ଭୁବନେଶ୍ୱର: ଦୀର୍ଘ ଦୁଇ ବର୍ଷର ବ୍ୟବଧାନ ପରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ତରଫରୁ ଶିଶୁ ଦିବସ ଅବସରରେ ଅନୁଷ୍ଠିତ ହେଉଛି ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’। ଶିକ୍ଷାନୁଷ୍ଠାନଗୁଡ଼ିକରେ ପାଳନ ହେବ ଶିଶୁମେଳା ତଥା ସୁରଭି କାର୍ଯ୍ୟକ୍ରମ। ଏଥି ଲାଗି ସ୍କୁଲ ଓ ଗଣଶିକ୍ଷା ବିଭାଗ ବିଶେଷ ଆୟୋଜନ କରିବା ସହିତ ସମସ୍ତ ଜିଲ୍ଲାଶିକ୍ଷାଧିକାରୀମାନଙ୍କୁ ସୁରଭି କାର୍ଯ୍ୟାକ୍ରମ ପାଳନ ପାଇଁ ମାର୍ଗଦର୍ଶିକା ଜାରି କରିଛି। ମଙ୍ଗଳବାରଠାରୁ ଆସନ୍ତା ୧୬ ତାରିଖ, ଗୁରୁବାର ପର୍ଯ୍ୟନ୍ତ ୟୁନିଟ୍-୯ ବାଳକ ଉଚ୍ଚ ବିଦ୍ୟାଳୟ ପରିସରରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହେଉଛି। ଏହି ମହୋତ୍ସବରେ ବ୍ଲକ୍ ଓ ଜିଲ୍ଲାସ୍ତରରେ ବିଭିନ୍ନ ପ୍ରତିଯୋଗିତାରେ ବିଜେତା ଛାତ୍ରଛାତ୍ରୀମାନେ ଯୋଗ ଦେବେ। ପ୍ରାୟ ୨ ହଜାରରୁ ଅଧିକ ଛାତ୍ରଛାତ୍ରୀ ଏଥିରେ ଅଂଶଗ୍ରହଣ କରିବେ। ଏହି ତିନିଦିନିଆ ମହୋତ୍ସବର ମୁଖ୍ୟ ଆକର୍ଷଣ ସାଜିବ ‘ଆକାଂକ୍ଷୀ ପାଭିଲିୟନ୍’।
ବିଦ୍ୟାଳୟରେ ଆରମ୍ଭ ହୋଇଥିବା ଆକାଂକ୍ଷୀ ପାଠ୍ୟକ୍ରମ ଏବଂ କ୍ଲବ୍ କାର୍ଯ୍ୟକ୍ରମଗୁଡି଼କ ଏହି ପାଭିଲିୟନ୍ରେ ପ୍ରଦର୍ଶିତ ହେବ। ୫-ଟି ବିଦ୍ୟାଳୟ ରୂପାନ୍ତରୀକରଣ ଅଧିନରେ ଗ୍ରହଣ କରାଯାଇଥିବା ବିଭିନ୍ନ ଅଭିନବ ପଦକ୍ଷେପକୁ ଛାତ୍ରଛାତ୍ରୀ, ଶିକ୍ଷକ-ଶିକ୍ଷୟିତ୍ରୀ ଓ ଦର୍ଶକମାନେ ଦେଖିପାରିବେ। ଏହି ଉତ୍ସବରେ ରାଜ୍ୟସ୍ତରୀୟ ବିଭିନ୍ନ ପ୍ରତିଯୋଗିତା ଆୟୋଜିତ ହେବ। ଜିଲାସ୍ତରରୁ ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀମାନେ ଏହିସବୁ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ନିଜ ପ୍ରତିଭାର ପ୍ରଦର୍ଶନ କରିବେ। ଏହି ପ୍ରତିଯୋଗିତାରେ ବିଜେତା ଛାତ୍ରଛାତ୍ରୀଙ୍କୁ ଉଦ୍ଯାପନୀ ଉତ୍ସବରେ ପୁରସ୍କୃତ କରାଯିବାର ବ୍ୟବସ୍ଥା ରହିଛି। ଏହା ବ୍ୟତୀତ ଛାତ୍ରଛାତ୍ରୀଙ୍କ ପାଇଁ ମହୋତ୍ସବରେ ଅନେକ ଆକର୍ଷଣୀୟ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି।