THE BYAPINI

ସରିଗଲା କି ଅନୁଭବଙ୍କ ପଲିଟିକାଲ କ୍ୟାରିୟର?

Get real time updates directly on you device, subscribe now.

କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତିଙ୍କ ପଲିଟିକାଲ କ୍ୟାରିୟର ଏବେ ବିପଦରେ । ଦଳରେ ସେ ଏବେ କୋଣଠେସା । ଦଳୀୟ ନେତା ଖୋଲାଖୋଲି ଅନୁଭବଙ୍କ ବିରୋଧରେ ବୟାନ ଦେଲେଣି । ନବୀନଙ୍କ ଠାରୁ ସେ କିଛି ଶିଖିପାରିଲେ ନାହିଁ ବୋଲି ଟିପ୍ପଣୀ ଦେଉଛନ୍ତି କଟକ ନେତା । କେନ୍ଦ୍ରାପଡଦା ସଂସଦୀୟ କ୍ଷେତ୍ରକୁ ମୁଖ୍ୟ ଶାସନ ସଚିବ, ୫-ଟି ସଚହିବ ଯାଇ ସମୀକ୍ଷା କରୁଛନ୍ତି ହେଲେ ସାଂସଦଙ୍କୁ ଡକାଯାଉନି । ଦଳର ରାଜ୍ୟ କାର୍ଯ୍ୟକାରିଣୀ ଏବଂ ରାଜ୍ୟ ପରିଷଦ ବୈଠକରେ ଅନୁଭବଙ୍କ ଦେଖାଦର୍ଶନ ମିଳିଲା ନାହିଁ । ତେଣୁ ଅନୁମାନ କରାଯାଉଛି ଅନୁଭବଙ୍କ ରାଜନୈତିକ ଅଧ୍ୟାୟରେ ପୁର୍ଣ୍ଣଛେଦ ପଡିବାକୁ ଯାଉଛି ।

ପ୍ରଥମେ ରାଜ୍ୟସଭା ଆଉ ଏହାପରେ କେନ୍ଦ୍ରାପଡା ଲୋକସଭା ଆସନ । ଅନୁଭବଙ୍କ ରାଜନୈତିକ ସଫଳତା ଆକାଶଛୁଆଁ ହୋଇଥିଲା । କେନ୍ଦ୍ରାପଡା ଭଳି ସମ୍ମାନଜନକ ଲୋକସଭା ଆସନର ଟିକେଟ ଦେଇ ନବୀନ, ଅନୁଭବଙ୍କ ଉପରେ ଏକ ବିରାଟ ଆସ୍ଥା ପ୍ରକଟ କରିଥିଲେ, ଏବଂ ତାଙ୍କୁ ଜିତାଇବାକୁ ସବୁକିଛି ଏକ କରିଦେଇଥିଲେ । ହେଲେ ଶେଷରେ ଅନୁଭବଙ୍କ ପାରିବାରିକ କଳହ ଏଭଳି ସ୍ତରକୁ ଗଲା ଯେ ଦଳ ଏବଂ ଦଳର ମୁଖିଆ ତାଙ୍କ ସାଥ୍୍ ଦେବାକୁ ଆଉ ପ୍ରସ୍ତୁତ ନଥିବା ଚର୍ଚ୍ଚା ହେଉଛି । କୁହାଯାଉଛି, ଜାଣିଶୁଣି ଅନୁଭବଙ୍କୁ ଦଳୀୟ କାର୍ଯ୍ୟକ୍ରମରୁ ଦୁରେଇ ରଖାଯାଉଛି । କାରଣ ଅନୁଭବ ଆସିଲେ ଦଳ ପାଇଁ ଅଧିକ ଅଡୁଆ ଜନକ ସ୍ଥିତି ସୃଷ୍ଟି ହେବ ।

ମହିଳା ହେଉଛନ୍ତି ବିଜେଡିର ଏକ ବଡ ଭୋଟବ୍ୟାଙ୍କ । ଆଉ ବର୍ଷା-ଅନୁଭବ ବିବାଦରେ ବର୍ଷା ଯେଉଁ ସବୁ ଅଭିଯୋଗ ଆଣିଛନ୍ତି, ତାହା ଅତି ଗମ୍ଭୀର । ମହିଳା କମିଶନରେ ଅଭିଯୋଗର ପରେ ଅନୁଭବ ଏବଂ ତାଙ୍କ ପରିବାର ସଦସ୍ୟଙ୍କୁ ନୋଟିସ୍ ମଧ୍ୟ ଇସ୍ୟୁ କରାଯାଇ ସାରିଛି । ବ୍ୟାପିନି ପ୍ରତିନିଧିଙ୍କ ସୂଚନା ଅନୁସାରେ, ପୁଲିସ ମଧ୍ୟ ଆଉ ଅନୁଭବଙ୍କ କଥା ଶୁଣୁନାହିଁ । ତେଣୁ ଏଭଳି ପରିସ୍ଥିତିରେ ଅନୁଭବଙ୍କୁ ନେଇ ଦଳ ଆଉ ବୋଝ ମୁଣ୍ଡାଇବାକୁ ଚାହୁଁନି । ଅବଶ୍ୟ ଏହି ପାରିବାରିକ ସମସ୍ୟାରେ ଦଳ ମୁଣ୍ଡ ଖେଳାଇବାର କିଛି ଆବଶ୍ୟକତା ନାହିଁ, କିନ୍ତୁ ଅନୁଭବଙ୍କୁ ଦଳୀୟ ବୈଠକକୁ ଆସିବାକୁ ପରୋକ୍ଷରେ ମନା କରାଯିବା ଏବଂ ନେତା ଖୋଲାଖୋଲି ଅନୁଭବଙ୍କ ବିରୁଦ୍ଧରେ ଅସନ୍ତୋଷ ଜାହିର କରିବା ଦର୍ଶାଉଛି, ରାଜନୀତିରେ ନିଜର ଲାଷ୍ଟ ଇନିଂସ ବୋଧେ ଖେଳୁଛନ୍ତି ଏହି ସୁପରଷ୍ଟାର ।

Get real time updates directly on you device, subscribe now.

Leave A Reply

Your email address will not be published.