ଚିନ୍ତା ବଢାଉଛି ଶିକ୍ଷାନୁଷ୍ଠାନରେ ସଂକ୍ରମଣ
ରାଜ୍ୟରେ କରୋନା ସଂଖ୍ୟା ବଢିଚାଲିଥିବା ବେଳେ ଶିକ୍ଷାନୁଷ୍ଠାରେ ବି ସଂକ୍ରମଣ ମାଡିଚାଲିଛି । କଟକ, ଭୁବନେଶ୍ୱର,ରାଉରକେଲା ପରେ ଏବେ ଭବାନୀପାଟଣାରୁ ଏକ ଘରୋଇ ଶିକ୍ଷାନୁଷ୍ଠାନରୁ ଏକାଧିକ ପିଲା କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଭବାନୀପାଟଣାରେ ଥିବା ପ୍ରଗତି କଲେଜରୁ ଏକାଥରକେ ୩୨ ଛାତ୍ରଛାତ୍ରୀ କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏତେ ସଂଖ୍ୟକ ଛାତ୍ରଛାତ୍ରୀ ସଂକ୍ରମିତ ଚିହ୍ନଟ ହେବା ଜିଲ୍ଲା ପ୍ରଶାସନର ଚିନ୍ତା ବଢାଇଛି ।
କରୋନା ଆକ୍ରାନ୍ତ ଛାତ୍ରଛାତ୍ରୀ କଲେଜ ହଷ୍ଟେଲର ଅନ୍ତେବାସୀ। ଗତ ୨୪ ଘଣ୍ଟାରେ ୨୦୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୮୦ ଜଣ ଛାତ୍ରଛାତ୍ରୀଙ୍କ କରୋନା ପରୀକ୍ଷା କରାଯାଇଥିବା ବେଳେ ୩୨ ଜଣଙ୍କ ରିପୋର୍ଟ ପଜିଟିଭ ଥିବା ସୂଚନା ମିଳିଛି । କଳାହାଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଏନେଇ ସୂଚନା ଦେଇଛନ୍ତି।
ଏହା ପୂର୍ବରୁ ମଧ୍ୟ ରାଜ୍ୟର ବିଭିନ୍ନ ଶିକ୍ଷାନୁଷ୍ଠାନରୁ ଛାତ୍ରଛାତ୍ରୀମାନେ କୋଭିଡ୍ ପଜିଟିଭ୍ ଚିହ୍ନଟ ହେବା ଦେଖିବାକୁ ମିଳିଥିଲା । ଭୁବନେଶ୍ୱର ଏକ୍ସଆଇଏମବିରୁ ଏକାଧିକ ଛାତ୍ର ସଂକ୍ରମିତଚିହ୍ନଟ ହୋଇଥିବା ବେଳେ ରାଉରକେଲା ଏନଆଇଟି ଏକାଧିକ ଛାତ୍ରଛାତ୍ରୀ ସଂକ୍ରମିତ ଚିହ୍ନଟ ହୋଇଥିଲେ । ସେହିପରି ରେଭେନ୍ସାରୁ ମଧ୍ୟ କିଛି ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ଗତ ୨୪ ଘଣ୍ଟା ମଧ୍ୟରେ ୨୦୮ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୧୨୨ ଜଣ କ୍ବାରେଣ୍ଟାଇନ୍ରେ ରହିଥିବା ବେଳେ ୮୬ ଜଣ ସ୍ଥାନୀୟ ବାସିନ୍ଦା ।