ଭୁବନେଶ୍ୱର: ନୂଆଁଖାଇ ପର୍ବ ଅବସରରେ ରାଜ୍ୟର ୪୪ ଲକ୍ଷ ୫୬ ହଜାର ଚାଷୀ ପରିବାରଙ୍କୁ କାଳିଆ ସହାୟତା ଦେଇଛନ୍ତି ରାଜ୍ୟ ସରକାର । ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଭିଡ଼ିଓ କନଫରେନ୍ସ ଜରିଆରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଏହି ସହାୟତା ପ୍ରଦାନ କରାଯାଇଛି । ରବି ଫସଲ ପାଇଁ ଏହି ସହାୟତା ଦିଆଯାଇଛି । ପ୍ରତ୍ୟେକ ଚାଷୀ ପରିବାରଙ୍କ ବ୍ୟାଙ୍କ୍ ଆକାଉଣ୍ଟ କୁ ୨୦୦୦ ଟଙ୍କା ଦିଆ ଯାଇଛି । ଏଥିରେ ୪୩ ଲକ୍ଷ ୮୮ ହଜାର କ୍ଷୁଦ୍ର ଓ ନାମ ମାତ୍ର ଚାଷୀ ଥିବା ବେଳେ ୬୮ ହଜାର ୭୫୦ ଜଣ ଭୂମି ହୀନ ଚାଷୀ ପରିବାର ଅଛନ୍ତି । ଏହି ଅବସରରେ ମୁଁ ଚାହେଁ ଚାଷୀ ସମ୍ମାନର ସହ, ସ୍ୱାଭିମାନର ସହ ବଞ୍ଚୁ । ଆଜି ପର୍ଯ୍ୟନ୍ତ କାଳିଆ ଯୋଜନାରେ ଚାଷୀ ମାନଙ୍କୁ ୧୨,୫୦୦ କୋଟି ଟଙ୍କା ସହାୟତା ଦିଆ ଯାଇଛି- ମୁଖ୍ୟମନ୍ତ୍ରୀ
କାଳିଆ ଛାତ୍ର ବୃତ୍ତି ପାଇ ମୁ ଇଞ୍ଜିନିୟରିଂ ପଢୁଛି, ନ ହେଲେ ପଢ଼ି ପାରି ନ ଥାଆନ୍ତି – କାଳିଆ ବୃତ୍ତି ପାଇଥିବା ଛାତ୍ରୀ ରାଣୀ ସାହୁ
ଏହି ଅବସର ରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ନୂଆଁଖାଇ ର ଶୁଭେଚ୍ଛା ଜଣାଇବା ସହିତ ଚାଷୀ ଆମର ଗୌରବ ଓ ମୋ ରାଜ୍ୟର ଚାଷୀ ପରିବାର ସମ୍ମାନର ସହ, ସ୍ୱାଭିମାନର ସହ ବଂଚୁ ବୋଲି ମୁଁ ଚାହେ ବୋଲି କହିଛନ୍ତି । ବିକାଶର ସୁଫଳରେ ଚାଷୀ ସାମିଲ ହେଉ ବୋଲି ସେ କହିଛନ୍ତି । ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଆଜି ପର୍ଯ୍ୟନ୍ତ କାଳିଆ ଯୋଜନାରେ ରାଜ୍ୟର ଚାଷୀ ଭାଇ ଭଉଣୀ ମାନଙ୍କୁ ୧୨,୫୦୦ କୋଟି ଟଙ୍କାର ସହାୟତା ଦିଆ ଯାଇଛି । ସେ ପୁଣି କହିଲେ ଯେ ଚାଷୀ ପରିବାର ର ପିଲାମାନେ ଡାକ୍ତର, ଇଞ୍ଜିନିଅର ହୋଇ, ଭଲ ଭଲ ପେଷାରେ ଯୋଗ ଦିଅନ୍ତୁ ବୋଲି ସେ ଚାହାନ୍ତି । ଏହାଦ୍ୱାରା ସେମାନେ ନିଜ ପରିବାର ପାଇଁ, ସାରା ରାଜ୍ୟ ପାଇଁ ସୁନାମ ଆଣି ପାରିବେ ବୋଲି ମୁଖ୍ୟ ମନ୍ତ୍ରୀ କହିଥିଲେ ।
ରାଜ୍ୟରେ କାଳିଆ ସହାୟତା ପାଉଥିବା ଚାଷୀ ମାନଙ୍କ ପିଲାମାନଙ୍କୁ ସରକାର କାଳିଆ ବୃତ୍ତି ଦେଉଛନ୍ତି । ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଚାଷୀ ଙ୍କ ସୁବିଧା ପାଇଁ ରାଜ୍ୟ ସରକାର ଫସଲ ବୀମା ର ପ୍ରମିଅମ୍ ଦେଉଛନ୍ତି । ଏ ବର୍ଷ ୨୨ ଲକ୍ଷରୁ ଅଧିକ ଚାଷୀ ବୀମା ପାଇଁ ପଞ୍ଜିକରଣ କରି ସାରିଲେଣି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । କୃଷି ପାଇଁ ରାଜ୍ୟ ସରକାର ବହୁତ୍ ଯୋଜନା କରିଛନ୍ତି ଓ ଚାଷୀ ମାନେ ଏହାର ସୁଯୋଗ ନେଇ ଓଡ଼ିଶାକୁ କୃଷି କ୍ଷେତ୍ରରେ ଏକ ସମୃଦ୍ଧ ରାଜ୍ୟ ଭାବେ ଗଢ଼ିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ ।
ସୂଚନା ଯୋଗ୍ୟ ଯେ କାଳିଆ ସହାୟତା ରେ କ୍ଷୁଦ୍ର ଓ ନାମ ମାତ୍ର ଚାଷୀ ମାନଙ୍କୁ କୃଷି ପାଇଁ ବିହନ, ସାର, ରୋଗ ପୋକ ପାଇଁ ଔଷଧ ଓ ଯାନ୍ତ୍ରିକ ଉପକରଣ କିଣିବା ପାଇଁ ସିଧା ସଳଖ ସହାୟତା ଦିଆଯାଉଛି । ଏହା ଦ୍ୱାରା ସେମାନେ ଋଣ ଗ୍ରସ୍ତ ହେବାର ସମ୍ଭାବନା ରହୁ ନାହିଁ । ଏହା ସହିତ ଭୂମି ହୀନ ଚାଷୀ ମାନଙ୍କୁ ବିଭିନ୍ନ ଜୀବିକା ପାଇଁ ଯଥା ଛେଳି, କୁକୁଡ଼ା, ବତକ ପାଳନ, ମହୁ ଚାଷ, ଛତୁ ଚାଷ ଆଦି ପାଇଁ ମଧ୍ୟ ଏହି ସହାୟତା ଦିଆଯାଉଛି ।
ଏହି ଅବସରରେ ରାଜ୍ୟ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଲେ ଯେ ମୁଖ୍ୟମନ୍ତ୍ରୀଙ୍କ ଦୂରଦୃଷ୍ଟି ଯୋଗୁ ରାଜ୍ୟରେ ଅନେକ କୃଷି କଲ୍ୟାଣ ଯୋଜନା କାର୍ଯ୍ୟକାରୀ ହେଉଛି । ସେଥି ମଧ୍ୟରୁ କାଳିଆ ଯୋଜନା ସ୍ୱତନ୍ତ୍ର । ଏହା ଯୋଗୁ ଚାଷୀ ମାନେ ଆଉ ବେସରକାରୀ ଅର୍ଥ ଲଗାଣ କାରି ସଂସ୍ଥା କିମ୍ବା ଗାଁ ସାହୁକାର ଉପରେ ନିର୍ଭର କରୁ ନାହାନ୍ତି । ନିଜ ଉପରେ ଚାଷୀ ମାନଙ୍କ ଆସ୍ଥା ବଢ଼ିଛି । ଗତ ଚାରି ବର୍ଷରେ ରାଜ୍ୟରେ କ୍ରମାଗତ ଭାବେ ରେକର୍ଡ ଉତ୍ପାଦନ ହେଉଛି ବୋଲି ସେ କହିଥିଲେ । ଏହି ଅବସରରେ କେତେକ କାଳିଆ ହିତାଧିକାରୀ ସେମାନଙ୍କ ଅଭିଜ୍ଞତା ବର୍ଣ୍ଣନା କରିଥିଲେ । ବଲାଙ୍ଗୀରର ଚାଷୀ ବିନୋଦ ପ୍ରଧାନ, ନବରଙ୍ଗପୁରର ଲଛମା ଭତରା ଓ ବାଲେଶ୍ୱରର ଚାଷୀ ଗିରିଧାରୀ ଗିରି ପ୍ରମୁଖ କାଳିଆ ସହାୟତା ପାଇଁ ସେମାନଙ୍କ ହୃଦୟରୁ ମୁଖ୍ୟମନ୍ତ୍ରୀ ଙ୍କୁ ଧନ୍ୟବାଦ ଦେଇଥିଲେ । କାଳିଆ ଯୋଗୁ ସେମାନଙ୍କୁ ଋଣ କରିବାକୁ ପଡୁ ନାହିଁ । ସେମାନେ ସମସ୍ତେ ଈଶ୍ୱରଙ୍କ ନିକଟରେ ମୁଖ୍ୟମନ୍ତ୍ରୀଙ୍କ ଉତ୍ତମ ସ୍ୱାସ୍ଥ୍ୟ ଓ ଦୀର୍ଘ ଜୀବନ କାମନା କରିଥଲେ । ମୁଖ୍ୟମନ୍ତ୍ରୀଙ୍କ ସଚିବ ( ୫ଟି) ଭି କେ ପାଣ୍ଡିଆନ ଏହି କାର୍ଯ୍ୟକ୍ରମ ପରିଚାଳନା କରିଥିଲାବେଳେ ଉନ୍ନୟନ କମିଶନର ଶ୍ରୀମତୀ ଅନୁ ଗର୍ଗ, ସମବାୟ ସଚିବ ଶ୍ରୀ ଅରବିନ୍ଦ ଅଗ୍ରୱାଲ ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ଏଠାରେ ଉପସ୍ଥିତ ଥିଲେ । ବିଭିନ୍ନ ଜିଲ୍ଲାରେ ଅଧିକାରୀ ଓ ହିତାଧିକାରୀ ମାନେ ଅନଲାଇନ୍ ମାଧ୍ୟମରେ ଏଡି କାର୍ଯ୍ୟକ୍ରମରେ ଯୋଡ଼ି ହୋଇଥିଲେ । କାର୍ଯ୍ୟକ୍ରମରେ କୃଷି ଓ କୃଷକ କଲ୍ୟାଣ ପ୍ରମୁଖ ସଚିବ ଶ୍ରୀ ଅରବିନ୍ଦ ପାଢ଼ୀ ସ୍ୱାଗତ ଭାଷଣ ଦେଇଥିଲେ ଓ କୃଷି ନିର୍ଦ୍ଦେଶକ ଧନ୍ୟବାଦ ଅର୍ପଣ କରଥିଲେ ।
Get real time updates directly on you device, subscribe now.
