ଚାହୁଁ ଚାହୁଁ ଚାଲିଗଲା ୬ ଜୀବନ
ଚାହୁଁ ଚାହୁଁ ଚାଲିଗଲା ୬ ଜୀବନ । ଯାତ୍ରୀବାହୀ ବସ୍କୁ ପଛରୁ ପିଟିଲା ଟ୍ରକ୍। ଫଳରେ ବସ୍ଟି ଓଲଟି ପଡ଼ିଲା। ଏହି ଦୁର୍ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ସୋର ବିଦୁ ଛକରେ। ଘରୋଇ ବସ୍ ‘ଶାନ୍ତିଲତା’ ଉଦଳାରୁ ଭୁବନେଶ୍ୱର ଯାଉଥିଲା । ଦିନ ପ୍ରାୟ ସାଢ଼େ ଗୋଟାଏ ବେଳେ ଏହା ବିଦୁ ଛକରେ ବସ୍ ଷ୍ଟପ୍ରେ ଅଟକିଥିଲା। ସେଠାରେ କିଛି ଯାତ୍ରୀ ଓହ୍ଲାଉଥିବା ବେଳେ ପଛରୁ ଦ୍ରୁତଗତିରେ ଆସୁଥିବା ଏକ କୋଇଲା ବୋଝେଇ ଟ୍ରକ୍ ବସ୍ଟିକୁ ଧକ୍କା ଦେଇଥିଲା। ଫଳରେ ବସ୍ଟି ରାସ୍ତାକଡ଼ ଖାଲକୁ ଖସି ଯାଇ ଓଲଟି ପଡ଼ିଥିଲା।
ବସ୍ଟି ଭାରସାମ୍ୟ ହରାଇ ୨୦ ଫୁଟ୍ ତଳକୁ ଓଲଟି ପଡିଥିଲା । ବସରେ ୫୦ରୁ ଉର୍ଦ୍ଧ୍ୱ ଯାତ୍ରୀ ରହିଥିଲେ । ସେମାନଙ୍କ ମଧ୍ୟରୁ ୬ ଜଣଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ଦୁଇ ନାବାଳିକା ୧ ବର୍ଷର ଶିଶୁ, ଜଣେ ମହିଳା ଓ ଦୁଇ ପୁରୁଷ ଥିବା ସୂଚନା ମିଳିଛି ।
ସୋରରେ ଘଟିଥିବା ବସ ଦୁର୍ଘଟଣାରେ ୬ ଜଣ ବ୍ୟକ୍ତି ପ୍ରାଣ ହରାଇବା ପରେ ଏନେଇ ଶୋକପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ସମବେଦନା ଜଣାଇବା ସହିତ ମୃତକଙ୍କ ଆତ୍ମୀୟଙ୍କ ପାଇଁ ଦୁଇ ଲକ୍ଷ ଟଙ୍କା ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କରିଛନ୍ତି ।ଏହାସହିତ ଦୁର୍ଘଟଣାରେ ଗୁରୁତର ଆହତ ହୋଇ ଚିକିତ୍ସିତ ହେଉଥିବା ବ୍ୟକ୍ତିମାନଙ୍କୁ ଉତ୍ତମ ଚିକିତ୍ସା ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ତା ସହିତ ମୁଖ୍ୟମନ୍ତ୍ରୀ ଆହତମାନଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି ।