ୟୁପିରେ ଆଜି ଷଷ୍ଠ ପର୍ୟ୍ୟାୟ ମତଦାନ
ଉତରପ୍ରଦେଶରେ ବିଧାନସଭା ନିର୍ବାଚନ ପାଇଁ ଆଜି ଷଷ୍ଠ ପର୍ୟ୍ୟାୟ ମତଦାନ । ସକାଳ ୭ଟାରୁ ୧୦ ଟି ଜିଲ୍ଲାର ୫୭ ବିଧାନସଭା ଆସନ ପାଇଁ ଭୋଟ ଗ୍ରହଣ ଚାଲିଛି । ୧୦ ଜିଲ୍ଲାର ପ୍ରାୟ ୨ କୋଟି ୧୪ ଲକ୍ଷ ଭୋଟର ୫୭ ଆସନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ୬୭୬ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ।ହଟ୍ ସିଟ୍ ଗୋରଖପୁର ଆସନ ସମେତ ୫୭ଟି ଆସନ ପାଇଁ ଆରମ୍ଭ ହୋଇଛି ଭୋଟିଂ । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସମେତ ବହୁ ମନ୍ତ୍ରୀ, ବାହୁବଳୀ ନେତା ଏବଂ ସମାଜବାଦୀ ପାର୍ଟିର ବହୁ ବଡ଼ ନେତାଙ୍କ ଭାଗ୍ୟ ପରୀକ୍ଷା କରୁଛନ୍ତି ଭୋଟର । ରାଜନୈତିକ ଦୃଷ୍ଟିକୋଣରୁ ଗୋରଖପୁର ସିଟ୍ ଅତ୍ୟଧିକ ଗୁରତ୍ବପୂର୍ଣ୍ଣ ହୋଇଥିବାବେଳେ, ଏହି ସିଟରୁ ପ୍ରଥମ କରି ନିର୍ବାଚନ ଲଢ଼ୁଛନ୍ତି ଯୋଗୀ ଆଦିତ୍ୟନାଥ । ଯୋଗୀଙ୍କୁ ଟକ୍କର ଦେଉଛନ୍ତି ସମାଜବାଦୀ ପାର୍ଟିର ବିଧାୟକ ପ୍ରାର୍ଥୀ ଶୁଭାବତୀ ଶୁକ୍ଳା । ଭୀମ ଆର୍ମୀ ମୁଖ୍ୟ ଚନ୍ଦ୍ରଶେଖର ଆଜାଦ ମଧ୍ୟ ମଇଦାନରେ ଅଛନ୍ତି । ସମାଜବାଦୀ ପାର୍ଟି ନେତା ରାମଗୋବିନ୍ଦ ଚୌଧୁରୀ, କଂଗ୍ରେସ ପ୍ରଦେଶ ଅଧ୍ୟକ୍ଷ ଅଜୟ କୁମାର ଲଲ୍ଲୁ, ବିଏସପି ବିଧାନମଣ୍ଡଳ ନେତା ଅଧ୍ୟକ୍ଷ ଉମାଶଙ୍କର ସିଂହ ପ୍ରମୁଖ ନେତା ଆଜି ଅଗ୍ନିପରୀକ୍ଷା ଦେଇଛନ୍ତି ।
ଶାନ୍ତି ଶୃଙ୍ଖଳାର ସହ ମତଦାନ ପାଇଁ କଡା ସୁରକ୍ଷାର ବନ୍ଦୋବସ୍ତ କରାଯାଇଛି । ଆଜି ଉତରପ୍ରଦେଶର ଗୋରଖପୁର, ଆମ୍ବେଦକରନଗର, ବଳରାମପୁର, ବସ୍ତି, ଦେଓରିଆ, କୁଶିନଗର, ମହାରାଜଗଞ୍ଜ, ବଲିଆ, ସେଂଟ କବିର ନଗର, ସିଦ୍ଧାର୍ଥ ଜିଲ୍ଲାରେ ଭୋଟ ଗ୍ରହଣ ଚାଲିଛି ।