ନୂଆଦିଲ୍ଲୀ: ଦିନକୁ ଦିନ ଗଣମାଧ୍ୟମ ନ୍ୟାୟଳାୟ ଭଳି ବିଭିନ୍ନ ଅପରାଧିକ ମାମଲାର ବିଚାର କରିବା ଅଭ୍ୟାସ ବଢ଼ିବାରେ ଲାଗିଛି । ଯଥେଷ୍ଟ ତଥ୍ୟ ପ୍ରମାଣ ସମ୍ପର୍କରେ ବିଶ୍ଲେଷଣ ପାଇଁ ଆବଶ୍ୟକୀୟ ଜ୍ଞାନର ଅଭାବ ଓ ସୁହାଇଲା ଭଳି ଢ଼ଙ୍ଗରେ ଏହାର ଉପସ୍ଥାପନ କରାଯାଇ ବିଭିନ୍ନ ଅପରାଧିକ ମାମଲାର ବିଚାର କୋର୍ଟରେ ହେବା ପୂର୍ବରୁ ଗଣମାଧ୍ୟମ ନିଜେ ନିଜେ ତାହାର ବିଚାର (ମିଡିଆ ଟ୍ରାଏଲ) କରି ନ୍ୟାୟିକ ପ୍ରକ୍ରିୟାକୁ ପ୍ରଭାବିତ କରୁଥିବା ଅଭିଯୋଗ ବଢ଼ିବାରେ ଲାଗିଛି । ଏନେଇ ସୁପ୍ରିମକୋର୍ଟ କଠୋର ହେବା ସହ ଆସନ୍ତା ୩ ମାସ ମଧ୍ୟରେ ଗାଇଡଲାଇନ ତିଆରି କରିବାକୁ କେନ୍ଦ୍ର ଗୃହ ମନ୍ତ୍ରାଳୟକୁ ନିର୍ଦ୍ଦେଶ ଦେଇଛନ୍ତି । ଏହାକୁ ନେଇ ସମସ୍ତ ରାଜ୍ୟର ଡିଜିପି ଏକ ମାସ ମଧ୍ୟରେ ଗୃହ ମନ୍ତ୍ରଣାଳୟକୁ ପରାମର୍ଶ ଦେବେ । ୨୦୨୪ ଜାନୁଆରି ଦ୍ୱିତୀୟ ସପ୍ତାହରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ହେବ ।
ଏହି ମାମଲାର ଶୁଣାଣି ସମୟରେ ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼ କହିଛନ୍ତି ଯେ ‘ମିଡିଆ ଟ୍ରାଏଲ’ ଦ୍ୱାରା ନ୍ୟାୟ ପ୍ରଶାସନ ପ୍ରଭାବିତ ହେଉଛି । ଏହାକୁ ନେଇ ପୁଲିସରେ ସମ୍ବେଦନଶୀଳତା ଆଣିବା ଜରୁରୀ ଯେ କେଉଁ ପର୍ଯ୍ୟାୟରେ ତଦନ୍ତର ବିବରଣୀ ପ୍ରକାଶ କରିବାର ଆବଶ୍ୟକତା ରହିଛି । ଏହା ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ, କାରଣ ଏହା ପୀଡ଼ିତ ବା ପୀଡ଼ିତା ଏବଂ ଅଭିଯୁକ୍ତଙ୍କ ସହିତ ସାଧାରଣ ଜନତାଙ୍କ ସ୍ୱାର୍ଥ ସହିତ ଜଡିତ । ଅପରାଧ ସମ୍ବନ୍ଧୀୟ ପ୍ରସଙ୍ଗରେ ଗଣମାଧ୍ୟମ ରିପୋର୍ଟିଂରେ ଜନସ୍ୱାର୍ଥର ଅନେକ ଦିଗ ଅନ୍ତର୍ଭୁକ୍ତ । ତେଣୁ ଆମେ ମିଡିଆ ଟ୍ରାଏଲକୁ ଅନୁମତି ଦେବା ଉଚିତ ନୁହେଁ ବୋଲି ସେ ପ୍ରକାଶ କରିଛନ୍ତି ।
Get real time updates directly on you device, subscribe now.
