ନୂଆଦିଲ୍ଲୀ: ସେପ୍ଟେମ୍ବର ପ୍ରଥମ ସପ୍ତାହରେ ଇସ୍ରୋର ସୂର୍ଯ୍ୟ ମିଶନ ଆରମ୍ଭ ହେବାକୁ ଯାଉଥିବା ଜଣାପଡିଛି । ଲୁନାର ସାଉଥ ପୋଲରେ ସଫ୍ଟ ଲ୍ୟାଣ୍ଡିଂ ପରେ ସନ୍ ମିଶନ ଲଞ୍ଚ କରିବାକୁ ଯାଉଛି ଭାରତୀୟ ମହାକାଶ ବିଜ୍ଞାନ ସଂସ୍ଥା । ପୂର୍ବରୁ ସେପ୍ଟେମ୍ବରରେ ମିଶନ ଆରମ୍ଭ ନେଇ ଘୋଷଣା କରାଯାଇଥବା ବେଳେ ଏବେ ଇସ୍ରୋ ମିଶନର ତାରିଖ ଘୋଷଣା କରିଛି । ସେପ୍ଟେମ୍ବର ୨ତାରିଖରେ ଭାରତ ସୂର୍ଯ୍ୟ ମିଶନ ଆରମ୍ଭ କରାଯିବ । ପୃଥିବୀଠାରୁ ପ୍ରାୟ ୧୫ ଲକ୍ଷ କିଲୋମିଟର ଦୂରରେ ହାଲୋ ଅରବିଟରେ ଅବସ୍ଥାପିତ ହେବ ଆଦିତ୍ୟ-ଏଲ୍ ୱାନ । ନିର୍ଦ୍ଧାରିତ ସ୍ଥାନରେ ପହଞ୍ଚିିବା ଲାଗି ଆଦିତ୍ୟ ଏଲ ୱାନକୁ ପ୍ରାୟ ୪ ମାସ ସମୟ ଲାଗିବ ।
ବିଭିନ୍ନ ଗବେଷଣା ଲାଗି ଆଦିତ୍ୟ ଏଲ୍ ୱାନ ସହ ପଠାଯିବ ୭ଟି ପେ-ଲୋଡ । ସେମାନେ ଅଲଗା ଅଲଗା ୱେଭ ବ୍ୟାଣ୍ଡରେ ସୂର୍ଯ୍ୟର ପର୍ଯ୍ୟବେକ୍ଷଣ କରିବାରେ ସାହାଯ୍ୟ କରିବେ । ଆଦିତ୍ୟ ଏଲ-ୱାନ ସମ୍ପୂର୍ଣ ସ୍ୱଦେଶୀ ମିଶନ ବୋଲି ଇସ୍ରୋର ପକ୍ଷରୁ କୁହାଯାଇଛି । ବେଙ୍ଗାଲୁରୁର ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ଏଷ୍ଟ୍ରୋ ଫିଜିକ୍ସର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ଏଥିସହିତ ପୁଣେର ଇଣ୍ଟର ୟୁନିଭର୍ସିଟି ସେଣ୍ଟର ଫର ଏଷ୍ଟ୍ରୋନୋମି ଆଣ୍ଡ ଏଷ୍ଟ୍ରୋଫିଜିକ୍ସର ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ଏହି ଦୁଇ ସଂସ୍ଥା ବିଭିନ୍ନ ପେଲୋଡ ବିକଶିତ କରିବାରେ ସାହାଯ୍ୟ କରିଛନ୍ତି । ଆଦିତ୍ୟ ଏଲ ୱାନ ଅଲ୍ଟ୍ରାଭାୟୋଲେଟ ପେଲୋଡକୁ ବ୍ୟବହାର କରି ସୂର୍ଯ୍ୟର ସବୁଠାରୁ ବାହ୍ୟ ଅଂଶ କରୋନା ଏବଂ ଏକ୍ସରେ ପେଲୋଡର ବ୍ୟବହାର କରି ସୋଲାର କ୍ରୋମୋସ୍ପିୟରସ୍ତରର ପର୍ଯ୍ୟବେକ୍ଷଣ କରିପାରିବ । ସାଟେଲାଇଟର ଓଜନ ୧୫ ଶହ କେଜି ହୋଇଥିବାବେଳେ ଏହାକୁ ଶ୍ରୀହରିକୋଟାରୁ ପିଏସଏଲଭି ଜରିଆରେ ଉତକ୍ଷେପଣ କରାଯିବ ବୋଲି ଜଣାପଡିଛି ।
Get real time updates directly on you device, subscribe now.
