ସ୍ଵର୍ଗଦ୍ଵାର: ମଣିଷର ଶେଷ ଠିକଣା, ସନାତନ ଧର୍ମରେ ସ୍ବର୍ଗପ୍ରାପ୍ତିର କେନ୍ଦ୍ର
() ସ୍ଵର୍ଗଦ୍ଵାର, ସମସ୍ତଙ୍କ ଶେଷ ଠିକଣା । ଜନ୍ମ ଅଛି ମାନେ ମୃତ୍ୟୁ ବି ଅଛି। ଆଉ ମୃତ୍ୟୁ ପରେ ସମସ୍ତେ ଚାହାନ୍ତି ସ୍ଵର୍ଗଦ୍ଵାର ଯିବାକୁ। କାରଣ ବିଶ୍ୱାସ ରହିଛି ମଣିଷ ମଲା ପରେ ଯଦି ତା ଶବର ଶେଷ ସତ୍କାର ସ୍ବର୍ଗଦ୍ବାରରେ କରାଯାଏ ତେବେ ଆତ୍ମା ଶାନ୍ତି ପାଇବ, ସ୍ବର୍ଗପ୍ରାପ୍ତି ହେବ। ଅର୍ଥାତ୍ ମୃତ୍ୟୁ ପରେ ମହାମୁକ୍ତି ପାଇଁ ସ୍ବର୍ଗଦ୍ବାର ହିଁ ଏକମାତ୍ର ଦ୍ବାର। ହିନ୍ଦୁଧର୍ମ ସହ ଯଡିତ ଏହି ସ୍ଵର୍ଗଦ୍ଵାର ଓଡ଼ିଆଙ୍କ ଅସ୍ମିତା, ମଣିଷଙ୍କ ଭାବାବେଗ। ତେବେ ଏହି ସ୍ଵର୍ଗଦ୍ଵାରକୁ ଅଧିକ ସୁନ୍ଦର ଓ ଆକର୍ଷଣୀୟ କରିବା ପାଇଁ ରାଜ୍ୟ ସରକାର ଗୁରୁତ୍ବ ଦେଇଛନ୍ତି। ଆସନ୍ତା ମାର୍ଚ୍ଚ ସୁଦ୍ଧା ସ୍ଵର୍ଗଦ୍ଵାରର ସମସ୍ତ ସୌନ୍ଦର୍ୟ୍ୟକରଣ କାମ ଶେଷ ହେବ ବୋଲି ନିଷ୍ପତ୍ତି ନିଆଯାଇଛି।
ସନାତନ ଧର୍ମରେ ସ୍ଵର୍ଗଦ୍ଵାରର ସ୍ଥାନ ସ୍ବତନ୍ତ୍ର । ସ୍ଵର୍ଗଦ୍ଵାର ହିନ୍ଦୁ ମାନଙ୍କର ଆଶା ବିଶ୍ୱାସର କେନ୍ଦ୍ରସ୍ଥଳୀ। ମୃତ୍ୟୁ ପରେ ସମସ୍ତେ ଚାହାନ୍ତି ଏଠାକୁ ଆସିବାକୁ। ମରଶରୀରର ଅନ୍ତିମ ସଂସ୍କାର ହେଉଥିଲେ ହେଁ ଏ ସ୍ଥାନ ପବିତ୍ର। କଥାରେ ଅଛି ମହାପ୍ରତାପୀ, ଲଙ୍କାପତି ରାବଣ ଏହି ବାଟେ ହିଁ ସ୍ବର୍ଗରୁ ଓହ୍ଲାଇଥିଲେ। ସ୍ବର୍ଗରୁ ଶିଢି ପକାଇ ସ୍ଵର୍ଗଦ୍ଵାରରେ ସିଧା ଓହ୍ଲାଇବା ପରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିଥିଲେ। ତେବେ କିମ୍ବଦନ୍ତୀ ଅନୁସାରେ ଆଜି ବି ସ୍ଵର୍ଗଦ୍ଵାରରେ ସେ ଶିଢି ଅଛି। ଏକ ପଥର ଖଣ୍ଡକୁ ଲୋକେ ମାହାଜ୍ଞାନୀ ରାବଣଙ୍କ ସ୍ବର୍ଗର ଶିଢି କହୁଛନ୍ତି। ତେବେ ଖାଲି ରାବଣ ନୁହନ୍ତି ଅନ୍ୟ ଦେବାଦେବୀମାନେ ମଧ୍ୟ ପୁଷ୍ପକ ବିମାନରେ ପୁରୀ ଶ୍ରୀକ୍ଷେତ୍ରକୁ ଏହି ସ୍ଵର୍ଗଦ୍ଵାର ବାଟେ ଆସିଥାନ୍ତି ବୋଲି ଲୋକକଥା ରହିଛି। ମହୋଦଧି କୂଳେ ଥିବା ସ୍ବର୍ଗପ୍ରାପ୍ତିର ଏ ଦ୍ବାର ହିନ୍ଦୁଧର୍ମର ହୃଦୟରେ ଏକ ନିଆରା ଛାପ।
ତେବେ ସ୍ଵର୍ଗପ୍ରାପ୍ତିର ବିଶ୍ୱାସ ନେଇ ଖାଲି ରାଜ୍ୟ ନୁହେଁ ରାଜ୍ୟ ବାହାରୁ ମଧ୍ୟ ଦାହ ସଂସ୍କାର ପାଇଁ ସ୍ଵର୍ଗଦ୍ଵାର ଆସନ୍ତି। ଏବେ ସ୍ଵର୍ଗଦ୍ଵାରର ସୌନ୍ଦର୍ୟ୍ୟକରଣ ସହ ଶବ ସାଥିରେ ଆସୁଥିବା ସମ୍ପର୍କୀୟଙ୍କ ସୁବିଧା ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଉଛି। ଉନ୍ନତି ମୂଳକ କାର୍ୟ୍ୟ ଆଗେଇ ଚାଲିଥିବା ବେଳେ ସେଡ୍ ଓ ଅନ୍ୟାନ୍ୟ ଆନୁଷଙ୍ଗିକ ସୁବିଧା ବି ସ୍ଵର୍ଗଦ୍ଵାରରେ ମିଳିବ ।