THE BYAPINI

ସାର, ଏଲ୍‌ପିଜି ଓ ଖାଦ୍ୟଶସ୍ୟରେ ବଢ଼ିବ ସବ୍‌ସିଡି

Get real time updates directly on you device, subscribe now.

ନୂଆଦିଲ୍ଲୀ: ଆସନ୍ତା ବର୍ଷ ଲୋକସଭା ନିର୍ବାଚନ ହେବାକୁ ଥିବାରୁ କେନ୍ଦ୍ର ସରକାର ସାର, ଏଲ୍‌ପିଜି ଓ ଖାଦ୍ୟଶସ୍ୟ ଉପରେ ଅଧିକ ସବ୍‌ସିଡି ଦେବା ଉପରେ ବିଚାର କରୁଛନ୍ତି। ଏହାର ପ୍ରଭାବରେ ୨୦୨୩-୨୪ ଆର୍ଥିକ ବର୍ଷର ସବ୍‌ସିଡି ବିଲ୍‌ରେ ୫୦,୦୦୦ କୋଟି ଟଙ୍କା ବୃଦ୍ଧି ହେବ। ବଜେଟ୍‌ରେ ସବ୍‌ସିଡି ଲାଗି ୪.୦୩ ଲକ୍ଷ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। ତାହା ୪.୫୩ ଲକ୍ଷ କୋଟି ଟଙ୍କାକୁ ବୃଦ୍ଧି ପାଇବାର ସମ୍ଭାବନା ରହିଛି। ଅବଶ୍ୟ ୨୦୨୨-୨୩ ଆର୍ଥିକ ବର୍ଷର ୫.୬୨ ଲକ୍ଷ କୋଟି ଟଙ୍କା ସବ୍‌ସିଡି ତୁଳନାରେ ଏହା କମ୍ ରହିବ।

ସରକାର ସବ୍‌ସିଡିକୁ ନେଇ ଏକ ଭିନ୍ନ ରଣନୀତି ଉପରେ କାମ କରୁଛନ୍ତି। ଖାଦ୍ୟ, ସାର ଓ ଏଲ୍‌ପିଜି ଉପରେ ଅଧିକ ସବ୍‌ସିଡି ଦିଆଯିବ। ସେଥିରେ ହେବାକୁ ଥିବା ବ୍ୟୟ ଭରଣା କରିବା ଲାଗି ଅନ୍ୟାନ୍ୟ ‌କ୍ଷେତ୍ରରେ ସଞ୍ଚୟ ଲାଗି ଉଦ୍ୟମ କରାଯିବ। ଆକଳନ ଅନୁସାରେ ସାର ସବ୍‌ସିଡିରେ ୨୫,୦୦୦ କୋଟି ଟଙ୍କା ବୃଦ୍ଧି ହେବ। ସେହିପରି ଖାଦ୍ୟ ସବ୍‌ସିଡି ପରିମାଣ ୧୫ ହଜାର କୋଟି ଟଙ୍କା ଓ ଏଲ୍‌ପିଜି ସବ୍‌ସିଡି ୧୦,୦୦୦ କୋଟି ଟଙ୍କା ବୃଦ୍ଧି ପାଇବ। ଗତବର୍ଷ ସାର ସବ୍‌ସିଡି ଲାଗି ବଜେଟ୍‌ରେ ୧.୦୫ ଲକ୍ଷ କୋଟି ଟଙ୍କାର ବ୍ୟୟବରାଦ କରାଯାଇଥିଲା।

ମାତ୍ର ରୁଷ୍‌-ୟୁକ୍ରେନ ଯୁଦ୍ଧକୁ ଦୃଷ୍ଟିରେ ରଖି ପରବର୍ତ୍ତୀ ସମୟରେ ସେହି ରାଶିକୁ ୨.୫୪ ଲକ୍ଷ କୋଟି ଟଙ୍କାକୁ ବୃଦ୍ଧି କରାଯାଇଥିଲା। ଚଳିତ ବର୍ଷ ଏଲ୍‌ପିଜି ମୂଲ୍ୟରେ ୩୦୦ ଟଙ୍କା ହ୍ରାସ କରାଯାଇଛି। ଏଲ୍‌ପିଜି ସବ୍‌ସିଡି ଲାଗି ବଜେଟ୍‌ରେ ୨,୨୫୭ କୋଟି ଟଙ୍କାର ବ୍ୟୟବରାଦ କରାଯାଇଥିଲା। ଏବେ ସେଥିପାଇଁ ଆଉ ୧୦ ହଜାର କୋଟି ଟଙ୍କା ଦରକାର ହେଉଛି। ଖାଦ୍ୟ ସବ୍‌ସିଡି ଲାଗି ୧.୯୭ ଲକ୍ଷ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। ମାତ୍ର ମାଗଣା ଖାଦ୍ୟଶସ୍ୟ ସ୍କିମ୍‌ର ଅବଧି ବୃଦ୍ଧି କରାଯାଇଥିବାରୁ ଆଉ ୧୫ ହଜାର କୋଟି ଟଙ୍କା ଦରକାର ହେବ ବୋଲି ଆକଳନ କରାଯାଇଛି।

Get real time updates directly on you device, subscribe now.

Leave A Reply

Your email address will not be published.