ଭୁବନେଶ୍ୱର : ଓଡ଼ିଶାର ଏକମାତ୍ର ଜୈବମଣ୍ଡଳ ‘ଶିମିଳିପାଳ’ରେ ଗୋଷ୍ଠୀ ସହଭାଗିତାରେ ବନ୍ୟପ୍ରାଣୀ ଓ ଜଙ୍ଗଲ ସୁରକ୍ଷା ଅଭିଯାନରେ ଗତ ୩ମାସ ମଧ୍ୟରେ ଶିମିଳିପାଳ ଜଙ୍ଗଲ ଓ ଆଖପାଖ ଅଞ୍ଚଳରୁ ୨୫୦ରୁ ଊର୍ଦ୍ଧ୍ବ ବନ୍ଧୁକ ଜବତ କରାଯାଇଥିବା ବେଳେ ୪୦ରୁ ଊର୍ଦ୍ଧ୍ବ ଶିକାରୀ ଧରା ପଡ଼ିଛନ୍ତି। ଜଙ୍ଗଲ ଓ ବନ୍ୟଜନ୍ତୁଙ୍କୁ ସୁରକ୍ଷା ଦେବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଥିବା ଅଭିନବ ପଦକ୍ଷେପର ସୁଫଳ ଏବେ ଧୀରେଧୀରେ ମିଳିବାରେ ଲାଗିଛି। ଏହି କ୍ରମରେ ଶିମିଳିପାଳ ବ୍ୟାଘ୍ର ଅଭୟାରଣର ସୁରକ୍ଷା ପାଇଁ ଏକ ଯୁଗ୍ମ ଟାସ୍କଫୋର୍ସ (ଜେଟିଏଫ୍) ଗଠନ କରାଯାଇଥିଲା। ଏହି ଯୁଗ୍ମ ଟାସ୍କଫୋର୍ସରେ ଉଭୟ ବନ ବିଭାଗ ଓ ପୁଲିସ କର୍ମଚାରୀ ସାମିଲ ରହିଛନ୍ତି। ୧୦୦ ସଶସ୍ତ୍ର ପୁଲିସ କନଷ୍ଟେବଳ ସାଙ୍ଗକୁ ୩ଜଣ ରେଞ୍ଜ ଅଫିସର, ୬ ଫରେଷ୍ଟରଙ୍କ ସହ ୮୧ ଜଣ ଫରେଷ୍ଟ ଗାର୍ଡ ସାମିଲ୍ ରହିଛନ୍ତି। ଜେଟିଏଫ୍ ସ୍ଥାନୀୟ ଅଞ୍ଚଳରେ ଗୁଇନ୍ଦା ବ୍ୟବସ୍ଥା ସୁଦୃଢ଼ କରିବା ପରେ ଅନେକ ସଫଳତା ମିଳିପାରିଛି। ରାଜ୍ୟ ସରକାରଙ୍କ ଏହି ପଦକ୍ଷେପ ଯୋଗୁଁ ଶିମିଳିପାଳ ସୁରକ୍ଷାରେ ଅନେକ ସଂସ୍କାର ଓ ସୁଧାର ଆସିଛି ବୋଲି ବନ ବିଭାଗ ଯୁକ୍ତି ବାଢ଼ିଛି। କେବଳ ଗତ ସୋମବାର ଶିମିଳିପାଳ ଆଖପାଖରୁ ୭୧ଟି ବନ୍ଧୁକ ଜବତ ହେବା ଏହି ପଦକ୍ଷେପର ଏକ ବଡ଼ ଉପଲବ୍ଧି ବୋଲି କୁହାଯାଉଛି। ତେବେ ଆଗକୁ ଏ କ୍ଷେତ୍ରରେ ଆହୁରି ସଫଳତା ମିଳିବ ବୋଲି ବନବିଭାଗ ଆଶାବାଦୀ ରହିଛି।