ନୂଆଦିଲ୍ଲୀ: ଦିନକୁ ଦିନ ବଢୁଥିବା ରେଳ ଦୁର୍ଘଟଣା ଯୋଗୁଁ ଯାତ୍ରୀଙ୍କ ମନରେ ରେଳ ଯାତ୍ରା ପ୍ରତି ସୃଷ୍ଟି ହେଉଥିବା ଭୟର ଦୂର କରିବା ଓ ରେଳ ବ୍ୟବସ୍ଥା ପ୍ରତି ପୁଣି ବିଶ୍ୱାସ ଫେରାଇ ଆଣିବା ପାଇଁ ଭାରତୀୟ ରେଳ ବିଭାଗ ପକ୍ଷରୁ ରେଳ ଦୁର୍ଘଟଣାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପରିବାର ତଥା ଗୁରୁତରଙ୍କୁ ପ୍ରଦାନ କରାଯାଉଥିବା ସହାୟତା ରାଶି ପରିମାଣ ୧୦ ଗୁଣା ବୃଦ୍ଧି କରାଯାଇଛି । ରେଳବାଇ ପକ୍ଷରୁ ଜାରି ସୂଚନା ଅନୁଯାୟୀ, ରେଳ ଦୁର୍ଘଟଣା ଓ ଅତର୍କିତ ଭାବେ ଘଟୁଥିବା ଅନ୍ୟ ଘଟଣା ଯୋଗୁ ଟ୍ରେନ ଯାତ୍ରୀଙ୍କ ମୃତ୍ୟୁ ହେଲେ ଏହି ବର୍ଦ୍ଧିତ କ୍ଷତିପୂରଣ ରାଶି ପ୍ରଦାନ କରାଯିବ । ରେଳବାଇର ନୂଆ ନିର୍ଦ୍ଦେଶାନାମା ଅନୁଯାୟୀ, ଟ୍ରେନ ଦୁର୍ଘଟଣାରେ ମୃତକଙ୍କ ପରିବାରକୁ ୫୦ ହଜାର ପରିବର୍ତ୍ତେ ୫ ଲକ୍ଷ ଟଙ୍କାର ସହାୟତା ରାଶି ମିଳିବ । ସେହିପରି ଗୁରୁତର ଆହତଙ୍କୁ ମିଳୁଥିବା କ୍ଷତିପୂରଣ ରାଶି ୨୫ ହଜାରରୁ ବଢ଼ାଇ ୨.୫୦ ଲକ୍ଷ ଟଙ୍କା କରାଯାଇଛି । ସାମାନ୍ୟ ଆହତ ହୋଇଥିବା ଯାତ୍ରୀଙ୍କୁ ୫ ହଜାର ପରିବର୍ତ୍ତେ ୫୦ ହଜାର ଟଙ୍କା ମିଳିବ ବୋଲି ଉଲ୍ଲେଖ କରାଯାଇଛି । ପୂର୍ବରୁ ରେଳବାଇ ପକ୍ଷରୁ ୨୦୧୨ ଓ ୨୦୧୩ ମସିହାରେ କ୍ଷତିପୂରଣ ରାଶିର ପରିମାଣରେ ସଂଶୋଧନ କରାଯାଇଥିଲା । ଏହାବ୍ୟତୀତ ରେଳ ଉପରେ ଆତଙ୍କବାଦୀ ଆକ୍ରମଣ, ରେଳଯାତ୍ରା ସମୟରେ ଡକାୟତି, ହିସାଂକାଣ୍ଡ ଆଦି ଘଟଣା ଘଟି କାହାର ଜୀବନହାନୀ ହେଲେ ତଥା କେହି ଗୁରୁତର ଆହତ ହେଲେ ସହାୟତା ରାଶିର ପରିଣାମ ବଢ଼ାଯିବ । ଏପରି ଘଟଣାରେ ମୃତ୍ୟୁମୁଖରେ ପଡୁଥିବା ଯାତ୍ରୀଙ୍କୁ ୫୦ ହଜାର ବଦଳରେ ଦେଢ ଲକ୍ଷ, ଗୁରୁତରଙ୍କୁ ୨୫ ହଜାର ବଦଳରେ ୫୦ ହଜାର ଓ ସାମାନ୍ୟ ଆହତଙ୍କୁ ୫ ହଜାର ଟଙ୍କା ମିଳିବ ।