THE BYAPINI

ସଂସଦର ସ୍ୱତନ୍ତ୍ର ଅଧିବେଶନରେ ଆସିପାରେ ମହିଳା ସଂରକ୍ଷଣ ବିଲ୍‌‌

Get real time updates directly on you device, subscribe now.

ଭୁବନେଶ୍ୱର: ଆସନ୍ତା ୧୮ରୁ ୨୨ ତାରିଖ ପର୍ୟ୍ୟନ୍ତ ବସିବ ସଂସଦର ସ୍ୱତନ୍ତ୍ର ଅଧିବେଶନ। ଏହି ୫ ଦିନିଆ ସଂକ୍ଷିପ୍ତ ଅଧିବେଶନକୁ ନେଇ ବହୁ କଳ୍ପନାଜଳ୍ପନା ପ୍ରକାଶ ପାଉଥିବା ବେଳେ କେନ୍ଦ୍ର ସରକାର ମହିଳା ସଂରକ୍ଷଣ ବିଲ୍‌‌ ଆଗତ କରିପାରନ୍ତି ବୋଲି ଜାତୀୟ ଗଣମାଧ୍ୟମରେ ଆଲୋଚନା ଜୋର୍‌‌ ଧରିଛି। ଉପରାଷ୍ଟ୍ରପତି ଜଗଦୀପ୍‌‌ ଧନକଡ଼ ମଧ୍ୟ ଏକ କାର୍ୟ୍ୟକ୍ରମରେ ଯୋଗଦେବା ବେଳେ ଏ ନେଇ ସଙ୍କେତ ଦେଇଛନ୍ତି। ସେଦିନ ଆଉ ବେଶି ଦୂର ନୁହେଁ; ଯେତେବେଳେ ସମ୍ବିଧାନରେ ଆବଶ୍ୟକ ସଂଶୋଧନ କରାଯାଇ ମହିଳାଙ୍କୁ ଉଚିତ୍‌‌ ପ୍ରତିନିଧିତ୍ୱ ମିଳିବ ବୋଲି ଧନଖଡ଼ ଦେଇଥିବା ମନ୍ତବ୍ୟକୁ ନେଇ ଏହି ଚର୍ଚ୍ଚା ଆରମ୍ଭ ହୋଇଛି।

ଜାତୀୟସ୍ତରରେ ମହିଳା ସଂରକ୍ଷଣ ବିଲ୍‌‌କୁ ପାରିତ କରିବା ପାଇଁ ଦୀର୍ଘବର୍ଷ ଧରି ବିଜେଡି ଆନ୍ଦୋଳନ କରି ଆସୁଛି ଓ ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏ ସମ୍ପର୍କରେ କେନ୍ଦ୍ର ନିକଟରେ ବାରମ୍ବାର ଦାବି କରି ଆସିଛନ୍ତି। ସଂସଦର ଉଭୟ ସଦନଠାରୁ ଆରମ୍ଭ କରି ବିଭିନ୍ନ ଫୋରମ୍‌‌ରେ ଦଳୀୟ ନେତାମାନେ ମହିଳା ସଂରକ୍ଷଣ ବିଧେୟକ ପାରିତ କରାଇବାକୁ ଦାବି କରିଛନ୍ତି। ଏପରିକି ବିଭିନ୍ନ ଜାତୀୟ ତଥା ଆଞ୍ଚଳିକ ଦଳଙ୍କ ମଧ୍ୟରେ ସହମତି ସୃଷ୍ଟିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜର ପ୍ରତିନିଧିମାନଙ୍କୁ ବିଭିନ୍ନ ରାଜ୍ୟକୁ ପଠାଇଛନ୍ତି। ଏହି ପରିପ୍ରେକ୍ଷୀରେ ଯଦି ଆଗାମୀ ସ୍ୱତନ୍ତ୍ର ଅଧିବେଶନରେ ଏହି ବିଲ୍‌‌ ଆଗତ ହୁଏ, ତେବେ ନବୀନ ପଟ୍ଟନାୟକ ଓ ବିଜେଡି ପାଇଁ ଏହା ଜିତାପଟ ହେବ ବୋଲି ମଧ୍ୟ ଚର୍ଚ୍ଚା ଜୋର ଧରିଛି।
ଉଲ୍ଲେଖଯୋଗ୍ୟ ଯେ ସଂସଦର ଗତ ମୌସୁମୀ ଅଧିବେଶନରେ ମଧ୍ୟ ବିଜେଡି ସାଂସଦମାନେ ଏ ନେଇ ଜୋର୍‌‌ସୋରରେ ଦାବି ଉପସ୍ଥାପନ କରିଥିଲେ। ରାଜ୍ୟସଭାରେ ଦଳର ସାଂସଦମାନେ ଏ ନେଇ ଯଥାଯଥ ଯୁକ୍ତି ରଖିଥିଲେ। ଦୀର୍ଘଦିନ ଧରି ସଂସଦରେ ମହିଳା ସଂରକ୍ଷଣ ବିଧେୟକ ଦୀର୍ଘଦିନ ପଡ଼ି ରହିଛି। ମହିଳାଙ୍କ ସଶକ୍ତିକରଣ କ୍ଷେତ୍ରରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ବିଧେୟକ ହୋଇଥିବା ବେଳେ କେନ୍ଦ୍ର ସରକାର ତୁରନ୍ତ ଏହି ବିଧେୟକକୁ ଆଗତ କରିବାକୁ ଦାବି କରିଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିରନ୍ତର ଭାବେ ଏହି ବିଧେୟକ ପାରିତ କରିବା ପାଇଁ ଦାବି କରି ଆସୁଛନ୍ତି। ଏହି ବିଧେୟକ ପାରିତ ହେଲେ ଦେଶର ୬୬ କୋଟି ମହିଳାଙ୍କୁ ଏହା ପ୍ରକୃତ ରୂପେ ଶସକ୍ତ ଭାବେ ଗଢ଼ିତୋଳିବ ବୋଲି ଦଳର ସାଂସଦମାନେ କହିଥିଲେ।

Get real time updates directly on you device, subscribe now.

Leave A Reply

Your email address will not be published.