ଏପ୍ରିଲ ସୁଦ୍ଧା ୧୧, ୪୦୩ ଶିକ୍ଷକ ନିଯୁକ୍ତି
ଏପ୍ରିଲ ସୁଦ୍ଧା ୧୧, ୪୦୩ ଶିକ୍ଷକ ନିଯୁକ୍ତି । ରାଜ୍ୟରେ ସରକାରୀ ଉଚ୍ଚ ବିଦ୍ୟାଳୟ ଗୁଡିକର ୫-ଟି ରୂପାନ୍ତର କାର୍ୟ୍ୟକ୍ରମରେ ରୂପାନ୍ତରଣ ସହିତ ଶିକ୍ଷକ ନିଯୁକ୍ତି ପାଇଁ ମଧ୍ୟ ପଦକ୍ଷେପ ନିଆଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ୧୧, ୪୦୩ ଶିକ୍ଷକ ପଦବୀ ପୂରଣ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି ।
ନିକଟରେ ଗୋଟିଏ ଦିନରେ ୬୧୩୧ ଜଣ ଶିକ୍ଷକକୁ ନିଯୁକ୍ତି ଦିଆଯାଇଥିଲା । ଚଳିତ ବର୍ଷ ପ୍ରଥମ ପର୍ୟ୍ୟାୟରେ ୪୬୧୯ ଜଣ ହିନ୍ଦୀ, ସଂସ୍କୃତ ଓ କ୍ରୀଡା ଶିକ୍ଷକ ପଦବୀ ପୂରଣ ନିମନ୍ତେ ଅଗଷ୍ଟ ୧୩ରେ ଏବଂ ଦ୍ବିତୀୟ ପର୍ୟ୍ୟାୟରେ ୬୭୨୦ ଜଣ ଟିଜିଟି କଳା ଶିକ୍ଷକ ଓ ତେଲୁଗୁ ଶିକ୍ଷକ ପାଇଁ ଅଗଷ୍ଟ ୨୮ ତାରିଖରେ ବିଜ୍ଞାପନ ପ୍ରକାଶିତ ହୋଇଥିଲା । ଶିକ୍ଷକତା ପାଇଁ ଆବଶ୍ୟକ ସଂଖ୍ୟକ ପ୍ରାର୍ଥୀ ମିଳୁ ନ ଥିବାରୁ ଯେପରି ଅଧିକ ସଂଖ୍ୟକ ପ୍ରାର୍ଥୀ ଅଂଶଗ୍ରହଣ କରିପାରିବେ ତାକୁ ଦୃଷ୍ଟିରେ ରଖି ପରୀକ୍ଷା ଓ ନିଯୁକ୍ତି ନିୟମାବଳୀରେ ସଂଶୋଧନ କରାଯାଇଛି। ଏହାସହିତ ବର୍ଦ୍ଧିତ ଛାତ୍ରଛାତ୍ରୀ ସଂଖ୍ୟା ଦୃଷ୍ଟିରୁ ଅଧିକ ୩୪୬୨ଟି ଶିକ୍ଷକ ପଦବୀ ମଧ୍ୟ ମଂଜୁର କରାଯାଇଛି। ଏବେ ଖାଲି ପଦବୀ ତଥା ନୂତନ ମଂଜୁରୀପ୍ରାପ୍ତ ପଦବୀକୁ ମିଶାଇ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ୧୧୪୦୩ ଶିକ୍ଷକ ପଦବୀ ପୂରଣ ପାଇଁ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହୋଇଛି । ଅପ୍ରେଲ ୨୦୨୨ ସୁଦ୍ଧା ନିଯୁକ୍ତି ପ୍ରକ୍ରିୟା ଶେଷ କରି ବିଦ୍ୟାଳୟ ମାନଙ୍କରେ ନୂତନ ଶିକ୍ଷକ ନିଯୁକ୍ତି ପାଇଁ ଲକ୍ଷ୍ୟ ରଖାଯାଇଛି ।