ନୂଆଦିଲ୍ଲୀ: ଗୁରୁ ଦିବସ ଅବସରରେ ଦେଶର ଶିକ୍ଷକ ଓ ପ୍ରାଧ୍ୟାପକଙ୍କ ଦକ୍ଷତା ବିକାଶ ପାଇଁ ନିରନ୍ତର ପ୍ରଶିକ୍ଷଣ କାର୍ଯ୍ୟକ୍ରମ ‘ମାଲବୀୟ ମିଶନ’କୁ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୁଭାରମ୍ଭ କରିଛନ୍ତି । ଦେଶରେ ଉଚ୍ଚ ଶିକ୍ଷାନୁଷ୍ଠାନଗୁଡ଼ିକରେ କାର୍ଯ୍ୟରତ ଶିକ୍ଷକ ଓ ପ୍ରାଧ୍ୟାପକଙ୍କ ଦକ୍ଷତା ବିକାଶ ପାଇଁ ୧୧୧ଟି ମାଲବୀୟ ମିଶନ କେନ୍ଦ୍ର ମାଧ୍ୟମରେ ୧୫ଲକ୍ଷ ଶିକ୍ଷକଙ୍କୁ ନିରନ୍ତର ପ୍ରଶିକ୍ଷଣ ପ୍ରଦାନ ନିମନ୍ତେ ‘ମାଲବୀୟ ମିଶନ’ର ଶୁଭାରମ୍ଭ କରାଯାଇଛି ।
ଏହି ଅବସରରେ ଶ୍ରୀ ପ୍ରଧାନ କହିଛନ୍ତି ଯେ, ଏହି ମିଶନ ଦ୍ୱାରା ସମଗ୍ର ଭାରତ ବର୍ଷରେ ନିର୍ଦ୍ଦିଷ୍ଟ ସମୟ ଭିତରେ ୧୧୧ଟି ମାଲବୀୟ ମିଶନ କେନ୍ଦ୍ର ମାଧ୍ୟମରେ ଉଚ୍ଚ଼ ଶିକ୍ଷା କ୍ଷେତ୍ରରେ କାର୍ଯ୍ୟରତ ୧୫ ଲକ୍ଷ ଶିକ୍ଷକ, ଶିକ୍ଷୟିତ୍ରୀ ଓ ପ୍ରାଧ୍ୟାପକମାନଙ୍କର ଦକ୍ଷତା ବୃଦ୍ଧି ପାଇଁ ତାଲିମ ଦିଆଯିବ । ଏହାଦ୍ୱାରା ସେମାନଙ୍କର କାର୍ଯ୍ୟ କ୍ଷେତ୍ରରେ ବିକାଶ ହେବ । ଭାରତୀୟ ମୂଲ୍ୟବୋଧକୁ ବୁଝିବା ସହିତ ଆମର ଶିକ୍ଷକମାନଙ୍କୁ ଭବିଷ୍ୟତ ପାଇଁ ପ୍ରସ୍ତୁତ କରିବା ଦିଗରେ ମିଶନ ଆରମ୍ଭ କରାଯାଇଛି । ଶିକ୍ଷକଙ୍କ ପ୍ରଶିକ୍ଷଣରେ ଗୁଣାତ୍ମକ ମାନ ବଢାଇବା, ଶିକ୍ଷକମାନଙ୍କ ମଧ୍ୟରେ ନେତୃତ୍ୱ ନେବାର ଦକ୍ଷତା ବୃଦ୍ଧି କରିବା ଏବଂ ଜାତୀୟ ଶିକ୍ଷା ନୀତିର ଉଦ୍ଦେଶ୍ୟକୁ ବାସ୍ତବ ରୂପ ଦେବା ଏହି ମିଶନର ଲକ୍ଷ୍ୟ ରହିଛି । ଏହି ଅବସରରେ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଦନ ମୋହନ ମାଲବୀୟଙ୍କ ଭଳି ଆମର ମହାପୁରୁଷମାନେ ସବୁବେଳେ ଶିକ୍ଷା ମାଧ୍ୟମରେ ସମାଜରେ ପରିବର୍ତ୍ତନ ଆଣିବା ପାଇଁ ଚେଷ୍ଟା କରିଛନ୍ତି ବୋଲି ପ୍ରକାଶ କରିଛନ୍ତି । ସମାଜ ଓ ଶିକ୍ଷାର ଅନନ୍ୟ ସମ୍ପର୍କ ରହିଛି । ଯେଉଁ ସମାଜ ଗଭୀର ଭାବରେ ଚିନ୍ତା କରିବ ନାହିଁ, ଗବେଷଣା କରିବ ନାହିଁ ତେବେ ସେ ସୃଜନଶୀଳ ହୋଇପାରିବ ନାହିଁ । ଏହାଦ୍ୱାରା ସମାଜର ଅଗ୍ରଗତି ମଧ୍ୟ ହୋଇପାରିବ ନାହିଁ । ଚନ୍ଦ୍ରଯାନ-୩ ଅଭିଯାନରେ ଶିକ୍ଷାର ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିଛି । ସମାଜକୁ ବୈଜ୍ଞାନିକ ଓ କୁଶଳୀ କରିବା ହେଉଛି ଶିକ୍ଷା ମାଧ୍ୟମରେ ଶିକ୍ଷକଙ୍କର ଦାୟିତ୍ୱ । ଆମ ଶିକ୍ଷା ସମାଜର ଦାୟିତ୍ୱ ଦୁନିଆର ସବୁ ବିଷୟ ଜାଣିବା ଏବଂ ସେ ସବୁକୁ ଛାତ୍ରଛାତ୍ରୀଙ୍କୁ ଜଣାଇବାକୁ ହେବ । ଶିକ୍ଷକଙ୍କ କାପାସିଟି ବଲଡିଂ ବଢାଇବାକୁ ହେବ । ତେବେ ଯାଇ ସମାଜ ଆଗକୁ ବଢିବ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି ।
Get real time updates directly on you device, subscribe now.