଶା ନବୀନ ଓଡିଶା’ ଯୋଜନାରେ ବିଭିନ୍ନ ସରକାରୀ ବିଭାଗ ବା ଜିଲ୍ଲାପାଳଙ୍କ ଦ୍ୱାରା ଚୟନ କରାଯାଇଥିବା ଏଜେନ୍ସି ମାଧ୍ୟମରେ ପ୍ରକଳ୍ପ କାର୍ଯ୍ୟ ସଂପାଦନ ପାଇଁ ରହିଥିବା ନିୟମ ବେଆଇନ ହୋଇଥିବାରୁ ଏହାକୁ ରଦ୍ଦ କରାଯାଉ । ଗ୍ରାମ ପଞ୍ଚାୟତ ଆଇନ ଓ ନିୟମାବଳୀ ଅନୁସାରେ ଏହି ଯୋଜନାରେ ବିଭିନ୍ନ ପ୍ରକଳ୍ପ କାର୍ଯ୍ୟ କରାଯାଉ ବୋଲି ଆବେଦନରେ ଉଲ୍ଲେଖ କରାଯାଇଛି ।
Get real time updates directly on you device, subscribe now.
![](https://thebyapini.in/wp-content/uploads/2020/10/Byapini_logo_header.jpg)
Next Post