THE BYAPINI

ବିନା ଶୁକ୍ରାଣୁରେ ଗର୍ଭାଶୟ ବାହାରେ ବିକଶିତ ହେଲା ବିଶ୍ୱର ପ୍ରଥମ ଭ୍ରୂଣ

Get real time updates directly on you device, subscribe now.

ନୂଆଦିଲ୍ଲୀ: ଚିକିତ୍ସା ବିଜ୍ଞାନ କ୍ଷେତ୍ରରେ ବୈଜ୍ଞାନିକମାନଙ୍କୁ ଏକ ବଡ ସଫଳତା ମିଳିଛି । ବିନା ଶୁକ୍ରାଣୁରେ ଇସ୍ରାଏଲ ବୈଜ୍ଞାନିକମାନେ ବିଶ୍ୱର ପ୍ରଥମ ଭ୍ରୂଣ ଗର୍ଭାଶୟ ବାହାରେ ବିକାଶ କରିଛନ୍ତି । ଷ୍ଟେମ ସେଲ୍‌କୁ ବ୍ୟବହାର କରି ପେଟ୍ରି ଡିସ୍‌ରେ କଲଚର ଦ୍ୱାରା ସେମାନେ ଏହି ଚମତ୍କାର କରିପାରିଛନ୍ତି । ଫଳରେ ସିନ୍‌ଥେଟିକ୍‌ ଭ୍ରୂଣ ମଡେଲକୁ ଉପଯୋଗ କରି ଭବିଷ୍ୟତରେ ପ୍ରତ୍ୟର୍ପଣ ପାଇଁ ଟିସ୍ୟୁ ଏବଂ ଅଙ୍ଗପ୍ରତ୍ୟଙ୍ଗ ଆଦିର ବିକାଶ କରାଯାଇ ପାରିବ । ୱିଜମ୍ୟାନ୍‌ସ ମଲିକୁଲାର ଜେନେଟିକ୍ସ ବିଭାଗର ପ୍ରଫେସନ ଜ୍ୟାକବ ହାନ୍ନା ଏହି ଗବେଷଣାର ନେତୃତ୍ୱ ନେଇଥିଲେ । ବୈଜ୍ଞାନିକମାନେ ଭ୍ରୂଣର କାର୍ଯ୍ୟକୁ ଅନୁକରଣ କରିବାକୁ ଚେଷ୍ଟା କରିଥିଲେ । ଦୁଇଟି ପୂର୍ବ ଅଗ୍ରଗତି ଉପରେ ସେମାନେ କାର୍ଯ୍ୟ କରିଥିଲେ । ସେଥିରୁ ଗୋଟିଏ ହେଲା ଷ୍ଟେମ ସେଲଗୁଡିକୁ ଗୋଟିଏ ନିର୍ଦ୍ଦିଷ୍ଟ ଅବସ୍ଥାକୁ ଫେରାଇ ଆଣିବା ପାଇଁ ଏକ ସୁଦକ୍ଷ ପଦ୍ଧତି ଏବଂ ଅନ୍ୟଟି ହେଲା ଇଲେକ୍‌ଟ୍ରୋନିକ୍‌ ନିୟନ୍ତ୍ରିତ ଉପକରଣ ଯାହା ଭ୍ରୂଣକୁ ନିରନ୍ତର ଗତି କରୁଥିବା ଏକ ବିକର ଭିତରେ ପୋଷକ ଦ୍ରବଣରେ ରଖାଯାଇଥାଏ । ଏହାଦ୍ୱାରା ପ୍ଲାସେଣ୍ଟାକୁ ରକ୍ତ ଜରିଆରେ କିଭଳି ପୋଷକ ତତ୍ତ୍ୱ ପ୍ରବାହର ସିମୁଲେସନ କରାଯାଇଥାଏ ।
ସେଲ୍‌ ନାମକ ଜର୍ଣ୍ଣାଲରେ ଏହି ଅନୁଧ୍ୟାନ ପ୍ରକାଶ ପାଇଛି । ଗବେଷକ ଦଳ ମୂଷାର ଷ୍ଟେମ ସେଲରୁ ଭ୍ରୂଣ ବିକାଶ କରିଛନ୍ତି । ଏକ ପେଟ୍ରି ଡିସ୍‌ ମଧ୍ୟରେ ଦୀର୍ଘବର୍ଷ ଧରି ଏହାର କଲଚର କରାଯାଇଥିଲା । ବର୍ତ୍ତମାନ ସୁଦ୍ଧା ହୋଇଥିବା ଗବେଷଣାରେ ସ୍ୱତନ୍ତ୍ର ସେଲ୍‌ ବା କୋଷ ଉତ୍ପାଦନ କରିବା ଅତ୍ୟନ୍ତ କଷ୍ଟକର କିମ୍ବା ବାହାରିଥିବା କୋଷଗୁଡିକ ପ୍ରତିରୋପଣ ପାଇଁ ଉପଯୁକ୍ତ ହୋଇ ନଥିବାବେଳେ ଏହି ସମସ୍ୟାକୁ ଆମେ ଦୂର କରିପାରିଛୁ ବୋଲି ଏହି ଗବେଷଣାର ନେତୃତ୍ୱ ନେଇଥିବା ପ୍ରଫେସର ହାନ୍ନା କହିଛନ୍ତି । ଗବେଷକମାନେ ଷ୍ଟେମ ସେଲଗୁଡିକୁ ୩ଟି ଗ୍ରୁପରେ ଅଲଗା କରିଥିଲେ । ଗୋଟିଏ ସେଲ୍‌କୁ ଭ୍ରୂଣୀୟ ଅଙ୍ଗରେ ବିକଶିତ ହେବାଲାଗି ଉଦ୍ଦିଷ୍ଟ ଥିଲା । ଅନ୍ୟ ଦୁଇ ଗୋଷ୍ଠୀର ସେଲ୍‌ରୁ ଦୁଇ ପ୍ରକାର ଜିନ୍‌ ବାହାର କରିବା ପାଇଁ ପ୍ରାକ୍‌ ଚିକିତ୍ସା ଦିଆଯାଇଥିଲା ।
ଏହାପରେ ସେମାନଙ୍କୁ ଇଲେକ୍‌ଟ୍ରୋନିକ ନିୟନ୍ତ୍ରିତ ଉପକରଣରେ ମିଶ୍ରଣ କରାଯାଇଥିଲା ଯେଉଁଥିରେ ପ୍ରାୟ ୦.୫ ପ୍ରତିଶତ ବା ପ୍ରାୟ ୧୦୦୦୦ରୁ ୫୦ଟି ଗୋଲାକାର ଆକୃତି ନେଇଥିଲା । ଯାହା ମଧ୍ୟରୁ ପ୍ରତ୍ୟେକ ପରବର୍ତ୍ତୀ ସମୟରେ ଏକ ଲମ୍ବା ଏବଂ ଭ୍ରୂଣ ପରି ଢାଞ୍ଚାରେ ବିକଶିତ ହୋଇଥିଲା । ସିନ୍‌ଥେଟିକ୍‌ ଭ୍ରୂଣଗୁଡିକ ମୂଷାର ୨୦ ଦିନର ଗର୍ଭଧାରଣ ମଧ୍ୟରୁ ପ୍ରାୟ ଅଧା ସମୟ ଅର୍ଥାତ ୮.୫ ଦିନ ପର୍ଯ୍ୟନ୍ତ ବିକଶିତ ହୋଇଥିଲା । ଏହି ସମୟ ମଧ୍ୟରେ ସମସ୍ତ ପ୍ରକାର ଅଙ୍ଗର ମୂଳ ଗୁଡିକ ଗଠନ ହୋଇଥିଲା । ସେଥିରେ ଦୁକ୍‌ଦୁକ ହେଉଥିବା ହୃତପିଣ୍ଡ, ରକ୍ତ ଷ୍ଟେମ ସେଲ ପ୍ରବାହ, କୂଅ ଆକୃତିର ମସ୍ତିଷ୍କ, ନ୍ୟୁରାଲ ଟୁବ୍ୟ ଏବଂ ଅନ୍ତଃନାଳୀ ଆଦି ରହିଥିଲା । ପ୍ରାକୃତିକ ଉପାୟରେ ହେଉଥିବା ମୂଷାର ଭ୍ରୂଣ ସହିତ ଏହାକୁ ତୁଳନା କରିବାରୁ ୯୫ ପ୍ରତିଶତ ସମାନତା ଆଭ୍ୟନ୍ତରୀଣ ଗଠନ ଏବଂ ବିଭିନ୍ନ କୋଷର ଜିନ ପ୍ରକାଶ ପଦ୍ଧତିରେ ଆସିଥିଲା । ମଡେଲରେ ଦେଖାଯାଇଥିବା ଅଙ୍ଗଗୁଡିକ କାର୍ଯ୍ୟକ୍ଷମ ଥିବାର ସମସ୍ତ ସଙ୍କେତ ମିଳିଥିଲା । ତେଣୁ ଆଗାମୀ ଦିନରେ ଏହି ଅନୁଧ୍ୟାନ ଜନ୍ମ କିମ୍ବା ମନୁଷ୍ୟ ଭ୍ରୂଣର ପ୍ରତିରୋପଣ ତ୍ରୁଟି ଜାଣିବାରେ ସହାୟକ ହେବ ବୋଲି ବୈଜ୍ଞାନିକ ପ୍ରଫେସର ହାନ୍ନା କହିଛନ୍ତି ।

Get real time updates directly on you device, subscribe now.

Leave A Reply

Your email address will not be published.