ସାଲେପୁରରୁ ଲଢିବେ ଧରଣୀଧର, ଟେନସନରେ ପ୍ରକାଶ !
ଧରଣୀଧର ନାୟକଙ୍କୁ ନେଇ ଏବେ ସାଲେପୁର ରାଜନୀତି ସରଗରମ ହୋଇଯାଇଛି । ହାଇକୋର୍ଟ ବାର ଆସୋସିଏସନର ସଭାପତି ଥିବା ଧରଣୀଧର ସାଲେପୁରରୁ ନିର୍ବାଚନ ଲଢ଼ିବେ ବୋଲି ଚର୍ଚ୍ଚା ଜୋରଧରିଛି । ଯାହାକୁ ନେଇ ଏବେ ପୂର୍ବତନ ବିଧାୟକ ପ୍ରକାଶ ବେହେରା ଟେନସନରେ ପଡ଼ିଯାଇଛନ୍ତି ।
କଂଗ୍ରେସ ଅଳିନ୍ଦରେ ହେଉଥିବା ଚର୍ଚ୍ଚା ଅନୁଯାୟୀ, କଂଗ୍ରେସ ଭବନରେ ଏନେଇ ଏକ ବୈଠକ ହୋଇଥିଲା । ଏସସି ଏସଟି ଓ ପଛୁଆ ବର୍ଗର ରାଷ୍ଟ୍ରୀୟ ସଂଯୋଜକ କେ. ରାଜୁ ଓ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ସହ ଧରଣୀଧର ଆଲୋଚନା କରିଛନ୍ତି । ସାଲେପୁରରୁ ଧରଣୀଧରଙ୍କୁ ପ୍ରାର୍ଥୀ କରିବା ପାଇଁ ନିଷ୍ପତି ନିଆଯାଇଥିବା ଜଣାପଡ଼ିଛି । ବରିଷ୍ଠ ଆଇନଜୀବୀ ଭାବେ ତାଙ୍କର ବେଶ ସୁଖ୍ୟାତି ରହିଛି । ସେ କେନ୍ଦ୍ରାପଡାରୁ ଦୁଇ ଦୁଇ ଥର ଲୋକସଭା ନିର୍ବାଚନ ଲଢ଼ିବା ସହ ଭଲ ଭୋଟ ପାଇଥିଲେ । ପୂର୍ବରୁ ସାଲେପୁରରେ କଂଗ୍ରେସର ଭଲ ଭୋଟ ବ୍ୟାଙ୍କ ରହିଥିଲା । ତେବେ ଗତ ନିର୍ବାଚନରେ କଂଗ୍ରେସ ନେତା ପ୍ରକାଶ ବେହେରା ଦଳ ଛାଡ଼ି ବିଜେପିରେ ଯୋଗ ଦେଇଥିଲେ । ଭଲ ନେତୃତ୍ୱ ଅଭାବରୁ କଂଗ୍ରେସ କର୍ମୀମାନେ ପ୍ରକାଶଙ୍କ ସହ ବିଜେପି ଯିବାକୁ ବାଧ୍ୟ ହୋଇଥିଲେ । ସେପଟେ ମୋଦିଙ୍କ ହାୱା ଯୋଗୁଁ ବିଜେପି ଭୋଟ ଟାଣିବାରେ ସଫଳ ହୋଇଥିଲା । କିନ୍ତୁ ଏବେ ସାଲେପୁରର ରାଜନୀତିକ ସ୍ଥିତି ବଦଳିବାରେ ଲାଗିଛି । ବିଜେପିକୁ ଯାଇଥିବା ପୁରୁଣା କଂଗ୍ରେସ କର୍ମୀମାନେ ଘରବାହୁଡ଼ା ଆରମ୍ଭ କରିଛନ୍ତି । ଧରଣୀଧର ସାଲେପୁରରୁ ଲଢ଼ିଲେ ବିଜେଡ଼ି ଓ ବିଜେପି ସହ କଡ଼ା ଟକ୍କର ହେବାର ସମ୍ଭାବନା ରହିଛି । ପୁରଣା ନେତାମାନେ ବି ତାଙ୍କୁ ପ୍ରାର୍ଥୀ କରିବା ଉପରେ ଗୁରୁତ୍ୱ ଦେଉଛନ୍ତି ।
ସେପଟେ କେନ୍ଦ୍ରାପଡ଼ା ରାଜନୀତିରେ ଆଉ ପୂର୍ବଭଳି ସକ୍ରିୟ ନାହାନ୍ତି ବୈଜୟନ୍ତ ପଣ୍ଡା । ବିଜେପିର ବି ଆଉ ଆଗଭଳି ହାୱା ବହୁନାହିଁ । ଯାହାର ପ୍ରଭାବ ସାଲେପୁରରେ ଦେଖିବାକୁ ମିଳୁଛି । ଧରଣୀଧର ମଇଦାନକୁ ଓହ୍ଲାଇଲେ ତ୍ରିମୁଖୀ ପ୍ରତିଦ୍ୱନ୍ଦ୍ୱିତା ହେବା ନିଶ୍ଚିତ । ସେହିପରି ପୁରୁଣା କର୍ମୀମାନେ କଂଗ୍ରେସକୁ ଆସିବା ପରେ ବିଜେପି ଭୋଟ ପ୍ରଭାବିତ ହେବ ବୋଲି ଆକଳନ କରାଯାଉଛି । ଯାହାକୁ ନେଇ ପ୍ରକାଶ ବେହେରା ଟେନସନରେ ପଡ଼ି ଯାଇଛନ୍ତି । କାହିଁକିନା ତାଙ୍କ ସହ ଥିବା ନେତାମାନେ ମୂଳ କଂଗ୍ରେସ । ଆଗାମୀ ଦିନରେ ସାଲେପୁର ରାଜନୀତି କେଉଁ ମୋଡ଼ ନେଉଛି ତାହା ଉପରେ ଏବେ ସମସ୍ତଙ୍କ ନଜର ।