୭ଟି ଜିଲ୍ଲାରେ ହେବ ୭ଟି ଅକ୍ସିଜେନ୍ ପ୍ଲାଣ୍ଟ
କୋଭିଡ ଦ୍ୱିତୀୟ ଲହରରେ ଜନ ଜୀବନ ବିଶେଷ ପ୍ରଭାବିତ ହୋଇଛି । ଏହି ସମୟରେ ରେଗୀଙ୍କୁ ଅଧିକ ଅକ୍ସିଜେନ୍ ଆବଶ୍ୟକ ପଡୁଛି । ତେଣୁ ରାଜ୍ୟରେ ଅକ୍ସିଜେନର ଅଭାବ ଦୂର କରିବାକୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟର ୭ଟି ଜିଲ୍ଲାରେ ୭ଟି ତରଳ ମେଡିକାଲ ଅକ୍ସିଜେନ ପ୍ଲାଣ୍ଟ ଏବଂ ୭ଟି PSA ବ୍ୟବସ୍ଥାର ଭିତ୍ତିପ୍ରସ୍ତର ରଖିଛନ୍ତି । କଟକ ଏସସିବି ଓ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରେ ଲୋକାର୍ପଣ ହୋଇଛି ଅକ୍ସିଜେନ ୟୁନିଟ । ସେହିଭଳି ବାଲେଶ୍ୱର, କୋରାପୁଟ, ବଲାଙ୍ଗୀର ଭୀମଭୋଇ, ବୀର ସୁରେନ୍ଦ୍ର ସାଏ ମେଡିକାଲ କଲେଜ ସହ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅକ୍ସିଜେନ ପ୍ଲାଣ୍ଟ ଉଦଘାଟିତ ହୋଇଛି ।
ଏହା ସହିତ ବାଲେଶ୍ବରରେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ସହାୟତାରେ ଏକ ଅତିରିକ୍ତ ସ୍ବାସ୍ଥ୍ୟ ସୁବିଧା କେନ୍ଦ୍ର, ଡେଙ୍ଗୁ ଓ ଡାଇରିଆ ୱାର୍ଡ, ରକ୍ତ ବର୍ଗୀକରଣ ୟୁନିଟ, କଟକରେ ଫୁସଫୁସ ରୋଗର ଚିକିତ୍ସା ପାଇଁ ଏକ ଉତ୍କର୍ଷ କେନ୍ଦ୍ର ଏବଂ ନବରଙ୍ଗପୁରରେ ଏକ ଜଞ-ଚଉଜ ଟେଷ୍ଟ ଲାବୋରେଟୋରୀର ମଧ୍ୟ ଉଦ୍ଘାଟନ କରିଛନ୍ତି । ଏହି ସମସ୍ତ ଭିତ୍ତିଭୂମି ପାଇଁ ୨୯ କୋଟି ୪୧ ଲକ୍ଷ ଟଙ୍କା ବିନିଯୋଗ କରାଯାଇଛି । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ କରୋନାର ଦ୍ବିତୀୟ ଲହରୀରେ ମେଡିକାଲ ଅକ୍ସିଜେନର ଆବଶ୍ୟକତା ବହୁତ ବଢିଯାଇଥିଲା । ଏହି ସମୟରେ ଓଡିଶାରେ ଅକ୍ସିଜେନ ଯୋଗାଣ ନେଇ କୌଣସି ସମସ୍ୟା ହୋଇନାହିଁ । ନିଜର ଆବଶ୍ୟକତାକୁ ପୂରଣ କରିବା ସହ ଓଡିଶା ୧୭ଟି ରାଜ୍ୟକୁ ଅକ୍ସିଜେନ ଯୋଗାଇ ଅନେକ ମୂଲ୍ୟବାନ ଜୀବନ ରକ୍ଷା କରିପାରିଛି । ଓଡିଶା ପାଇଁ ଏହା ନିଶ୍ଚିତ ଭାବରେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବା ସହିତ ପ୍ରତ୍ୟେକ ଓଡିଆଙ୍କ ପାଇଁ ଏହା ଆତ୍ମସନ୍ତୋଷର ବିଷୟ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।