ଏଣିକି କୋଭିଡ ପାଇଁ ଘରୋଇ ହସ୍ପିଟାଲରେ ୫୦% ବେଡ୍
ଦ୍ରୁତ ଗତିରେ ବଢିଚାଲିଛି କରୋନା । ଶୀର୍ଷକୁ ଆଡକୁ ମୁହାଁଉଛି ସଂକ୍ରମଣ । ଦେଶର ବିଭିନ୍ନ ରାଜ୍ୟରେ ସ୍ଥିତି ସଂଗୀନ । କେଉଁଠି ବେଡ଼ ନାହିଁ ତ କେଉଁଠି ଅକ୍ସିଜେନ ନାହିଁ । ସବୁଆଡେ ହାହାକାର ପରିସ୍ଥିତି । ରାଜ୍ୟରେ ଯେପରି ଏପରି ପରିସ୍ଥିତି ଉପୁଜେ ସେଥିପାଇଁ ଆଗୁଆ ସତର୍କତା ମୂଳକ ପଦକ୍ଷେପ ନେଉଛନ୍ତି ରାଜ୍ୟ ସରକାର ।
ଏଣିକି କୋଭିଡ ପାଇଁ ଘରୋଇ ହସ୍ପିଟାଲରେ ୫୦ପ୍ରତିଶତ ବେଡ୍ ସଂରକ୍ଷିତ ରହିବ। ତେବେ ୩୦ ଅଧିକ ବେଡ ଥିବା ହସ୍ପିଟାଲରେ ଏହି ନିୟମ ଲାଗୁ କରାଯିବ। ଏନେଇ ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ସମସ୍ତ ଜିଲ୍ଲାପାଳ ଓ ମ୍ୟୁନିସପାଲ କମିସନର ମାନଙ୍କୁ ଚିଠି ଲେଖିଛନ୍ତି। ସେହିପରି ଘରୋଇ ହସ୍ପିଟାଲର ୫୦ ପ୍ରତିଶତ ଆଇସିୟୁ ବା ଏଚଡିୟୁ ସଂରକ୍ଷିତ ରହିବ । ଆବଶ୍ୟକ ପଡିଲେ ୧୦୦ ପ୍ରତିଶତ ବେଡ ସଂରକ୍ଷିତ ରଖାଯିବ । କୋଭିଡ ସଂକ୍ରମଣ ବୃଦ୍ଧି ନମାମଲାକୁ ଦୃଷ୍ଟିରେ ରଖି ସରକାର ଏହି ନିର୍ଦ୍ଦେଶନାମା ଦେଇଛନ୍ତି ।
ଯେଉଁଭଳି ଭାବରେ ଅନେକ କୋଭଡ ଆକ୍ରାନ୍ତଙ୍କୁ ଘରୋଇ ହସ୍ପିଟାଲ ପୂର୍ବରୁ ଫେରାଇଦେଉଥିଲେ, ବର୍ତ୍ତମାନ ତାହା ଉପରେ ରୋକ ଲଗାଇଛନ୍ତି ସରକାର । କୌଣସି କୋଭିଡ ରୋଗୀଙ୍କୁ ନ ଫେରାଇବାକୁ ନିର୍ଦ୍ଦେଶ ଦିଆଯାଇଛି । ଆବଶ୍ୟକ ପଡ଼ିଲେ କୋଭିଡ ରୋଗୀଙ୍କ ପାଇଁ ସବୁ ବେଡ୍ ବ୍ୟବହାର କରାଯାଇପାରିବ ।ଏହା ସହ ରୋଗୀଙ୍କ ଠାରୁ ମାତ୍ରାଧିକ ଅର୍ଥ ଦାବି କରିପାରିବେନି । ଅତ୍ୟଧିକ ଫି’ ଦାବି ନେଇ ଯଦିବା କୈଣସି ରୋଗୀ ଏନେଇ ଅଭିଯୋଗ କରେ କିମ୍ବା ନଜରକୁ ଆସେ ତେବେ ଦୃଢ଼ କାର୍ୟ୍ୟାନୁଷ୍ଠାନ ହେବା ନେଇ ତାଗିତ କରାଯାଇଛି ।
ଏଥିସହିତ କୋଭିଡ ଚିକିତ୍ସା ପାଇଁ ବି ସରକାର ଫି’ ନିର୍ଦ୍ଦାରଣ କରିଛନ୍ତି। ଘରୋଇ ହସ୍ପିଟାଲରେ କୋଭିଡ ରୋଗୀଙ୍କ ପାଇଁ ଦେୟ ଜେନେରାଲ ବେଡ ପାଇଁ ଦୈନିକ ୧୨ଶହ ଟଙ୍କା, ଖାଦ୍ୟ ଓ ଔଷଧ ପାଇଁ ୧୭୫୦ ଟଙ୍କା ରହିଛି। ସେହିପରି ଆଇସିୟୁରେ ରହିଲେ ଦୈନିକ ୨୦୦୦ ଓ ୫୦୦୦ ଟଙ୍କା ଦେୟ ଦେବାକୁ ପଡ଼ିବ। ଆଇସିୟୁରେ ଦୈନିକ ଔଷଧ ଓ ଆନୁଷଙ୍ଗିକ ଖର୍ଚ୍ଚ ସର୍ବମୋଟ ୮ ହଜାର ଓ ୧୨ ହଜାର ରହିଥିବା ବେଳେ ଭେଣ୍ଟିଲେଟର ସହ ଆଇସିୟୁରେ ରହିଲେ ଗୋଟିଏ ଦିନକୁ ୨ ହଜାର ଟଙ୍କା ଓ ୫ ହଜାର ଟଙ୍କା ଦେୟ ଦେବାକୁ ପଡ଼ିବ।