ନୂଆଦିଲ୍ଲୀ: ଆଜି ଭାରତର ସର୍ବୋଚ୍ଚ ନ୍ୟାୟାଳୟର ପ୍ରଧାନବିଚାରପତି ଡି.ୟାଇ .ଚନ୍ଦ୍ରଚୂଡ ଭାରତର ସର୍ବୋଚ୍ଚ ନ୍ୟାୟାଳୟ ରାଷ୍ଟ୍ରୀୟ ନ୍ୟାୟିକ ସୂଚନା ଗ୍ରୀଡ ପ୍ଲାଟଫର୍ମ ଅଧୀନରେ ଆସିବ ବୋଲି ପ୍ରକାଶ କରିଛନ୍ତି । ଫଳରେ ସର୍ବୋଚ୍ଚ ନ୍ୟାୟାଳୟରେ କେଉଁକେଉଁ ମାମଲାଗୁଡିକର ବିଚାର ଚାଲିଛି ସେ ସମ୍ପର୍କରେ ସ୍ପଷ୍ଟ ସୂଚନା ମିଳିପାରିବ । ରାଷ୍ଟ୍ରୀୟ ନ୍ୟାୟିକ ସୂଚନା ଗ୍ରୀଡ ପ୍ଲାଟଫର୍ମ ଅଧୀନରେ ଆସିବା ଦ୍ୱାରା ମାମଲାଗୁଡ଼ିକର ଟ୍ରାକିଂ ସହଜ ହୋଇପାରିବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତର ପ୍ରଧାନ ବିଚାରପତି ଡି ୱାଇ ଚନ୍ଦ୍ରଚୁଡ଼ଙ୍କ ଘୋଷଣାକୁ ଶୁଭେଚ୍ଛା ଜଣାଇଛନ୍ତି ଓ ଏକ ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦୀ କହିଛନ୍ତି ଯେ ବୈଷୟିକ ଜ୍ଞାନକୌଶଳର ଏପରି ବ୍ୟବହାର ଦେଶରେ ସ୍ୱଚ୍ଚତା ଏବଂ ନ୍ୟାୟ ବ୍ୟବସ୍ଥାକୁ ଆହୁରି ସ୍ୱଚ୍ଛ କରିବ । ସେ କହିଛନ୍ତି, ଏହା ସୁପ୍ରିମକୋର୍ଟ ତଥା ଭାରତର ପ୍ରଧାନ ବିଚାରପତିଙ୍କର ଏକ ପ୍ରଶଂସନୀୟ ପଦକ୍ଷେପ । ରାଷ୍ଟ୍ରୀୟ ସୂଚନା କେନ୍ଦ୍ର ଓ ସୁପ୍ରିମକୋର୍ଟ ମିଳିତ ଭାବେ ଏହି ନେସନାଲ ଜୁଡ଼ିସିଆଲ ଡାଟା ଗ୍ରୀଡ ପ୍ରସ୍ତୁତ କରିଛନ୍ତି । ଏହି ପ୍ଲାଟଫର୍ମ ଜରିଆରେ ସୁପ୍ରିମକୋର୍ଟରେ କେଉଁ ମାମଲାର ଶୁଣାଣି ଚାଲିଛି, କେଉଁ ମାମଲାର ବିଚାର ଦୀର୍ଘ ସମୟ ପର୍ଯ୍ୟନ୍ତ ଚାଲିଛି ଓ କେଉଁ ତାରିଖରେ କେଉଁ ମାମଲାର ଶୁଣାଣି ହେବ, ତାହା ବିଷୟରେ ଜାଣି ହେବ ।