ମୁମ୍ବାଇ: ରଜନୀକାନ୍ତ ବର୍ତ୍ତମାନ ତାଙ୍କ ଫିଲ୍ମ ‘ଜେଲର’ର ସଫଳତାକୁ ଉପଭୋଗ କରୁଛନ୍ତି । ଅଗଷ୍ଟ ୧୦ ରେ ମୁକ୍ତିଲାଭ କରିଥିବା ରଜନୀକାନ୍ତଙ୍କ ଜେଲର ଚଳଚ୍ଚିତ୍ର ଏବେ ରେକର୍ଡ ବ୍ରେକିଂ ସଫଳତା ପାଇଛି । ଏହି ଚଳଚ୍ଚିତ୍ରଟି ପ୍ରେକ୍ଷାଳୟରେ ରିଲିଜ୍ ହେବାର ମାତ୍ର ୨୩ ଦିନରେ ୬୪୦ କୋଟି ଟଙ୍କା ଆୟ କରିଛି । ଏହି ଆକ୍ସନ୍ ପ୍ୟାକ ମୁଭିର ନିର୍ଦ୍ଦେଶନା ଦେଇଛନ୍ତି ନେଲସନ ଦିଲୀପକୁମାର । ଏହା ୨୦୨୩ ର ସର୍ବାଧିକ ଆୟ କରିଥିବା ତାମିଲ୍ ଚଳଚ୍ଚିତ୍ର ଅଟେ । ଏହାର ସଫଳତା ସହିତ ଫିଲ୍ମ ନିର୍ମାତା ରଜନୀକାନ୍ତଙ୍କୁ ଏକ ନୂତନ ବିଏମଡବ୍ଲୁ କାର ଉପହାର ଦେଇଛନ୍ତି । ଖବର ଅନୁଯାୟୀ, ନିର୍ମାତା ରଜନୀକାନ୍ତଙ୍କୁ ୧୦୦ କୋଟି ଟଙ୍କାର ଚେକ୍ ଦେଇଥିଲେ । ବର୍ତ୍ତମାନ ଫିଲ୍ମର ସଫଳତା ପରେ ରଜନୀକାନ୍ତ ଭାରତୀୟ ସିନେମାରେ ସର୍ବାଧିକ ପାରିଶ୍ରମିକ ପ୍ରାପ୍ତ ଅଭିନେତା ହୋଇପାରିଛନ୍ତି । ଖବର ଅନୁଯାୟୀ, ‘ଜେଲର’ରେ ମୁଥୁଭେଲ ପାଣ୍ଡିଆନଙ୍କ ମୁଖ୍ୟ ଭୂମିକାରେ ଅଭିନୟ କରିବା ପାଇଁ ରଜନୀକାନ୍ତଙ୍କୁ ୨୧୦ କୋଟି ଟଙ୍କା ପାରିଶ୍ରମିକ ପ୍ରଦାନ କରାଯାଇଥିଲା ଏବଂ ଫିଲ୍ମର ଏକ ଅଂଶ ହୋଇଥିବାରୁ ୧୦୦ କୋଟି ଟଙ୍କା ଅତିରିକ୍ତ ଦେୟ ପ୍ରଦାନ କରିଥିଲେ ଏହି ଅଭିନେତା ସର୍ବାଧିକ ପାରିଶ୍ରମିକ ପ୍ରାପ୍ତ ଅଭିନେତା । ୨୦୦୭ ରେ ଯେତେବେଳେ ରଜନୀକାନ୍ତଙ୍କ ଚଳଚ୍ଚିତ୍ର ‘ଶିବାଜୀ ଦି ବସ୍’ ରିଲିଜ୍ ହୋଇଥିଲା, ସେତେବେଳେ ରଜନୀକାନ୍ତ ମଧ୍ୟ ସର୍ବାଧିକ ଆୟ କରିଥିବା ଅଭିନେତା ଥିଲେ । ସେପ୍ଟେମ୍ବର ୭ ରେ ‘ଜେଲର୍’ ଏହାର ଡିଜିଟାଲ୍ ପ୍ରିମିୟର୍ ପାଇଁ ପ୍ରସ୍ତୁତ ହୋଇଛି ଏବଂ ଏହି ଚଳଚ୍ଚିତ୍ର ମୁଖ୍ୟ ଭୂମିକାରେ ରଜନୀକାନ୍ତ, ରାମିଆ କୃଷ୍ଣନ୍, ମୋହନଲାଲ୍, ବିନୟାକନ୍, ଜ୍ୟାକି ଶ୍ରଫ୍, ଶିବ ରାଜକୁମାର, ସୁନୀଲ ଏବଂ ତମନ୍ନା ଭାଟିଆ, ଯୋଗୀ ବାବୁ ଅଛନ୍ତି । ଏହି ଚଳଚ୍ଚିତ୍ର ସଙ୍ଗୀତକୁ ଅନିରୁଦ୍ଧ ରବିଚାନ୍ଦ ରଚନା କରିଛନ୍ତି ।