ଟେଷ୍ଟିଂ ବଢିଲେ ସଂକ୍ରମଣ ସଂଖ୍ୟା ବଢୁଛି
ଲଗାତାର ୫ ଦିନ ରାଜ୍ୟରେ ଦୈନିକ କରୋନା ସଂକ୍ରମଣ ସଂଖ୍ୟା ୧୦ ହଜାର ଉପରେ ରହିଥିବେଳେ ମେ ୧୧ ତାରିଖରେ ଏହା ୯ ହଜାରକୁ ଖସିଥିଲା। ହେଲେ ଗତ ୨୪ ଘଣ୍ଟାରେ ରାଜ୍ୟରୁ ପୁଣି ୧୦ ହଜାରରୁ ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ ସଂକ୍ରମଣ ହାର ମଧ୍ୟ ଅନ୍ୟ ଦିନଠୁ ଅଧିକ ରହିଛି । ୨୨.୩୨ ପ୍ରତିଶତ ରହିଛି ଟେଷ୍ଟ ପଜିଟିଭିଟି ରେଟ । ରାଜ୍ୟରେ ଗତ ୫ ତାରିଖରୁ ଲାଗୁ ହୋଇଛି ଲକଡାଉନ । କିନ୍ତୁ ଏଯାଏ କରୋନା ଚେନ ଭାଙ୍ଗିବାରେ ସଫଳ ହୋଇନି ଲକଡାଉନ କଟକଣା । କାରଣ ଟେଷ୍ଟିଂ ବଢିବା ସହ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଛି । ଆଉ ଟେଷ୍ଟି କମିଲେ ଆକ୍ରାନ୍ତଙ୍କ ସଂଖ୍ୟା କମୁଛି । ଖୋର୍ଦ୍ଧା ଜିଲ୍ଲାରେ ମଧ୍ୟ ସଂକ୍ରମଣ ପ୍ରତିଦିନ ହଜାରେ ଉପରେ ରହୁଛି । ଦେଶର କିଛି ରାଜ୍ୟରେ ସଂକ୍ରମଣ କମୁଥିବା ବେଳେ ଓଡିଶାରେ କିନ୍ତୁ ବଢିଚାଲିଛି । ଯାହା ସରକାରଙ୍କର ନିଦ ହଜାଇଦେଇଛି ।
ଗତ ୨୪ ଘଂଟାରେ ପୁଣି ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ହଜାର ଟପିଛି । ମଙ୍ଗଳବାର ଦିନ କରୋନା ନମୂନା ପରୀକ୍ଷା ୪୬ ହଜାର ୨୪୧ ହୋଇଥିବା ବେଳେ ସେହି ଅନୁପାତରେ ସଂକ୍ରମିତଙ୍କ ସଂଖ୍ୟା ମଧ୍ୟ କମିଥିଲା । କିନ୍ତୁ ଗତ ୨୪ ଘଂଟାରେ ୪୯ ହଜାରର ୧୯୧ ଟେଷ୍ଟିଂ କରାଯାଇଥିବା ବେଳେ ୧୦ ହଜାର ୯୮୨ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୧୫୩୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିଭଳି ସୁନ୍ଦରଗଡ ୯୬୪ ଓ କଟକ ୮୮୫ ମାମଲା ଆସିଛି । ମାଲକାନିଗିରିକୁ ଛାଡିଦେଲେ ଅନ୍ୟ ୨୮ଟି ଜିଲ୍ଲାରେ ସଂକ୍ରମଣ ୩ ଅଙ୍କ ଉପରେ ରହିଛି ।
ସେହିପରି ଦିନକରେ ୧୭ ମୁଣ୍ଡ ନେଇଛି କରୋନା ସଂକ୍ରମଣ । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୫୬୫୬୪୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୯୮୨୩୦ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ୪୬୫୧୩୩ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏବେ ସୁଦ୍ଧା ରାଜ୍ୟରେ ୧୦୬୬୧୬୪୭ସାମ୍ପୁଲ ଟେଷ୍ଟ୍ ହୋଇଛି ।