THE BYAPINI

୧୮ଟି ବ୍ଲକ୍‌ରେ ଖୋଲିବ +୩ ମହାବିଦ୍ୟାଳୟ

Get real time updates directly on you device, subscribe now.

ଭୁବନେଶ୍ୱର: ମହାବିଦ୍ୟାଳୟ ନଥିବା ୧୮ଟି ବ୍ଲକ୍‌ରେ ଖୋଲିବ +୩ ମହାବିଦ୍ୟାଳୟ। କଳା ବିଭାଗରେ ଛାତ୍ରଛାତ୍ରୀମାନେ ଏଠାରେ ଅଧ୍ୟୟନ କରିପାରିବେ। ୨୦୨୪-୨୫ ଶିକ୍ଷାବର୍ଷରୁ ଶିକ୍ଷାଦାନ ପ୍ରକ୍ରିୟା ଆରମ୍ଭ ହେବ। ଶିକ୍ଷାରେ ସମାନତା ଓ ଉତ୍କର୍ଷ ଆଣିବା ସହ ସୁଦୂରପ୍ରସାରୀ କରିବା ପାଇଁ ରାଜ୍ୟ ସରକାର ଏପରି ନିଷ୍ପତ୍ତି ନେଇଛନ୍ତି। ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଗୁରୁବାର ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ନବରଙ୍ଗପୁର ଜିଲ୍ଲାରେ ସର୍ବାଧିକ ୪ଟି ମହାବିଦ୍ୟାଳୟ ଖୋଲିବାକୁ ଥିବା ବେଳେ ରାୟଗଡ଼ା ଓ ସୁନ୍ଦରଗଡ଼ ଜିଲ୍ଲାରେ ୩ଟି ଲେଖାଏଁ ମହାବିଦ୍ୟାଲୟ ଖୋଲିବ।

ବିଜ୍ଞପ୍ତି ଅନୁଯାୟୀ, ଗଜପତି ଜିଲ୍ଲାର ଗୁମ୍ମା, ଗଞ୍ଜାମର ଧରାକୋଟ, କଳାହାଣ୍ଡିର ଥୁଆମୂଳ ରାମପୁର, କନ୍ଧମାଳର ଖଜୁରିପଡ଼ା, କୋରାପୁଟର ବନ୍ଧୁଗାଁ ଓ ନାରାୟଣପାଟଣା, ମାଲକାନଗିରିର ଚିତ୍ରକୋଣ୍ଡା, ମୟୂରଭଞ୍ଜର ତିରିଂ, ନବରଙ୍ଗପୁରର ତେନ୍ତୁଳିଖୁଣ୍ଟି, କୋଷାଗୁମୁଡ଼ା, ଝରିଗାଁ, ରାଇଘରରେ ମହାବିଦ୍ୟାଳୟ ଖୋଲିବ। ସେହିପରି ରାୟଗଡ଼ା ଜିଲ୍ଲାର କାଶୀପୁର, ରାମନଗୁଡ଼ା ଓ ଚନ୍ଦ୍ରପୁର ଏବଂ ସୁନ୍ଦରଗଡ଼ ଜିଲ୍ଲାର ନୂଆଗାଁ, ଗୁରୁଣ୍ଡିଆ ଓ କୁଆଁରମୁଣ୍ଡା ଆଦି ବ୍ଲକ୍‌ରେ ସ୍ନାତକ ମହାବିଦ୍ୟାଳୟ ଖୋଲିବ। ଏହି ସମସ୍ତ ମହାବିଦ୍ୟାଳୟଗୁଡ଼ିକ ବ୍ଲକ୍‌ ମୁଖ୍ୟାଳୟଠାରୁ ୫କିମି ପରିସୀମା ଭିତରେ ରହିବ। ଏଥିପାଇଁ ୧୦ ଏକର ଜମି ଯୋଗାଇଦେବାକୁ ସମ୍ପୃକ୍ତ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ଉଚ୍ଚଶିକ୍ଷା ବିଭାଗ ସଚିବ ଅରବିନ୍ଦ ଅଗ୍ରୱାଲ ନିର୍ଦ୍ଦେଶ ଦେଇଛନ୍ତି। ମହାବିଦ୍ୟାଳୟଗୁଡ଼ିକର ନିଜସ୍ୱ ଭିତ୍ତିଭୂମି ବିକାଶ ନହେବା ପର୍ୟ୍ୟନ୍ତ ଅସ୍ଥାୟୀ ଶ୍ରେଣୀଗୃହରେ ଶିକ୍ଷାଦାନ କରିବାକୁ ବିଭାଗ ପକ୍ଷରୁ ଦର୍ଶାଯାଇଛି।

Get real time updates directly on you device, subscribe now.

Leave A Reply

Your email address will not be published.