ନୂଆଦିଲ୍ଲୀ : ଚନ୍ଦ୍ରଯାନ-୩ର ସଫଳତା ପରେ ଭାରତୀୟ ବୈଜ୍ଞାନିକମାନଙ୍କ ମଧ୍ୟରେ ମହାକାଶ ପ୍ରତି ଉତ୍ସାହ ଅଧିକ ରହିଛି। ଚନ୍ଦ୍ରଯାନ-୩ ମିଶନ ପରେ ଆଦିତ୍ୟ L1 ର ସଫଳତା ସମଗ୍ର ବିଶ୍ୱକୁ ଚକିତ କରିଛି। ମହାକାଶରେ ଏକ ଦୃଢ ଉପସ୍ଥିତି ବଜାୟ ରଖିବା ପାଇଁ ଭାରତ ଏହିପରି ମିଶନ ଜାରି ରଖିବ। ଏହି କ୍ରମରେ ଏବେ ଗଗନଯାନ ମିଶନରେ ଜୁଟିଯାଇଛନ୍ତି ଇସ୍ରୋ ବୈଜ୍ଞାନିକ । ଏହି ପ୍ରସ୍ତୁତିର ସମୀକ୍ଷା କରିବାକୁ ଯାଇଥିବାବେଳେ ଉଚ୍ଚ ସ୍ତରୀୟ ବୈଠକ ଡକାଇଥିଲେ ପ୍ରଧାନମନ୍ତ୍ରୀ ମୋଦୀ । ଏହି ବୈଠକରେ ଇସ୍ରୋ ମୁଖ୍ୟ ଓ ଅନ୍ୟ ବରିଷ୍ଠ ବୈଜ୍ଞାନିକମାନେ ଗଗନଯାନ ବିଷୟରେ ବିସ୍ତୃତ ତଥ୍ୟ ପ୍ରଧାନମନ୍ତ୍ରୀଙ୍କୁ ଦେଇଛନ୍ତି। ଗଗନଯାନରେ ବ୍ୟବହୃତ ହୋଇଥିବା ଟେକ୍ନୋଲୋଜି ଓ ସିଷ୍ଟମଗୁଡ଼ିକ ସମ୍ପର୍କରେ ମୋଦୀଙ୍କୁ ଅବଗତ କରାଯାଇଛି। ଗଗନଯାନ ପଠାଇବା ପୂର୍ବରୁ ପ୍ରାୟ ୨୦ଟି ବଡ଼ଧରଣର ଟେଷ୍ଟ କରାଯିବ। ଟିଭି-ଡି୧ର ଟେଷ୍ଟ ଅକ୍ଟୋବର ୨୧ ତାରିଖ ସକାଳ ୭ଟାରୁ ୯ଟା ଭିତରେ କରାଯିବାକୁ ଧାର୍ଯ୍ୟ କରାଯାଇଥିବା ମଧ୍ୟ ମୋଦୀଙ୍କୁ କୁହାଯାଇଛି।
ବୈଠକରେ ଇସ୍ରୋ ବୈଜ୍ଞାନିକ ତଥା ଅଧିକାରୀଙ୍କ ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରିବା କ୍ରମରେ କହିଛନ୍ତି ଯେ, ‘ଭାରତ ୨୦୩୫ ସୁଦ୍ଧା ସ୍ପେଶ୍ ଷ୍ଟେସନ୍ ଓ ୨୦୪୦ ସୁଦ୍ଧା ଚନ୍ଦ୍ରମାକୁ ମାନବ ପଠାଇବ । ଏହା ବ୍ୟତୀତ ଶୁକ୍ର ଓ ମଙ୍ଗଳ ଗ୍ରହ ମିଶନ ମଧ୍ୟ ଆରମ୍ଭ କରିବ ଇସ୍ରୋ । ତେଣୁ ଏବେଠାରୁ ତତ୍ପର ହୋଇଛନ୍ତି ଇସ୍ରୋ ବୈଜ୍ଞାନିକ । ମହାକାଶ ବିଭାଗ ଗଗନଯାନ ଅଭିଯାନ ସମ୍ପର୍କରେ ବିସ୍ତୃତ ସୂଚନା ଦେଇଛି। ଯେଉଁଥିରେ ଏପର୍ଯ୍ୟନ୍ତ ବିକଶିତ ହୋଇଥିବା ବିଭିନ୍ନ ଜ୍ଞାନକୌଶଳ ଯଥା ମାନବ-ରେଟେଡ୍ ଲଞ୍ଚ ଯାନ ଏବଂ ସିଷ୍ଟମ୍ କ୍ଷମତା ଅନ୍ତର୍ଭୁକ୍ତ । ଏବେ ମହାକାଶରେ ଥିବା ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ରକୁ ଉଭୟ ଆମେରିକା ଓ ରୁଷ ମିଳିତଭାବେ ପ୍ରତିଷ୍ଠା କରିଛନ୍ତି । ଏଥିରେ ୟୁରୋପୀୟ ମହାକାଶ ଏଜେନ୍ସି, ଜାପାନ ଓ କାନାଡାର ମହାକାଶ ଏଜେନ୍ସି ବି ସଂପୃକ୍ତ ଅଛନ୍ତି । ସେହିପରି ଚୀନ ମଧ୍ୟ ନିଜସ୍ବ ମହାକାଶ କେନ୍ଦ୍ର ସ୍ଥାପନ କରିସାରିଛି ।