ସାରା ଶ୍ରୀକ୍ଷେତ୍ର ଜଗନ୍ନାଥମୟ
ପୁରୀ: ଚାରିଆଡେ ଚକାଆଖି । ସାରା ଶ୍ରୀକ୍ଷେତ୍ର ଜଗନ୍ନାଥମୟ। ନୟନରେ ନିଳଚକ୍ର । ଭରିଲା ଭକ୍ତର ମନ । ସମୁଦ୍ରକୂଳରୁ ସିଂହଦ୍ୱାର, ବଡ଼ଦାଣ୍ଡରୁ ବଡ଼ ଦେଉଳ ସବୁଠି ନାମ-ସଂକୀର୍ତ୍ତନ । ବେଦପାଠରେ କମ୍ପୁଛି ଶଙ୍ଖକ୍ଷେତ୍ର । ସେହି ବ୍ରହ୍ମ ମୂର୍ତ୍ତକୁ ଅପେକ୍ଷା । ଆଜି ଶ୍ରୀକ୍ଷେତ୍ର ଲେଖିବ ନୂଆ ଇତିହାସ । ଶୁଭମୂହୁର୍ତ୍ତରେ ହେବ ଶୁଭକାମ । ବୁଧବାର ପୁରୀ ପରିକ୍ରମା ପ୍ରକଳ୍ପର ଲୋକାର୍ପଣ । ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପ୍ରକଳ୍ପ ପ୍ରତିଷ୍ଠା ମହାଯଜ୍ଞରେ ବିଭିନ୍ନ କର୍ମ ଓ ପୂଜା ସହିତ ଆହୁତି ପ୍ରଦାନ କରାଯାଉଛି । ଯଜ୍ଞ ଶେଷରେ ପୂର୍ଣ୍ଣାହୁତି ପ୍ରଦାନ କରିବେ ଗଜପତି ମହାରାଜା ଦିବ୍ୟସିଂହ ଦେବ ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦିନ ୧.୨୦ ମିନିଟରେ ପରିକ୍ରମା ପ୍ରକଳ୍ପକୁ ଲୋକାର୍ପିତ କରିବେ ବୋଲି ଲଗ୍ନ ଧାର୍ୟ୍ୟ ହୋଇଛି । ଲୋକାର୍ପଣ ଫଳକର ଡୋରି ଫିଟାଇ ମୁଖ୍ୟମନ୍ତ୍ରୀ ଏହାର ଶୁଭ ଉଦ୍ଘାଟନ କରିବେ । ଏହାପରେ ଗଜପତି ଦେବେ ପୂର୍ଣ୍ଣାହୂତି । ଅପରାହ୍ନ ୧.୨୦ରେ ମୁଖ୍ୟମନ୍ତ୍ରୀ ଲୋକାର୍ପଣ ଫଳକ ଉନ୍ମୋଚନ କରିବେ । ୧.୩୦ରୁ ୨ଟା ମଧ୍ୟରେ ଗଜପତି ମହାରାଜା ପୂର୍ଣ୍ଣାହୂତି ସହ ଆରତି ଓ ପୁଷ୍ପାଞ୍ଜଳି ପ୍ରଦାନ କରିବେ । ମୁଖ୍ୟମନ୍ତ୍ରୀ ଶ୍ରୀମନ୍ଦିର ପରିକ୍ରମା ମାର୍ଗ ଲୋକାର୍ପଣ ଓ ପ୍ରଦକ୍ଷିଣ ପରେ ଦିନ ପ୍ରାୟ ୩ଟା ବେଳକୁ ସର୍ବସାଧାରଣଙ୍କ ନିମନ୍ତେ ସମସ୍ତ ରାସ୍ତା ଯାତାୟତ ନିମନ୍ତେ ଖୋଲି ଦିଆଯିବ ।