ସିରିଆରେ ଇସ୍ରାଏଲର ଏୟାର ଷ୍ଟ୍ରାଇକ, ୫ ମୃତ
ନୂଆଦିଲ୍ଲୀ: ସିରିଆ ରାଜଧାନୀ ଦାମାସକସ୍ରେ ଇସ୍ରାଏଲର ବଡ ଧରଣର ଏୟାର ଷ୍ଟ୍ରାଇକ । ଶନିବାର ସିରିଆରେ ଥିବା ଇରାନ ପାରାମିଲିଟାରୀ ରିଭୋଲ୍ୟୁସନାରୀ ଗାର୍ଡର ୪ ମହଲା ବିଶିଷ୍ଟ ବିଲ୍ଡିଂ ଉପରେ ଆକ୍ରମଣ କରିଛି ଇସ୍ରାଏଲ । ଇରାନ ମିଡିଆ ରିପୋର୍ଟ ଅନୁଯାୟୀ, ଏଥିରେ ଅତିକମରେ ୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ବିଲ୍ଡିଂ ସମ୍ପୂର୍ଣ୍ଣ ଧ୍ୱଂସସ୍ତୁପରେ ପରିଣତ ହୋଇଯାଇଛି । ଏଥିରେ ଇରାନୀ ରିଭୋଲ୍ୟୁସନାରୀ ଗାର୍ଡର ଇଣ୍ଟେଲିଜେନ୍ସ ମୁଖ୍ୟ ଓ ଡେପୁଟି ମୁଖ୍ୟଙ୍କ ମୃତ୍ୟୁ ହୋଇଥିବା ନେଇ ସ୍ପଷ୍ଟ କରାଯାଇଛି ।
ଅନ୍ୟପଟେ ସିରିଆ ସେନା ଦ୍ବାରା ଜାରି ସୂଚନା ଅନୁଯାୟୀ, ରାଜଧାନୀ ଦାମାସକସ୍ର ମାହେଜରେ ଏକ ଚାରି ମହଲା ବିଶିଷ୍ଟ କୋଠା ଉପରେ ଆକ୍ରମଣ ହୋଇଛି । ଏହି ଆକ୍ରମଣରେ କୋଠାଟି ସମ୍ପୂର୍ଣ୍ଣ ଭାବେ ଧ୍ୱଂସ ହୋଇଯାଇଛି । ଇସ୍ରାଏଲ ପକ୍ଷରୁ ଏହି ଆକ୍ରମଣ କରାଯାଇଥିବା ସିରିଆ ପକ୍ଷରୁ ଦାବି କରାଯାଇଛି । ଏହାର କିଛି ଘଣ୍ଟା ପରେ ଦକ୍ଷିଣ ଲେବାନନର ଏକ ସହର ଉପରେ ଇସ୍ରାଏଲ ଡ୍ରୋନ ଷ୍ଟ୍ରାଇକ କରିଥିଲା । ଏହି ଆକ୍ରମଣରେ ଜଣେ ହିଜାବୁଲ୍ଲାହ ସଦସ୍ୟ ସହ ୨ ଜଣଙ୍କ ମୃତ୍ୟୁ ହୋଇଥିବା ନେଇ ସୂଚନା ରହିଛି ।
ସିରିଆ ମାନବଧିକାର ସଂସ୍ଥାର ଅଧ୍ୟକ୍ଷ ରାମି ଅବ୍ଦୁଲ ରେହମାନଙ୍କ କହିବାନୁଯାୟୀ, ଇସ୍ରାଏଲ ଆକ୍ରମଣରେ ୧୦ ଜଣଙ୍କ ଜୀବନ ଯାଇଛି । ବିଲ୍ଡିଂ ଧ୍ୱଂସବିଧ୍ୱଂସ ହୋଇଯିବା କାରଣରୁ ଅନେକ ଲୋକେ ସେହି ଭଙ୍ଗା ବିଲ୍ଡିଂ ତଳେ ଫସି ଯାଇ ପ୍ରାଣ ହରାଇଥିଲେ । ସେମାନଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଏହି ଆକ୍ରମଣରେ ଅତିକମରେ ୫ ଜଣ ଇରାନ ଅଧିକାରୀଙ୍କ ମୃତ୍ୟୁ ହୋଇଥିବା ନେଇ ସୂଚନା ରହିଛି । ଏଥିରେ ଇରାନୀ ରିଭୋଲ୍ୟୁସନାରୀ ଗାର୍ଡର ଇଣ୍ଟେଲିଜେନ୍ସ ମୁଖ୍ୟ ଓ ଡେପୁଟି ମୁଖ୍ୟଙ୍କ ମୃତ୍ୟୁ ହୋଇଥିବା ନେଇ ସ୍ପଷ୍ଟ କରାଯାଇଛି । ପ୍ରଥମେ ଏଥିରେ ୫ ଜଣଙ୍କ ମୃତ୍ୟୁ ହୋଇଥିବା କୁହାଯାଉଥିବା ବେଳେ ମୃତ୍ୟୁସଂଖ୍ୟା ବୃଦ୍ଧି ପାଇ ୧୦ରେ ପହଞ୍ଚିଥିବା ଜଣାପଡିଛି । ଇସ୍ରାଏଲ ସିରିଆର ଯେଉଁ ଅଞ୍ଚଳରେ ଏହି ଆକ୍ରମଣ କରିଛି ତାହାକୁ ହାଇସିକ୍ୟୁରିଟି ଅଞ୍ଚଳ କୁହାଯାଇଥାଏ । ଏହି ଅଞ୍ଚଳରେ ଇରାନୀ ରିଭୋଲ୍ୟୁସନାରୀ ଗାର୍ଡସ ଓ ହମାସ ନେତାମାନଙ୍କ ଘର ଅଟେ । ଇସ୍ରାଏଲ ଏହାକୁ ପ୍ରଥମେ ଚିହ୍ନଟ କରି ଆକ୍ରମଣ କରିଥିବା କୁହାଯାଉଛି ।